ତନୟା: ଏକ ସଫଳତାର ସ୍ରୋତସ୍ବିନୀ

() କଳା, ସାହିତ୍ୟ, ସଂସ୍କୃତି ଓ ସାମ୍ବାଦିକତା । ବିଂଶ ଶତାବ୍ଦିରେ ଓଡ଼ିଶାରେ ସମାଜ ସଂସ୍କାରର ଏ ସମୃଦ୍ଧ ଉପାଦାନ ଗୁଡ଼ିକର ଯେଉଁ ଦିଗକୁ ଆପଣ ଦେଖିବେ ସାମଗ୍ରିକ ଭାବରେ ଗୋଟିଏ ମୁହଁ ଆପଣଙ୍କ ଆଖିଆଗରେ ଆସିବା କିଛି ନୂଆ କଥା ନୁହେଁ । ସଫଳତାର ଯାତ୍ରାରେ ବୟସ ବାଧାଦେବା ଭଳି ଗୋଟିଏ ପ୍ରସଙ୍ଗ ହୋଇ ଆଉ ରହିନାହିଁ । ନିଜର ପରିଶ୍ରମ ଓ ଅଧ୍ୟବସାୟ ଏବଂ ଶିଖିବାର ଉତ୍କଣ୍ଠା ଓ ଆଗକୁ ବଢିବାର ନିଶା ସଫଳତାର ଏକ ମାପକାଠି ଭାବେ ପରିପ୍ରକାଶ ହୋଇସାରିଛି । ଆଉ ଏହାର ପ୍ରମାଣ ହେଲେ ତନୟା ପଟ୍ଟନାୟକ । ଓଡ଼ିଶାର ସର୍ବାଦୃତ୍ତ ଖବର କାଗଜ ସମ୍ବାଦ, କନକ ନ୍ୟୁଜର ସଂପାଦକ ଭାବେ ଅଧୁନା ଦାୟିତ୍ବ ତୁଲାଉଥିବା ବିଶିଷ୍ଟ ମହିଳା ଉଦ୍ୟୋଗପତି ହେଉଛନ୍ତି ତନୟା । ଓଡ଼ିଶା ସାମ୍ବାଦିକତା ଜଗତର ବାଦଶାହା ଭାବେ ପରିଚିତ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଝିଅ ହେଉଛନ୍ତି ତନୟା  । ବାପାଙ୍କ ପଦାଙ୍କ ଅନୁସରଣ କରି ନିଜର ସ୍ବତନ୍ତ୍ର ପରିଚୟ ହାସଲ କରିବା ସହ ଓଡ଼ିଶାର ଜନମାନସରେ ଏକ ପରିଚିତ ଚେହେରା ଭାବେ ତନୟା ନିଜକୁ ଗଢିତୋଳିବାରେ ସଫଳ ହୋଇପାରିଛନ୍ତି  ।

ଓଡ଼ିଶାର ସର୍ବାଧିକ ଲୋକପ୍ରିୟ ଖବରକାଗଜ ସମ୍ବାଦର ସମ୍ପାଦକ ତଥା ସମ୍ବାଦ ଗ୍ରୁପର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶିକା ହେଉଛନ୍ତି ତନୟା ପଟ୍ଟନାୟକ  । ନିକଟରେ ସେ ଅଗ୍ରଣୀ ବୈଦ୍ୟୁତିକ ଗଣମାଧ୍ୟମ କନକ ନ୍ୟୁଜର ସମ୍ପାଦକ ଦାୟିତ୍ବ ଗ୍ରହଣ କରିଛନ୍ତି । ଦୀର୍ଘବର୍ଷ ଧରି ଖବର ପରିବେଷଣ ଏବଂ ଗଣମାଧ୍ୟମ କ୍ଷେତ୍ରରେ ନୂଆ ଧାରା ସୃଷ୍ଟି କରିବା ସହ ପରିଚାଳନା କ୍ଷେତ୍ରରେ ବଳିଷ୍ଠ ନେତୃତ୍ବ ତାଙ୍କୁ ଗଣମାଧ୍ୟମ ଜଗତରେ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଛି  । ତନୟା ପଟ୍ଟନାୟକ ଦୀର୍ଘ ଦଶନ୍ଧିରୁ ଅଧିକ ସମୟ ଧରି ଗଣମାଧ୍ୟମ ଜଗତ ସହ ଜଡ଼ିତ ଏବଂ ସମ୍ବାଦ ଗ୍ରୁପର ବରିଷ୍ଠ ପରିଚାଳନା ମଣ୍ଡଳୀରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇ ଆସିଛନ୍ତି । ତାଙ୍କ ନେତୃତ୍ୱ ଏବଂ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କନକ ନ୍ୟୁଜ୍, ରେଡିଓ ଚକଲେଟ୍ ଏବଂ ସମ୍ବାଦ ଡିଜିଟାଲ ପରିଚାଳିତ ହେଉଛି ।

