ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ଚାଲିଛି ମହାଯଜ୍ଞ । ନାମସଂକୀର୍ତ୍ତନ ସହ ଭାବଭକ୍ତିରେ ଉଚ୍ଛୁଳି ପଡ଼ୁଛି ପୁରୀ । ପରିକ୍ରମା ପ୍ରକଳ୍ପ ପାଇଁ ଅଧିକ ଉତ୍ସବମୁଖର ହୋଇପଡ଼ିଛି ପୁରୀ । ସାରା ସହର ସହ ସଜେଇ ହୋଇଛି ବଡ଼ଦାଣ୍ଡ । ପରିକ୍ରମା ପ୍ରକଳ୍ପ ଯଜ୍ଞଶାଳାରେ ଚାଲିଛି ମନ୍ତ୍ରପାଠ । ଚାରିଦ୍ବାରରେ ଗୁଞ୍ଜରିତ ହେଉଛି ବେଦଧ୍ବନି । ପରିକ୍ରମା ମାର୍ଗରେ ଚାଲିଛି ନାମ ସଂକୀର୍ତ୍ତନ । ଜାନୁଆରୀ ୧୭, ୨୦୨୪, ପୌଷମାସ ଶୁକ୍ଳପକ୍ଷ ସପ୍ତମୀ ତିଥି । ଏହି ସ୍ମରଣୀୟ ମୁହୂର୍ତ୍ତକୁ ଆଉ କିଛି ଘଣ୍ଚା ବାକି ରହିଲା ।

ଏହାପୂର୍ବରୁ ସାହିଜାତ ସଂକୀର୍ତ୍ତନ ସାଙ୍ଗକୁ ମନ୍ଦିର ଚାରିପାଖେ ବେଦ ଓ ମନ୍ତ୍ର ପାଠର ଧ୍ବନି ଦିବ୍ୟ ଅନୁଭବ ପ୍ରଦାନ କରୁଛି । ଆଜି ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା, ଗୋପୂଜା, ଶାଳ ପ୍ରବେଶ, ପଞ୍ଚକର୍ମ, ମଣ୍ଡଳପୂଜା, ହବନ, ଆରତି, ପୁଷ୍ପାଞ୍ଜଳି ପ୍ରଦକ୍ଷିଣ କରାଯିବ । କାଲି ସୂର୍ଯ୍ୟପୂଜା, ଧରିତ୍ରୀପୂଜା, ଗୋପୂଜା, ପଞ୍ଚକର୍ମ, ବାସ୍ତୁ ଶୋଧନ, ଅଧିବାସ, ଫଳକ ପୂଜା କରାଯିବ ।
ଅପରାହ୍ନ ୧ଟା ୧୫ରୁ ୧ଟା ୩୦ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ପରିକ୍ରମା ପ୍ରକଳ୍ପର ଫଳକ ଉନ୍ମୋଚନ କରାଯିବ । ଅପରାହ୍ନ ୧ଟା ୩୦ରୁ ୨ଟା ମଧ୍ୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ଯଜ୍ଞ ପୂର୍ଣ୍ଣାହୁତି, ଆରତି ଓ ପୁଷ୍ପାଞ୍ଜଳି ପ୍ରଦାନ କରାଯିବ । ଅପରାହ୍ନ ୨ଟାରୁ ୨ଟା ୩୦ ମଧ୍ୟରେ ଅନ୍ତଃ ପ୍ରଦକ୍ଷିଣ ପଥରେ ନାମ ସଂକୀର୍ତ୍ତନ ସହ ଶୋଭାଯାତ୍ରା କରାଯିବ ।
ଅପରାହ୍ନ ୨ଟା ୩୦ରୁ ୩ଟା ପର୍ଯ୍ୟନ୍ତ ସଭାଗୃହରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେବ । ଅପରାହ୍ନ ୩ଟା ପରେ ସର୍ବସାଧାରଣ ପରିକ୍ରମା ମାର୍ଗକୁ ଯାଇପାରିବେ । ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ପାଇଁ ଲାଇଟ୍ ଏବଂ ସାଉଣ୍ଡ ସୋର ବ୍ୟବସ୍ଥା କରାଯାଇଛି ।ପରିକ୍ରମା ପ୍ରକଳ୍ପରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି ।


