ଓଡ଼ିଶା ଖଣିଗୁଡ଼ିକରେ କାର୍ଯ୍ୟ କରୁଥିବା ଲୋକମାନଙ୍କ ଦକ୍ଷତା ବିକାଶ ଉପରେ ସରକାର ଗୁରୁତ୍ବାରୋପ କରୁଛନ୍ତି। ସେମାନେ ଯେଭଳି କୁଶଳୀ ହୋଇପାରିବେ ସେଥିପାଇଁ ସେମାନଙ୍କୁ ଦକ୍ଷତା ତାଲିମ ପ୍ରଦାନ କରାଯିବ। ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ଏହା କହିଛନ୍ତି। ଭାରତୀୟ ଶିଳ୍ପ ମହାସଂଘ(ସିଆଇଆଇ) ପକ୍ଷରୁ ଚଳିତ ମାସ ୧୯ରୁ ଆରମ୍ଭ ହେବାକୁ ଥିବା ଦୁଇଦିନିଆ ଖଣି ଓ ନିର୍ମାଣ ଉପକରଣ ସମ୍ମିଳନୀ ବିଷୟରେ ସୂଚନା ଦେଇ ଶ୍ରୀ ଶର୍ମା କହିଛନ୍ତି ଯେ ଏହି ସମ୍ମିଳନୀରେ ଆଞ୍ଚଳିକ, ଜାତୀୟ ଓ ଆନ୍ତର୍ଜାତିକ ସ୍ତରର ପ୍ରାୟ ୨୦୦ କଂପାନି ଅଂଶଗ୍ରହଣ କରି ସେମାନଙ୍କ ଉପକରଣଗୁଡ଼ିକୁ ପ୍ରଦର୍ଶନ କରିବେ। ଥାଇସେନ୍କ୍ରୁପ୍, ହିଟାଚି ଭଳି ବିଶ୍ବସ୍ତରୀୟ କଂପାନି ସେଥିରେ ଭାଗ ନେବେ।
ଏହି ସମ୍ମିଳନୀ ଜରିଆରେ ପରିବେଶ ମିତବ୍ୟୟୀ ଖଣି କାର୍ଯ୍ୟର ପ୍ରସାର କରାଯିବ, ନୂଆ ନୀତି ଓ ସରକାରୀ ହସ୍ତକ୍ଷେପର ସମ୍ଭାବନା ଜାଣିବାକୁ ପ୍ରୟାସ କରାଯିବ ଏବଂ ଖଣି କ୍ଷେତ୍ରରେ ଦକ୍ଷତା ବିକାଶ ତାଲିମ ଉପରେ ଆଲୋଚନା ହେବ। ଏହି ସମ୍ମିଳନୀରେ ଖଣି ଓ ନିର୍ମାଣ ଉପକରଣ ଯନ୍ତ୍ରାଂଶ ନିର୍ମାତା, ସରକାରୀ, ଘରୋଇ ଖଣି ଅପରେଟର, ରିଟେଲର, ବିତରକ, ସରକାରୀ ବିଭାଗ, ଆନୁଷଙ୍ଗିକ କ୍ଷେତ୍ରର ସଂସ୍ଥାଗୁଡ଼ିକ ଅଂଶଗ୍ରହଣ କରିବେ। ଏହି ଅବସରରେ ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଶଶି ଶେଖର ମହାନ୍ତି, ଉପାଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି ଓ ଥାଇସେନ୍କ୍ରୁପ୍ ଇଣ୍ଡଷ୍ଟ୍ରିଜ୍ ଇଣ୍ଡିଆର ଏମ୍ଡି ବିବେକ ଭାଟିଆ ଉପସ୍ଥିତ ଥିଲେ।
ଖଣି କ୍ଷେତ୍ରକୁ ପରିବେଶ ଅନୁକୂଳ କରିବା ଉପରେ ଧ୍ୟାନ ଦିଆଯାଉଛି। ଏଥି ସହିତ ଖଣି କାର୍ଯ୍ୟର ଯାନ୍ତ୍ରିକୀକରଣ ଓ ଆଧୁନିକୀକରଣ କରିବାକୁ ପ୍ରୟାସ କରାଯାଉଛି। ବିଶ୍ବର ବିଭିନ୍ନ ଦେଶରେ ଖଣିରେ କାମ କରୁଥିବା ବଡ଼ ବଡ଼ ମେସିନ ଓ ଯନ୍ତ୍ରାଂଶ କିଭଳି ଓଡ଼ିଶାରେ ବ୍ୟବହାର ହୋଇପାରିବ ସେଦିଗରେ ମଧ୍ୟ କାମ ଚାଲିଛି। ଏହି ପ୍ରକ୍ରିୟାରେ ଖଣି ଶ୍ରମିକ ଓ କର୍ମଚାରୀମାନଙ୍କୁ କୁଶଳୀ କରିବା ଲାଗି ମଧ୍ୟ ଉଦ୍ୟମ କରାଯାଇଛି।
ଶିକ୍ଷାନୁଷ୍ଠାନଗୁଡ଼ିକ ସହ ମିଶି ସେମାନଙ୍କୁ ଦକ୍ଷତା ତାଲିମ ପ୍ରଦାନ କରାଯିବ ବୋଲି ଶ୍ରୀ ଶର୍ମା କହିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ଜାରି କରିଥିବା ରିପୋର୍ଟ ଆଧାରରେ ‘କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ’ ଅନୁସାରେ ସାରା ଭାରତରେ ଓଡ଼ିଶା ଦ୍ବିତୀୟ ସ୍ଥାନରେ ରହିଛି ବୋଲି ସେ କହିଛନ୍ତି। ଏହି ତାଲିକାରେ ମହାରାଷ୍ଟ୍ର ପ୍ରଥମ ସ୍ଥାନରେ ରହିଛି।

