ମେମୁ ଟ୍ରେନ ଦୁର୍ଘଟଣାରୁ ବର୍ତ୍ତିବା ଘଟଣାରେ ଅବହେଳା ପାଇଁ ୨ଜଣଙ୍କ ବିରୋଧରେ ଖଡଗପୁର ରେଳ ଡିଭିଜନ କାର୍ଯ୍ୟାନୁଷ୍ଠାନ । ଷ୍ଟେସନ ମାଷ୍ଟର, ପଏଣ୍ଟମ୍ୟାନଙ୍କୁ ନିଲମ୍ବନ କରାଯାଇଛି ।
ଖଡଗପୁର ଡିଭିଜନର ସିନିୟର ଡିସିଏମ ଏ ନେଇ ସୂଚନା ଦେଇଛନ୍ତି । ଗତକାଲି ଭଦ୍ରକ-ବାଲେଶ୍ବର ମେମୁ ଟ୍ରେନ୍ ୧୦ଟା ପରେ ଭଦ୍ରକ ଷ୍ଟେସନ୍ରୁ ଡାଉନ୍ ଲାଇନ୍ରେ ବାଲେଶ୍ବର ଅଭିମୁଖେ ବାହାରିଥିଲା। ତେବେ ସୋର ଷ୍ଟେସନ୍ ପାର୍ ହେବା ବେଳେ ଏହା ପ୍ରାୟ ୪୦ ମିନିଟ୍ ବିଳମ୍ବରେ ଚାଲିଥିଲା।
ଟ୍ରେନ୍ଟି ୧୦ଟା ୫୩ ମିନିଟ୍ ବେଳକୁ ବରୁଣସିଂ ନୀଳଗିରି ରୋଡ୍ ଷ୍ଟେସନ୍ ନିକଟରେ ପହଞ୍ଚିବାର ଥିଲା। ହେଲେ ୧୨ଟା ୦୨ ମିନିଟ୍ରେ ପହଞ୍ଚିଥିଲା ଏବଂ ଦୁଇ ମିନିଟ୍ ରହଣି ପରେ ଟ୍ରେନ୍ ଷ୍ଟେସନ୍ ଛାଡ଼ିଥିଲା। ଟ୍ରେନ୍ଟିର ଗତି ବଢ଼ୁଥିବା ବେଳେ ଏହା ମେନ୍ ଲାଇନ୍ରେ ନଯାଇ ଷ୍ଟେସନ୍ ନିକଟ ଲୁପ୍ ଲାଇନ୍କୁ ଚାଲିଯାଇଥିଲା। ଯାହାର ଆଗକୁ ମେନ୍ ଲାଇନ୍ ସହ କୌଣସି ସଂଯୋଗ ନଥିଲା। ଏହି ସମୟରେ ଟ୍ରେନ୍ର ଦୁଇ ଲୋକୋ ପାଇଲଟ୍ଙ୍କ ସଂଦେହ ହୋଇଥିଲା ।