ଛାତ୍ରୀ ଜୀବନରୁ ବେଶ୍ ମୋଧାବୀ ଥିଲେ ତନୟା  । ପିଲାଟି ଦିନରୁ କଳା, ସାହିତ୍ୟ, ସଂସ୍କୃତି ଓ ସାମ୍ବାଦିକତା ପରିସରରେ ତାଙ୍କର ଜୀବନ ଗଢିଉଠିଥିଲା  । ବାପାମାଆଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜକୁ ମଧ୍ୟ ଜଣେ କଳାପ୍ରେମୀ ଭାବେ ଗଢିତୋଳିଥିଲେ ତନୟା  । ଭୁବନେଶ୍ବର ଜୋସେଫ ହାଇସ୍କୁଲରେ ପାଠ ପଢିବା ପରେ ଇକୋନୋମିକ୍ସ ଅନର୍ସରେ ସେ ଗ୍ରାଜୁଏସନ କରିଥିଲେ । ପ୍ରତିଟି କ୍ଷେତ୍ରରେ ସଫଳତା ପାଇବା ସହ ନିଜର ଏକ ପରିଚୟ ସୃଷ୍ଟି କରିଥିଲେ  । ନିଜସ୍ବ ଉଦ୍ୟମରେ ସେ ରାଜ୍ୟର ପ୍ରମୁଖ ମହିଳା ଉଦ୍ୟୋଗୀ ଭାବେ ସାରା ଦେଶରେ ପରିଚିତ ହୋଇଛନ୍ତି  ।  ଇଣ୍ଡିଆନ ଚାମ୍ବର ଅଫ କମର୍ସର ୱିମେନ୍ ଏଣ୍ଟରପ୍ରିନ୍ୟୁରସିପ୍ କାଉନସିଲର ଉପ-ଉଦ୍ୟୋକ୍ତା ଭାବେ ତନୟା ପଟ୍ଟନାୟକ ଦାୟିତ୍ବ ତୁଲାଉଛନ୍ତି  । ତାଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଭୁବନେଶ୍ବରରେ ମହିଳା ବ୍ୟବସାୟ ମେଳା ଭଳି ଏକ ଜାତୀୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ ହୋଇପାରିଥିଲା  । ଓଡ଼ିଶାର ମହିଳା ଉଦ୍ୟୋଗୀଙ୍କୁ ଆଗକୁ ନେବା ଓ ବିଶ୍ବର ଦୃଷ୍ଟି ଆକର୍ଷଣ କରିବାରେ ତାଙ୍କ ପଦକ୍ଷେପ ଅତ୍ୟନ୍ତ ପ୍ରଶଂସନୀୟ  ।

