ପୁଣି ରାଉରକେଲାର ଭରସା ଜିତିବେ ସାରଦା !

ଏଥର ବି ରାଉରକେଲାର ଭରସା ଜିତିବେ କି ସାରଦା ପ୍ରସାଦ ନାୟକ? ୨୦୨୪ ଲଢେଇ ପାଇଁ ପୁଣିଥରେ ସାରଦାଙ୍କୁ ଯୋଦ୍ଧା ଭାବେ ମଇଦାନକୁ ପଠାଇଛି ବିଜୁ ଜନତା ଦଳ। ସାରଦାଙ୍କ ଉପରେ ଭରସା କରି ତାଙ୍କୁ ପ୍ରାର୍ଥୀ କରିଛନ୍ତି ନବୀନ ପଟ୍ଟନାୟକ। ସାରଦାଙ୍କ ସପକ୍ଷରେ ରାଉରକେଲାରେ ହାଓ୍ବା ବହୁଥିବାବେଳେ ତାଙ୍କ ବିପକ୍ଷରେ ଅଛନ୍ତି ବିଜେପିର ହେଭିଓ୍ବେଟ ଦିଲ୍ଲିପ ରାୟ। ତେବେ ଓଡ଼ିଶା ରାଜନୀତିର ଚିହ୍ନା ମୁହଁ, ପଶ୍ଚିମ ଓଡ଼ିଶାର ପରିଚୟ ଏବଂ ରାଉରକେଲାର ଲୋକପ୍ରିୟ ବିଧାୟକ ତଥା ଅଭିଜ୍ଞ ରାଜନେତା ସାରଦା ପ୍ରସାଦ ନାୟକଙ୍କ ସପକ୍ଷରେ ଅଧିକ ଜନମତ ଥିବା ଚର୍ଚ୍ଚା ହେଉଛି।

୨୦୦୪ ମସିହାରେ ପ୍ରଥମେ ସାରଦାଙ୍କୁ ସୁଯୋଗ ଦେଇଥିଲେ ରାଉରକେଲାବାସୀ । ଜନତାଙ୍କର ଅକୁଣ୍ଠ ସମର୍ଥନ ଓ ଭଲପାଇବା ବଳରେ ବିଜୁ ଜନତା ଦଳର ଟିକେଟରେ ପ୍ରଥମ କରି ବିଧାୟକ ହୋଇଥିଲେ ସାରଦା ପ୍ରସାଦ ନାୟକ । ସାରଦାଙ୍କ ନେତ୍ବତ୍ବ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ରାଉରକେଲାରେ ଆରମ୍ଭ ହୋଇଥିଲା ବିକାଶର ନୂଆ ଅଧ୍ୟାୟ । ଲୋକଙ୍କର ପାଖେ ପାଖେ ରହି ସମସ୍ୟା ଶୁଣିବା ସହିତ ମୌଳିକ ସୁବିଧା ଯୋଗାଇ ଦେଇଥିଲେ ବିଧାୟକ । ବିଧାନସଭାରେ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରି ରାଉରକେଲାର ଭାଗ୍ୟ ବଦଳାଇବାରେ ସାଜିଥିଲେ ପ୍ରମୁଖ ବିନ୍ଧାଣୀ ।
୫ବର୍ଷର ବିକାଶ ଏବଂ ଲୋକଙ୍କର ସ୍ବର ସାଜି ପୁଣିଥରେ ଜନତାଙ୍କ ଭରସା ଜିତିଥିଲେ ସାରଦା । ଲଗାତାର ଦ୍ବିତୀୟ ଥର ପାଇଁ ୨୦୦୯ ମସିହାରେ ବିଜେଡି ଟିକେଟରେ ପୁଣିଥରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

ସାରଦାଙ୍କ ଦକ୍ଷତା ଉପରେ ଭରସା କରିଥିଲେ ମୁଖ୍ୟମନ୍ତ୍ରୀ । ପ୍ରଥମ ଥର ପାଇଁ ନବୀନଙ୍କ ମନ୍ତ୍ରିମଣ୍ଡଳରେ ସେ ସାମିଲ ହୋଇଥିଲେ । ୨୦୦୯ରୁ ୨୦୧୧ ଯାଏ ସେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଭାବେ ଗୁରୁଦାୟିତ୍ୱ ତୁଲାଇଥିଲେ । ୨୦୧୧ରୁ ୨୦୧୨ ଯାଏ ଗୃହନିର୍ମାଣ ଓ ନଗର ଉନ୍ନୟନ ଏବଂ ୨୦୧୨ ଫେବୃଆରୀରୁ ଜୁନ୍ ଯାଏ ୪ ମାସପାଇଁ ଅବକାରୀ ମନ୍ତ୍ରୀ ଭାବେ ସଫଳତାର ସହିତ ଦାୟିତ୍ବ ସମ୍ପାଦନା କରିଥିଲେ

