ଭାବର ଯାତ୍ରା, ଭକ୍ତିର ଯାତ୍ରା । କାଳିଆ ଧାମକୁ ସୁଃଖଦ ଯାତ୍ରା । ଜଗା ଦର୍ଶନ ହେଲା ଆହୁରି ସହଜ । ଶ୍ରୀକ୍ଷେତ୍ରକୁ ଗଡ଼ିଲା ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍ । ଜଗନ୍ନାଥ ଏକ୍ସପ୍ରେସକୁ ଫ୍ଲାଗଅଫ୍ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲା ମୁଖ୍ୟାଳୟରୁ ଯାତ୍ରୀଙ୍କୁ ନେଇ ପୁରୀ ଶ୍ରୀମନ୍ଦିର ଅଭିମୁଖେ ବାହାରିଛି ଏସି ସୁପରପ୍ରିମିୟମ ବସ୍ । ଲକ୍ଷ୍ମୀ ଯୋଜନାର ତୃତୀୟ ପର୍ଯ୍ୟାୟରେ ଜଗନ୍ନାଥ ଚେତନାକୁ ଆହୁରି ବ୍ୟାପକ କରିବାକୁ ଜିଲ୍ଲା ମୁଖ୍ୟାଳୟରୁ ପୁରୀ ଯାଏ ଜଗନ୍ନାଥ ଏକ୍ସପ୍ରେସର ଶୁଭାରମ୍ଭ ହୋଇଛି । ୧୨ ଜିଲ୍ଲାରୁ ବସ ସେବା ଆରମ୍ଭ ହୋଇଥିବାବେଳେ ଶ୍ରଦ୍ଧାଳୁ ମାନେ ଭକ୍ତି ଯାତ୍ରାର ଅନୁଭୂତି ନେଉଛନ୍ତି ।
ସୁନ୍ଦରଗଡ଼ ହେଉ କି ମାଲକାନଗିରି । ଆଉ ଜମାରୁ ଦୂର ନୁହେଁ ପୁରୀ । କାରଣ ଭକ୍ତିପୂର୍ଣ୍ଣ ଯାତ୍ରା ଓ ଭିନ୍ନ ଅନୁଭୂତି ନେଇଆସିଛି ଶ୍ରୀଜଗନ୍ନାଥ ଏକ୍ସପ୍ରେସ । ରାଜ୍ୟର ୧୨ ଜିଲ୍ଲା ମୁଖ୍ୟାଳୟରୁ ପୂଣ୍ୟ ପୁରୁଷୋତ୍ତମ କ୍ଷେତ୍ରକୁ ଗଡ଼ିଛି ସୁପର ପ୍ରିମିୟମ ଶ୍ରୀଜଗନ୍ନାଥ ଏକ୍ସପ୍ରେସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବହୁ ପ୍ରତୀକ୍ଷିତ ବସ୍ ସେବାର ଶୁଭାରମ୍ଭ କରିବା ସହ ଜଗନ୍ନାଥପ୍ରେମୀଙ୍କୁ ଭେଟିଦେଇଛନ୍ତି ସ୍ମରଣୀୟ ଯାତ୍ରାର ଅନୁଭୂତି । ଲକ୍ଷ୍ମୀ ଯୋଜନାର ତୃତୀୟ ସୋପାନରେ ଯାତ୍ରୀ ପରିବହନକୁ ଆହୁରି ସଶକ୍ତ କରିବା ଉଦ୍ଦେଶ୍ୟରେ ବସ ସେବା ଆରମ୍ଭ ହୋଇଛି । ସୁଲଭ ମୂଲ୍ୟରେ ଏସି ସୁପର ଡିଲକ୍ସ ବସରେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ପରେ ପୁଣି ପୁରୀରୁ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସରେ ହିଁ ଜିଲ୍ଲା ମୁଖ୍ୟାଳୟକୁ ଫେରିବାର ସୁବିଧା ରହିଛି । ବଲାଙ୍ଗୀର, ବରଗଡ଼, ଗଞ୍ଜାମ, ଝାରସୁଗୁଡ଼ା, କୋରାପୁଟ, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ରେ ଶ୍ରୀଜଗନ୍ନାଥ ଏକ୍ସପ୍ରେସର ଶୁଭାରମ୍ଭ ହୋଇଛି । ଜିଲ୍ଲା ମୁଖ୍ୟାଳୟରୁ ପୁରୀ ଅଭିମୁଖେ ବସରେ ଯାତ୍ରା କରିଛନ୍ତି ଶ୍ରଦ୍ଧାଳୁ । ପ୍ରତି ବସ ଭୁବନେଶ୍ବର ଦେଇ ଶ୍ରୀକ୍ଷେତ୍ର ଯିବ ।
ଏଥିପାଇଁ ରୁଟ୍ ଚାର୍ଟ ପ୍ରସ୍ତୁତ ହୋଇଥିବାବେଳେ ଟିକେଟ ମୂଲ୍ୟ ଓ ବୁକିଂ ସମ୍ପର୍କରେ ଓଏସଆରଟିସି ଆପରେ ବିସ୍ତୃତ ବିବରଣୀ ଉପଲବ୍ଧ । ପୂର୍ବରୁ ପୁରୀ ଯିବାକୁ ଶ୍ରଦ୍ଧାଳୁମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିଲେ । ଏବେ ଜିଲ୍ଲାରୁ ଡାଇରେକ୍ଟ ବସ ସେବା ଫଳରେ ସଭିଏଁ ଉପକୃତ ହୋଇପାରିବେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଭକ୍ତଙ୍କୁ ଦେଉଛି ଦିବ୍ୟ ଅନୁଭବ । ରୂପାନ୍ତରିତ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସମସ୍ତ ଜଗନ୍ନାଥପ୍ରେମୀଙ୍କ ସ୍ବପ୍ନ । ଶ୍ରଦ୍ଧାଳୁଙ୍କର ଏ ଇଚ୍ଛାକୁ ଚରିତାର୍ଥ କରିବା ପାଇଁ ସାରଥି ସାଜିବ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ।



