କାହାର ହେବ କଳାହାଣ୍ଡି? ଚବିଶ କୁରୁକ୍ଷେତ୍ରରେ ଯୋଦ୍ଧା ପ୍ରସ୍ତୁତ । କଳାହାଣ୍ଡି କବଜା କରିବେ କି ରାଣୀ? ମାଳବିକା କେଶରୀ ଦେଓଙ୍କୁ ପ୍ରାର୍ଥୀ କରି ମହିଳା କାର୍ଡ ଖେଳିଛି ବିଜେପି । ଏପଟେ କଳାହାଣ୍ଡି ସଂସଦୀୟ କ୍ଷେତ୍ରରୁ ବିଜେଡି ଲମ୍ବୋଦର ନିଆଲଙ୍କୁ ପ୍ରାର୍ଥୀ କରିଛି । ଏହି କ୍ଷେତ୍ର ପାଇଁ ଅନେକ ଦାବିଦାର ଥିବାବେଳେ ନିଆଲଙ୍କ ପ୍ରାର୍ଥୀତ୍ବକୁ ନେଇ ଚର୍ଚ୍ଚା ଜୋର ଧରିଛି । ଲମ୍ବୋଦର ନିଆଲ ନୂଆପଡା ଜିଲ୍ଲା ଖରିଆର ନିର୍ବାଚନମଣ୍ଡଳୀର ଜଣେ ଚର୍ଚ୍ଚିତ ରାଜନୈତିକ ଚେହେରା । ସେ ୨୦୧୨ ରେ ଜିଲ୍ଲା ପରିଷଦ ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ । ଗତ ୨୦୧୯ ନିର୍ବାଚନରେ ଲମ୍ବୋଦର ନିଆଲ ବିଜେଡି ପ୍ରାର୍ଥୀ ଭାବେ ଖରିଆର ନିର୍ବାଚନମଣ୍ଡଳୀରୁ ଲଢିଥିଲେ ।
କଂଗ୍ରେସ ପ୍ରାର୍ଥୀ ଅଧିରାଜ ମୋହନ ପାଣିଗ୍ରାହୀଙ୍କ ଠାରୁ ଲମ୍ବୋଦର ମାତ୍ର ୨ ହଜାର ୮୫୭ ଭୋଟରେ ହାରିଥିଲେ । ଅଧିରାଜ ପାଣିଗ୍ରାହୀ ୫୯ ହଜାର ୩୦୮ ଭୋଟ ପାଇଥିବାବେଳେ ଲମ୍ବୋଦର ୫୬ ହଜାର ୪୫୧ ଭୋଟ ପାଇଥିଲେ । ସେହିପରି ୨୦୧୪ ନିର୍ବାଚନରେ ଲମ୍ବୋଦର ନିଆଲ ବିଜେଡିରୁ ପ୍ରାର୍ଥୀ ହୋଇ ତୃତୀୟ ସ୍ଥାନରେ ରହିଥିଲେ । ଏହି ନିର୍ବାଚନରେ ବିଜେପି ପ୍ରାର୍ଥୀ ଦୁର୍ଯୋଧନ ମାଝୀ ୫୭ ହଜାର ୫୩୩ ଭୋଟ ପାଇ ଜିତିଥିବାବେଳେ କଂଗ୍ରେସ ପ୍ରାର୍ଥୀ ଅଧିରାଜ ମୋହନ ପାଣିଗ୍ରାହୀ ୫୦ ହଜାର ୪୦୭ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ ।
ଲମ୍ବୋଦର ନିଆଲ ୪୭ ହଜାର ୬୫୫ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ । ତେଣୁ ଖରିଆର ସମେତ ସଂପୂର୍ଣ ନୂଆପଡା ଜିଲ୍ଲାରେ ଲମ୍ବୋଦର ନିଆଲ ଏକ ପ୍ରମୁଖ ରାଜନୈତିକ ଚେହେରା ଭାବେ ଜଣାଶୁଣା । ନୂଆପଡା ଜିଲ୍ଲା ଖରିଆର ନିର୍ବାଚନମଣ୍ଡଳୀରେ ଲମ୍ବୋଦର ନିଆଲ ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତେଣୁ ଏବେ ବିଜେଡି ତାଙ୍କୁ କଳାହାଣ୍ଡି ସଂସଦୀୟ କ୍ଷେତ୍ରର ସାଂସଦ ପ୍ରାର୍ଥୀ ଘୋଷଣା କରିଥିବାରୁ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି ।ଉକ୍ରଳ ଯାଦବ ମହାସଭାର ମହିସଚିବ ରହିଛନ୍ତି ଲମ୍ବୋଦର । ଆସନରେ ୨୫ପ୍ରତିଶତ ଯାଦବ ଭୋଟ୍ ଉପରେ ନଜର ରଖିଛି ବିଜେଡି ।