ତେବେ ୨୦୧୪ ମସିହାରେ ବଦଳିଥିଲା ରାଉରକେଲା ରାଜନୀତିର ଚିତ୍ରପଟ୍ଟ । ବିଜେପି ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କଠାରୁ ଅଳ୍ପ ଭୋଟରେ ପରାଜିତ ହୋଇଥିଲେ ସାରଦା । ଦିଲ୍ଲୀପ ରାୟଙ୍କୁ ରାଉରକେଲାବାସୀ ସୁଯୋଗ ସିନା ଦେଲେ, ହେଲେ ପରବର୍ତ୍ତୀ ସମୟରେ ଏଥିପାଇଁ ସେମାନଙ୍କୁ ପସ୍ତାଇବାକୁ ପଡ଼ିଲା । ତୃଣମୂଳସ୍ତରରେ ବିଧାୟକଙ୍କ ନପାଇବା, ଲୋକଙ୍କ ସହିତ ନମିଶିବା ଏବଂ ବିକାଶ କାର୍ଯ୍ୟକୁ ଠପ କରିବା କାରଣରୁ ଦିଲ୍ଲୀପଙ୍କ ପାଖରୁ ମୁହଁ ଫେରାଇଥିଲେ ରାଉରକେଲାବାସୀ । ସେପଟେ ପରାଜୟର ସ୍ବାଦ ଚାଖି ମଧ୍ୟ ଜନସେବାକୁ ଭୁଲିନଥିଲେ କି ଜନତାଙ୍କଠାରୁ ଦୁରେଇନଥିଲେ ସାରଦା ପ୍ରସାଦ । ଲୋକଙ୍କ ପାଖେ ପାଖେ ରହି ସମସ୍ୟା ଶୁଣିଥିଲେ ଏବଂ ସୁଖଦୁଃଖରେ ଭାଗୀଦାର ସାଜୁଥିଲେ ସାରଦା । ଯେଉଁଥିପାଇଁ ପୁଣିଥରେ ୨୦୧୯ ମସିହାରେ ନିଜ ପ୍ରିୟ ନେତାଙ୍କୁ ବିଧାୟକ ଭାବେ ନିର୍ବାଚିତ କରିଥିଲେ ରାଉରକେଲାବାସୀ ।

