ଏଥର ଜଟଣୀ ଦେଖିବ ନୂଆ ଚେହେରା । ଆଉ ସୁର-ବିଭୂତି ନୁହେଁ, ଜଟଣୀ ମାଟିରେ ହେବ ଏକଦମ ଭିନ୍ନ ଲଢେଇ । କାରଣ ରାଜନୀତିରୁ ସନ୍ୟାସ ନେବାକୁ ଘୋଷଣା କରିଛନ୍ତି ଜଟଣୀ ବିଧାୟକ ତଥା କଂଗ୍ରେସ ଭେଟେରାନ ସୁରେଶ ରାଉତରାୟ । ଆଉ ତାଙ୍କର ପାରମ୍ପରିକ ପ୍ରତିଦ୍ବନ୍ଦି ବିଭୂତି ଭୂଷଣ ବଳବନ୍ତରାୟଙ୍କୁ ମିଳିସାରିଛି ବିଜେଡି ଟିକେଟ । 2009 ମସିହାରେ ବିଜେଡି ଟିକେଟରେ ବିଧାୟକ ହୋଇଥିଲେ ବିଭୂତି । କଂଗ୍ରେସର ସୁରେଶ କୁମାର ରାଉତରାୟଙ୍କୁ 14, 925 ଖଣ୍ଡ ଭୋଟରେ ହରାଇ ପ୍ରଥମ କରି ବିଧାୟକ ହୋଇଥିଲେ ବିଭୂତି । 2014ରେ ତାଙ୍କ ଟିକେଟ କଟି ଭାଗିରଥୀ ବଡଜେନା ବିଜୁ ଜନତା ଦଳ ଟିକେଟରେ ବିଧାୟକ ହୋଇଥିଲେ । ହେଲେ ଏଥର ପୁଣିଥରେ ବିଭୂତି ମଇଦାନରେ ଥିବାବେଳେ ସୁର କିନ୍ତୁ ଆଉ କଂଗ୍ରେସ ଟିକେଟରେ ଲଢେଇ କରିବେ ନାହିଁ ବୋଲି ସ୍ପଷ୍ଟ କରିସାରିଛନ୍ତି । ଏଣୁ ବିଭୂତିଙ୍କ ବିଜୟ ଏକପ୍ରକାର ନିଶ୍ଚିତ ବୋଲି ଆଶା କରାଯାଉଛି ।
ବିଭୂତି ଭୂଷଣ ବଳବନ୍ତରାୟ ଜଟଣୀ ମାଟିର ଲଢୁଆ ପୁଅ । ତୃଣମୂଳସ୍ତରରୁ ରାଜନୀତିର ଶୀର୍ଷରେ ପହଞ୍ଚିପାରିଛନ୍ତି ବିଭୂତି । ଖୋର୍ଦ୍ଧା ଜିଲ୍ଲା ବିଜେଡିରେ ତାଙ୍କର ବେଶ୍ ଦବଦବା ରହିଛି । ନିର୍ବାଚନ ଥାଉ କି ନଥାଉ ସବୁବେଳେ ଲୋକଙ୍କ ପାଖେ ରହିଛି ଜନପ୍ରିୟ ନେତାଭାବେ ସେ ପରିଚିତ । ସେଥିପାଇଁ ତ ପଦାର୍ପଣରେ ହିଁ ଜଟଣୀ ବାସିନ୍ଦାଙ୍କ ହୃଦୟ ଜିତିପାରିଥିଲେ ବିଭୂତି । 2009ରେ ବିଜେଡି ଟିକେଟରେ ସେ ଜଟଣୀରୁ ପ୍ରଥମେ ଲଢେଇ କରିଥିଲେ । ସେତେବେଳେ ନବାଗତ ବିଭୂତିଙ୍କ ଆଗରେ ଥିଲେ କଂଗ୍ରେସର ବରିଷ୍ଠ ନେତା ସୁରେଶ ରାଉତରାୟ । ରାଜ୍ୟ ରାଜନୀତିରେ ସୁର ଜଣେ ନାଁ କରା ନେତା ହୋଇଥିବାବେଲେ ବିଭୂତି ତାଙ୍କୁ ଟକ୍କର ଦେଇ ବିଜୟ ମୁକୁଟ ଛଡାଇ ଆଣିଥିଲେ । ନିର୍ବାଚନରେ 55,573 ଅର୍ଥାତ 47.85 ପ୍ରତିଶତ ଭୋଟ ପାଇ ବିଜୟୀ ହୋଇଥିଲେ ବିଭୂତି । ସେହି ନିର୍ବାଚନରେ କଂଗ୍ରେସର ସୁରେଶ ରାଉତରାୟଙ୍କୁ 35 ପ୍ରତିଶତ ଅର୍ଥାତ 40,648 ଖଣ୍ଡ ଭୋଟ୍ ମିଳିଥିଲା ।
