ନିର୍ବାଚନ ଲଢ଼ିବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ

କୋଇଲା ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କ ଦୋଷୀସାବ୍ୟସ୍ତ ରାୟ ଉପରେ ଦିଲ୍ଲୀ ହାଇକୋର୍ଟ ସୋମବାର ସ୍ଥଗିତାଦେଶ ଲଗାଇଛନ୍ତି। ଫଳରେ ସେ ୨୦୨୪ ନିର୍ବାଚନ ଲଢ଼ିପାରିବେ। ୧୯୯୯ରେ ଝାଡ଼ଖଣ୍ଡର କୋଇଲା ଖଣି ଆବଣ୍ଟନରେ ଅନିୟମିତତାକୁ ନେଇ ପୂର୍ବରୁ ଦିଲୀପ ଦୋଷୀସାବ୍ୟସ୍ତ ହୋଇଥିଲେ। ମାମଲାର ନିର୍ଦ୍ଦିଷ୍ଟ ସ୍ଥିତିକୁ ଦୃଷ୍ଟିରେ ରଖି ଦୋଷୀସାବ୍ୟସ୍ତ ରାୟକୁ ସ୍ଥଗିତ ରଖାଯାଇଛି, ତାଙ୍କୁ ଦୋଷମୁକ୍ତ କରାଯାଇ ନ ଥିବା ଜଷ୍ଟିସ୍‌ ସ୍ବରନ କାନ୍ତ ଶର୍ମା ସ୍ପଷ୍ଟ କରିଛନ୍ତି। ଉଚ୍ଚ ଅଦାଲତ ରାୟଙ୍କ ଦୀର୍ଘ ରାଜନୈତିକ ଜୀବନ ଏବଂ ବୟସକୁ ବିଚାରକୁ ନେଇ କହିଥିଲେ, ପ୍ରତ୍ୟେକ ମାମଲାକୁ ଏହାର ନିର୍ଦ୍ଦିଷ୍ଟ ପରିସ୍ଥିତି ଓ ପୃଷ୍ଠଭୂମି ଆଧାରରେ ନିଷ୍ପତ୍ତି କରାଯାଇଥାଏ। ତେଣୁ କୌଣସି ଦୁଇଟି ମାମଲା ସମାନ ନୁହେଁ। ସେଥିପାଇଁ ୨୦୨୦ ଅକ୍ଟୋବର ୬ ରାୟରେ ତାଙ୍କୁ ଦୋଷୀସାବ୍ୟସ୍ତ କରାଯାଇଥିବାବେଳେ ବର୍ତ୍ତମାନର ଅପିଲ ବିଚାରାଧୀନ ଥିବାରୁ ଏହାକୁ ସ୍ଥଗିତ ରଖାଯାଇଥିବା ଅଦାଲତ କହିଛନ୍ତି। ସୂଚନାଯୋଗ୍ୟ, ଆଇପିସିର ଦଫା ୧୨୦ ବି, ୪୦୯ ଏବଂ ୪୨୦ ତଥା ଦୁର୍ନୀତି ନିବାରଣ ଆଇନର ଧାରା ୧୩(୧)(ସି) କିମ୍ବା ୧୩(୧)(ଡି) ଅନୁଯାୟୀ ଦିଲୀପ ତଳକୋର୍ଟରେ ଦୋଷୀସାବ୍ୟସ୍ତ ହୋଇଥିଲେ। ତାଙ୍କୁ ୩ ବର୍ଷ ଜେଲଦଣ୍ଡାଦେଶ ସହ ଜରିମାନା ପୈଠ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ହାଇକୋର୍ଟ ହୃଦୟଙ୍ଗମ କରିଥିଲେ ଯେ, ଆଗକୁ ନିର୍ବାଚନ ଥିବାବେଳେ ଦିଲୀପଙ୍କୁ ୭୧ ବର୍ଷ ହେଲାଣି। ଏହି ମାମଲାରେ ଏକାଧିକ ଅପିଲ୍‌ ଏବଂ କ୍ରସ୍‌-ଅପିଲ ଥିବାରୁ ଶୁଣାଣି ପାଇଁ ସମୟ ଲାଗିବ ଏବଂ ନିକଟ ଭବିଷ୍ୟତରେ ଫଇସଲା ହେବା ଭଳି ଜଣାପଡ଼ୁ ନାହିଁ। ଯଦି ଆବେଦନକାରୀଙ୍କ ନିବେଦନକୁ ଅନୁମତି ଦିଆ ନ ଯାଏ, ତେବେ ସେ ନିର୍ବାଚନରେ ଲଢ଼ିବା ସୁଯୋଗ ହରାଇବେ ଏବଂ ତାଙ୍କ ରାଜନୈତିକ କ୍ୟାରିୟରର ଅପୂରଣୀୟ କ୍ଷତି ହେବ। ନିଜ ନିର୍ବାଚନ ମଣ୍ଡଳୀର ସେବା କରିବା ପାଇଁ ତାଙ୍କ ଇଚ୍ଛା ପୂରଣ ହୋଇପାରିବ ନାହିଁ। ଉପରୋକ୍ତ ବିଷୟଗୁଡ଼ିକୁ ବିଚାରକୁ ନେଇ ହାଇକୋର୍ଟ ଦିଲୀପଙ୍କ ଆବେଦନକୁ ଅନୁମତି ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ, ପ୍ରମୋଦ କୁମାର ଦୁବେ, ମହେଶ ଅଗ୍ରଓ୍ବାଲ ପ୍ରମୁଖ ମାମଲା ଲଢ଼ୁଥିଲେ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!