ଓଡ଼ିଶାର କଳାସଂସ୍କୃତିକୁ ଆଗକୁ ନେବା ସହିତ ତନୟା ନିଜେ ଏହାର ପ୍ରଚାର ପ୍ରସାର ମଧ୍ୟ କରୁଛନ୍ତି  । ବିଭିନ୍ନ ସୋସିଆମ ମିଡିଆ ପ୍ଲାଟଫର୍ମରେ ତାଙ୍କୁ ଓଡ଼ିଶାର ପର୍ଯ୍ୟଟନକୁ ପ୍ରଚାର କରୁଥିବା ଦେଖିବାକୁ ମିଳିଥାଏ  । ଏପରିକି ଓଡ଼ିଆ ଭାଷାକୁ ମଧ୍ୟ ସେ ପ୍ରମୋଟ କରୁଛନ୍ତି  ।  ୨୦୨୦ ମସିହାରେ ସେ ଏକ ସିନେମା `ଚରିତ୍ର’ର ପ୍ରଯୋଜନା ମଧ୍ୟ କରିଥିଲେ  । କନକ ନ୍ୟୁଜ ମାଧ୍ୟମରେ ପୁନଶ୍ଚ ପୃଥିବୀ କାର୍ଯ୍ୟକ୍ରମ ଆୟୋଜନ କରି ପରିବେଶ ସୁରକ୍ଷା ପ୍ରତି ତାଙ୍କ ଚିନ୍ତାଧାରାର ପ୍ରମାଣ ଦେଇଥିଲେ  । ଏହାଛଡ଼ା ଦୀପାବଳିରେ ବାଣ ନୁହେଁ ହସ ଫୁଟାଇବା ଏବଂ ଅନ୍ୟାନ୍ୟ ସାମାଜିକ ବାର୍ତ୍ତା ସମ୍ପର୍କିତ କାର୍ଯ୍ୟକ୍ରମକୁ ଆପଣାଇ ଲୋକଙ୍କ ପାଖରେ ଆଦୃତ ହୋଇପାରିଛନ୍ତି  । ତନୟାଙ୍କ ନେତୃତ୍ବରେ ଓଡ଼ିଆ ନାଟକ ଜଗତ ଏକ ସୋପାନରେ ପ୍ରବେଶ କରିଛନ୍ତି  । ରେଡିଓ ଚକୋଲେଟ ପ୍ରଡକ୍ସନର ପ୍ରଥମ ଅବଦାନ ଆହେ ନୀଳ ଶୈଳ ସାରା ଦେଶରେ ଏକ ଆନ୍ଦୋଳନ ସୃଷ୍ଟି କରିଥିଲା  । ରାଜ୍ୟ ତଥା ରାଜ୍ୟ ବାହାରେ ନାଟକକୁ ବେଶ୍ ପ୍ରଶଂସା ମିଳିଥିଲା  । ଯାହାକି ତନୟାଙ୍କ ଦକ୍ଷତାକୁ ପ୍ରତିଫଳନ କରିଥିଲା  । ବର୍ତ୍ତମାନ ଓଡ଼ିଆ ଦାସ ନାଟକ ମଧ୍ୟ ଏକ ମାଇଲଖୁଣ୍ଟ ସାଜିଛି  । ଖୁବ କମ ବୟରେ ଗଣମାଧ୍ୟମ ଜଗତରେ ଅନେକ ଦୂର ଯିବାର ଗୌରବ ହାସଲ କରିସାରିଛନ୍ତି ତନୟା । ସୌମ୍ୟରଞ୍ଜନଙ୍କ କନ୍ୟା ଭାବେ ସେ ଯେତିକି ପରିଚିତ ଏବେ ନିଜ ଉଦ୍ୟମରେ ଉଦ୍ୟୋଗୀ ଭାବେ ନିଜକୁ ପ୍ରତିଷ୍ଠିତ କରି ସମସ୍ତଙ୍କ ପାଇଁ ସେ ପ୍ରେରଣା ସାଜୁଛନ୍ତି  । ତନୟା ପ୍ରତି ମହିଳାଙ୍କ ପାଇଁ ଏକ ପ୍ରେରଣାର ଉତ୍ସ କହିଲେ ଭୁଲ ହେବନି  । ଆଗକୁ ତାଙ୍କ ସଫଳତାର ଯାତ୍ରା ଏମିତି ଆଗକୁ ବଢୁ ବୋଲି ଆମେ ଆଶା ପ୍ରକାଶ କରିବା ସହ ଶୁଭକାମନା ଜଣାଉଛୁ  ।

Post Views18 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!