5 ବର୍ଷ ଧରି ନିରବର୍ଚ୍ଛିନ୍ନ ଭାବେ ଜଟଣୀ ମାଟିର ସେବା କରିଥିଲେ ବିଭୂତି । ୟା ଭିତରେ ତାଙ୍କର ଲୋକପ୍ରିୟତା ମଧ୍ୟ ବଢିଥିଲା । 2014ରେ ସବୁ ସମ୍ଭାବନା ଥାଇ ବି ବିଭୂତିଙ୍କ ଟିକେଟ କଟିଥିଲା । ଆଉ ଭାଗିରଥି ବଡଜେନା ବିଜେଡି ଟିକେଟରେ ବିଜୟୀ ହୋଇଥିଲେ । ଦଳୀୟ ନିଷ୍ପତ୍ତିକୁ ମାନିନେଇ ଶୃଙ୍ଖଳିତ କର୍ମୀଭଳି ସେତେବେଳେ ଭାଗିରଥିଙ୍କୁ ସହଯୋଗ କରିଥିଲେ ବିଭୂତି । ଫଳସ୍ବରୂପ ପୁଣିଥରେ 2019ରେ ବିଭୂତିଙ୍କୁ ଭରସା କରିଥିଲେ ବିଜେଡି ସୁପ୍ରିମୋ । ବିଜେଡି ବିଭୂତିଙ୍କୁ 2014ରେ ପ୍ରାର୍ଥୀ କରିଥିଲା । ହେଲେ ସୁରଙ୍କ ଠାରୁ ବହୁ କମ ଭୋଟରେ ପରାଜିତ ହୋଇଥିଲେ ବିଭୂତି । ମାତ୍ର 7522 ଖଣ୍ଡ ଭୋଟରେ ସୁରେଶ ରାଉତରାୟ ଜିତିଥିଲେ । ଏଥର ବି ବିଭୂତିଙ୍କୁ ପୁଣିଥରେ ପ୍ରାର୍ଥୀ କରିଛି ବିଜେଡି । ସୁରଙ୍କ ସାନପୁଅ ମନ୍ମଥ ରାଉତରାୟ ବି ବିଜେଡିରେ ମିଶି ଭୁବେନଶ୍ବର ସାଂସଦ ପ୍ରାର୍ଥୀ ହୋଇଛନ୍ତି । ସୁରେଶ ରାଉତରାୟ ବି ଏଥର ଲଢିବେନି ବୋଲି ସ୍ପଷ୍ଟ ହୋଇଛି । ଏଣୁ ସୁର ନିଜ ପୁଅଙ୍କ ସହିତ ବିଭୂତିଙ୍କୁ ବି ସମର୍ଥନ କରୁଛନ୍ତି । ଫଳରେ ଏଥର ବିଭୂତିଙ୍କ ବିଜୟ ଏକପ୍ରକାରର ପକ୍କା ।
ସେପଟେ ବିଜେପି ଜଟଣୀ ନିର୍ବାଚନମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ଭାବେ ବିଶ୍ୱରଞ୍ଜନ ବଡ଼ଜେନାଙ୍କ ନାମ ଘୋଷଣା କରିଛି। ଗତ ନିର୍ବାଚନରେ ବିଶ୍ବରଞ୍ଜନ ବିଜେପିର ପ୍ରାର୍ଥୀ ହୋଇଥିଲେ। ତେବେ ସେ ତୃତୀୟ ସ୍ଥାନରେ ଥିଲେ। ଏଥର ପୁଣି ତାଙ୍କୁ ଦଳ ଭରସା କରିଛି। କେବଳ କଂଗ୍ରେସ ପ୍ରାର୍ଥୀ ଘୋଷଣାକୁ ବାକି ଅଛି। ତେଣୁ କଂଗ୍ରେସ ପ୍ରାର୍ଥୀ ଘୋଷଣା ପରେ ଲଢ଼େଇର ଚିତ୍ର ସ୍ପଷ୍ଟହେବ।

