ନ୍ୟାଶନାଲ ସ୍କୁଲ୍ ଅଫ୍ ଡ୍ରାମା (ଏନ୍ଏସ୍ଡି)ର ନିର୍ଦ୍ଦେଶକ ଭାବେ ଅଭିନେତା ଚିତ୍ତରଞ୍ଜନ ତ୍ରିପାଠୀଙ୍କ ନାମ ଘୋଷଣା କରାଯାଇଛି। ତାଙ୍କ ଘର ଭଦ୍ରକ ଜିଲା ଅନ୍ତର୍ଗତ ଚାନ୍ଦବାଲିରେ। ସେ କେବଳ ଜଣେ ଅଭିନେତା ନୁହନ୍ତି, ସିନେ ନିର୍ଦ୍ଦେଶକ, ଲେଖକ ଓ ସଙ୍ଗୀତ ନିର୍ଦ୍ଦେଶକ ଭାବେ ମଧ୍ୟ ଓଡ଼ିଆ ଏବଂ ହିନ୍ଦୀ ଫିଲ୍ମରେ କାମ କରିଛନ୍ତି।
ଓଡ଼ିଆ ଚଳଚ୍ଚିତ୍ର ଧଉଳି ଏକ୍ସପ୍ରେସ୍, ମୁଖ୍ୟମନ୍ତ୍ରୀ, ନେଟ୍ଫ୍ଲିକ୍ସରେ ପ୍ରସାରିତ ୱେବ୍ସିରିଜ୍ ସାକ୍ରେଡ୍ ଗେମ୍ସ, ହିନ୍ଦୀ ଫିଲ୍ମ ତେରା ମେରା ତେଢା ମେଢ଼ା, ଇନ୍ଦୁ କି ଜୱାନି, ଛପକ୍, ଏ ମନ୍ସୁନ୍ ଡେଟ୍, ସିରିଜ୍ ଝୋଲାଛାପ୍ ଭଳି ଅନେକ ଫିଲ୍ମ, ଓ୍ବେବ୍ସିରିଜ୍ରେ ଦମ୍ଦାର ଅଭିନୟ କରିଛନ୍ତି।
ସେ ଏନ୍ଏସ୍ଡିର ଜଣେ ପୁରାତନ ଛାତ୍ର। ତେବେ ନିଜେ ପଢ଼ୁଥିବା ଏହି ଜାତୀୟ ପ୍ରତିଷ୍ଠାନର ନିର୍ଦ୍ଦେଶକ ଦାୟିତ୍ୱ ମିଳିଥିବାରୁ ଚିତ୍ତରଞ୍ଜନଙ୍କୁ ଓଡ଼ିଆ ସିନେ ଜଗତ ପକ୍ଷରୁ ଶୁଭେଚ୍ଛା ବାର୍ତ୍ତା ଦିଆଯାଇଛି।ଚିତ୍ତରଞ୍ଜନ ତ୍ରିପାଠୀ, ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟରୁ ସମାଜଶାସ୍ତ୍ରରେ ସ୍ନାତକୋତ୍ତର ଉପାଧି ଲାଭ କରିଛନ୍ତି ।
୧୯୯୬ ମସିହାରେ ସେ ଦିଲ୍ଲୀସ୍ଥିତ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରୁ ଅଭିନୟରେ ଡିପ୍ଳୋମା ହାସଲ କରିଛନ୍ତି ।ଏହାପରେ ସେ ଚାର୍ଲସ ବାଲେସ ଫେଲୋସିପ ପାଇ ଲଣ୍ଡନର ଗିଲ୍ଡଫୋର୍ଡ୍ ସ୍କୁଲ ଅଫ ଆକ୍ଟିଙ୍ଗରୁ ନିର୍ଦ୍ଦେଶନା କ୍ଷେତ୍ରରେ ଶିକ୍ଷାଗ୍ରହଣ କରିଛନ୍ତି । ଏହା ବ୍ୟତିତ, ସେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତରେ ମଧ୍ୟ ପାରଙ୍ଗମ ।