୨୦୧୯ ସାଧାରଣ ନିର୍ବାଚନ ପରେ ପରେ ମାଡିଆସିଥିଲା କରୋନା ଭୟ । ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ ବିଶ୍ବବାସୀ । ରାଉରକେଲାରେ ମଧ୍ୟ ଖେଳିଯାଇଥିଲା ଆତଙ୍କ । ଏହି ସମୟର ଲୋକଙ୍କ ସହିତ ଛାଇ ଭଳି ରହିଥିଲେ ସାରଦା ପ୍ରସାଦ । କିଭଳି ରାଉରକେଲାବାସୀ ଉନ୍ନତ ଚିକିତ୍ସା ପାଇବେ ସେନେଇ ନିଜେ ଅନୁଧ୍ୟାନ କରୁଥିଲେ । ବୁଲିବୁଲି ଭୋକ ଉପାସରେ ରହୁଥିବା ଲୋକଙ୍କ ପାଖରେ ପହଞ୍ଚି ସହାୟତା ଯୋଗାଇଥିଲେ । ଏଭଳି ସେବା ମନୋଭାବ ତାଙ୍କୁ ବନାଇଦେଇଥିଲା ଇସ୍ପାତ ନଗରୀର ଅତିପ୍ରିୟ ନେତା ।
ସାରଦାଙ୍କ ଉଦ୍ୟମରେ ସମୃଦ୍ଧିର ଶିଖର ଛୁଇଁଛି ରାଉରକେଲା । ତାଙ୍କ ପ୍ରଚେଷ୍ଟାରେ ଆଜି ରାଉରକେଲାକୁ ବିଶ୍ବରେ ମିଳିଛି ସ୍ବତନ୍ତ୍ର ପରିଚୟ । ରାଉରକେଲାରେ ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ ନିର୍ମାଣ ପଛରେ ତାଙ୍କର ରହିଛି ପ୍ରମୁଖ ଭୂମିକା । ଏଥିପାଇଁ ଦିନ ରାତି ଏକ କରି ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ସାକାର ରୂପ ଦେବାରେ ତାଙ୍କ ଅବଦାନ ଅତୁଳନୀୟ । ଏହାଛଡ଼ା ହକି ବିଶ୍ବକପର ସଫଳ ଆୟୋଜନ ପଛରେ ରହିଛି ସାରଦାଙ୍କ ଅଶେଷ ଅବଦାନ । ସହରର ରୂପରେଖ ବଦଳାଇବା ସହ ଏହାକୁ ବିଶ୍ବର ଏକ ପ୍ରମୁଖ ଓ ଆକର୍ଷଣୀୟ ସିଟି ବନାଇବାରେ ସେ ନେଇଛନ୍ତି ଗୁରୁତ୍ବପୂର୍ଣ୍ଣ ଭୂମିକା । ଜିଲ୍ଲାରେ ହକି ଖେଳର ବିକାଶ ସହିତ ମଲ୍ଟିସ୍ପେଶାଲିଟି ହସ୍ପିଟାଲ ନିର୍ମାଣ ହୋଇପାରିବା ତାଙ୍କ କାର୍ଯ୍ୟଦକ୍ଷତାଙ୍କୁ ପ୍ରମାଣ କରିଛି । ରାଉରକେଲା ବିମାନବନ୍ଦର ମଧ୍ୟ ତାଙ୍କ ସଫଳତାର ଅନନ୍ୟ ନିଦର୍ଶନ । ସାରଦାଙ୍କ ନେତୃତ୍ବରେ ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପ ଓ ସାମଗ୍ରିକ ବିକାଶ କ୍ଷେତ୍ରରେ ରାଉରକେଲା ଦେଶରେ ରୋଲ ମଡେଲ ପାଲଟିଛି । ପଶ୍ଚିମ ଓଡ଼ିଶା ରାଜନୀତିରେ ବେଶ୍ ଗୁରୁତ୍ବବହନ କରୁଛନ୍ତି ସାରଦା । ବ୍ରଜରାଜନଗର ଓ ଝାରସୁଗୁଡ଼ା ଉପନିର୍ବାଚନରେ ତାଙ୍କ ସାଂଗଠନିକ ଦକ୍ଷତା ପ୍ରତିପାଦିତ ହୋଇଛି । ବିଜେଡି ଦେଇଥିବା ଦାୟିତ୍ବକୁ ସୁଚାରୁରୂପେ ନିଭାଇ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାରେ ସାରଦା ନେଇଥିଲେ ଗୁରୁତ୍ବପୂର୍ଣ୍ଣ ଭୂମିକା । ଯେଉଁଥିପାଇଁ ଆଗକୁ ମଧ୍ୟ ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରିବ ।

ରାଜନୀତି ନୁହେଁ ସେବାନୀତି । ବିଜୁ ଜନତା ଦଳର ଏହି ନାରାକୁ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି ସାରଦା ପ୍ରସାଦ ନାୟକ । ରାଉରକେଲାର ଉନ୍ନତି ପାଇଁ ସ୍ବପ୍ନ ଦେଖୁଛନ୍ତି ଆଉ ତାକୁ ସାକାର କରିବାକୁ ପଦକ୍ଷେପ ବି ନେଉଛନ୍ତି । ଯେଉଁଥିପାଇଁ ସେ ସାଜିଛନ୍ତି ରାଉରକେଲାବାସୀଙ୍କ ହୃଦୟର ନେତା । ସଭିଙ୍କ ଆପଣାର ସାରଦା ଭାଇ । ତାଙ୍କ ପ୍ରତି ରହିଥବା ଜନସମର୍ଥନ ଓ ରାଉରକେଲାର ବିକାଶ ଗୋଟିଏ କଥା ପ୍ରତିପାଦିତ କରୁଛି, ଆସନ୍ତା ସାଧାରଣ ନିର୍ବାଚନରେ ସାରଦାଙ୍କୁ ପୁଣି ଥରେ ନିର୍ବାଚିତ କରି ଚତୁର୍ଥ ଥର ପାଇଁ ବିଧାନସଭା ପଠାଇବାକୁ ଜନସାଧାରଣ ମନସ୍ଥ କରିସାରିଛନ୍ତି ।

Post Views85 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!