ଚଳିତ ନିର୍ବାଚନ ପାଇଁ ସରଗରମ ରାଜନୀତି ।ବିଜେଡିର ବିଧାନସଭା ଆସନର ପ୍ରାର୍ଥୀ ତାଲିକାରେ ସ୍ଥାନ ପାଇଛନ୍ତି କିଛି ନୂଆ ପୁରଣା ଚେହେରା ସେହିପରି ଯାଜୁପର ବିଧାନସଭା ଆସନ ପାଇଁ ଏଥର ମଇଦାନକୁ ଓହ୍ଲାଇଛନ୍ତି ଜଣେ ମହିଳା ପ୍ରାର୍ଥୀ , ସେ ହେଉଛନ୍ତି ମିଶନ ଶକ୍ତିର ଜିଲ୍ଲା ଫେଡେରେସନର ସଭାପତି ସୁଜାତା ସାହୁ । ସ୍ବୟଂସହାୟକ ଗୋଷ୍ଠୀ (ଏସ୍ଏଚ୍ଜି) ସଭାପତିରୁ ଯାଜପୁର ବିଧାନସଭା ଆସନରୁ ବିଜେଡିର ବିଧାୟିକା ପ୍ରାର୍ଥୀ ରୂପେ ଚୟନ ହୋଇଛନ୍ତି ଦଶରଥପୁର ବ୍ଲକ୍ର ସୁଜାତା ସାହୁ। ତାହା ପୁଣି ଯାଜପୁର ଆସନରୁ ଲଗାତାର ତିନିଥର ବିଜୟୀ ହୋଇଥିବା ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ବଦଳରେ। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
ସୁଜାତା ତରପଦା ପଞ୍ଚାୟତ ପେଣ୍ଠବାଡ଼ ଗାଁର ମା’ ସରସ୍ୱତୀ ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି ଭାବେ କାର୍ଯ୍ୟ କରୁଥିଲେ। ଏହି ଗୋଷ୍ଠୀ ବ୍ୟାଗ୍, ଫାଇଲ, ଫୋଲ୍ଡର ଆଦି ତିଆରି କରି ମହିଳାଙ୍କୁ ଆତ୍ମନିର୍ଭର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଏହାପରେ ସେ ୨୦୧୭ରେ ବିଜେଡି ସମର୍ଥନରେ ତଳିହା ପଞ୍ଚାୟତର ସମିତିସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ। ରାଜନୀତିର ପ୍ରଥମ ପଦାର୍ପଣରେ ହିଁ ଦଳ ତାଙ୍କୁ ଦଶରଥପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ପଦବିରେ ବସାଇଥିଲା।
ଏବେ ସେ ମହିଳା ସ୍ବୟଂସହାୟକ ଗୋଷ୍ଠୀର ଜିଲ୍ଲାସ୍ତରୀୟ କମିଟି ତଥା ଡିଏଲ୍ଏଫ୍ର ଅଧ୍ୟକ୍ଷା ଭାବେ ଦାୟିତ୍ବ ତୁଲାଉଛନ୍ତି। ଦକ୍ଷତା ବୃଦ୍ଧି ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ସେ ଦୁବାଇ ମଧ୍ୟ ଯାଇଥିଲେ। ବିଜେଡି ପକ୍ଷରୁ ତାଙ୍କ ନାମ ଘୋଷଣା ପରେ ସେ ଖୁସିରେ ଆତ୍ମହରା ହୋଇଛନ୍ତି । ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ, ରାଜ୍ୟ ବିଜେଡି ସାଂଗଠନିକ ସଂପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ବିଜେଡି ଜିଲ୍ଲା ସଭାପତି ସରୋଜ ମହାପାତ୍ର, ବିଜେଡି ନେତା କର୍ଣ୍ଣାଟ କେଶରୀ ଦାସ, ପୂର୍ବତନ ପୌରାଧ୍ୟକ୍ଷ ଭବ ପ୍ରସାଦ ଦାସଙ୍କୁ କୃତଜ୍ଞତା ଜଣାଇଛନ୍ତି। ପରେ ଶ୍ରୀମତୀ ସାହୁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କୁ ଦର୍ଶନ କରିଥିଲେ।

