ରାଷ୍ଟ୍ରାୟତ୍ତ କୋଇଲା କମ୍ପାନି ମହାନଦୀ କୋଲଫିଲ୍ଡ ଲିମିଟେଡ୍ (ଏମ୍ସିଏଲ୍)ର ସହାୟକ ସଂସ୍ଥା ମହାନଦୀ ବେସିନ୍ ପାୱାର ଲିମିଟେଡ୍ (ଏମ୍ବିପିଏଲ୍) ପକ୍ଷରୁ ସୁନ୍ଦରଗଡ଼ରେ ଏକ ୧୬୦୦ ମେଗାୱାଟ୍ର ଥର୍ମାଲ୍ ପାୱାର ପ୍ଲାଣ୍ଟ୍ ସ୍ଥାପନ କରାଯିବ। ସେଥିରେ ୧୫,୯୪୭ କୋଟି ଟଙ୍କା ନିବେଶ ହେବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଏହି ପ୍ରକଳ୍ପ ପାଇଁ ୧୫,୯୪୭ କୋଟି ଟଙ୍କାର ଇକ୍ବିଟି ପାଣ୍ଠିକୁ ମଞ୍ଜୁର କରାଯାଇଛି। ପ୍ରକଳ୍ପ ସ୍ଥାପନ କରିବା ଲାଗି ଏମ୍ବିପିଏଲ୍କୁ ଅନୁମତି ଦିଆଯାଇଛି। ଦେଶରେ କୋଲ୍ ଇଣ୍ଡିଆ ଲିମିଟେଡ୍ (ସିଆଇଏଲ୍) ଦୁଇଟି ପିଟ୍ ହେଡ୍ ଥର୍ମାଲ୍ ପାୱାର ପ୍ଲାଣ୍ଟ୍ ସ୍ଥାପନ କରିବ।
ଗୋଟିଏ ଏମ୍ସିଏଲ୍ ଜରିଆରେ ଓଡ଼ିଶାରେ ଏବଂ ଅନ୍ୟଟି ଅମରକଣ୍ଟକ ଥର୍ମାଲ୍ ପାୱାର ଷ୍ଟେସନ୍ ଜରିଆରେ ମଧ୍ୟପ୍ରଦେଶରେ ସ୍ଥାପନ କରାଯିବ। ମଧ୍ୟପ୍ରଦେରେ ସ୍ଥାପନ ହେବାକୁ ଥିବା ୧୩୨୦ ମେଗାୱାଟ୍ ପ୍ରକଳ୍ପରେ ୫୬୦୦ କୋଟି ଟଙ୍କା ନିବେଶ ହେବ। ସେହି ପ୍ରକଳ୍ପ ପାଇଁ ଆଜି ୮୨୩ କୋଟି ଟଙ୍କାର ଇକ୍ବିଟି ପାଣ୍ଠି ମଞ୍ଜୁର କରାଯାଇଛି।

