ବିଜେଡି ଆଜି ତାହାର ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ତାଲିକାରେ ଦଳ ନିଜର ମହିଳା ସଂରକ୍ଷଣ କାର୍ଡକୁ ଯେଣତେଣ ପ୍ରକାର ପୂରଣ କରିବାକୁ ପ୍ରୟାସ କରିଛି। ଆଜିର ୯ପ୍ରାର୍ଥୀଙ୍କୁ ମିଶାଇ ବିଜେଡି ସମୁଦାୟ ୧୩୫ ପ୍ରାର୍ଥୀ ତାଲିକା ଘୋଷଣା କରିଛି।
କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିବା ଗଣେଶ୍ୱର ବେହେରାଙ୍କୁ କେନ୍ଦ୍ରାପଡ଼ା, କେନ୍ଦୁଝରର ବିବାଦୀୟ ନେତା ସନାତନ ମହାକୁଡ଼ଙ୍କୁ ଚମ୍ପୁଆ ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡ଼ଚଣା ଆସନରୁ ପ୍ରାର୍ଥୀ କରିଛି।
ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଥିବା ପ୍ରାର୍ଥୀ ତାଲିକା ଅନୁସାରେ ବଡ଼ଚଣାର ନେତା ଅମର ଶତପଥୀଙ୍କୁ କାଟି ସେଠାରୁ ବର୍ଷାଙ୍କୁ ପ୍ରାର୍ଥୀ କରିଛି। ସେହିପରି ଚିଲିକାରୁ ରଘୁନାଥ ସାହୁ, ଆନନ୍ଦପୁରରୁ ଅଭିମନ୍ୟୁ ସେଠୀ, ସାରସକଣାରୁ ଦେବାଶିଷ ମାରାଣ୍ଡି, କରଞ୍ଜିଆରୁ ବାସନ୍ତୀ ହେମ୍ବ୍ରମ, ସିମୁଳିଆରୁ ସୁବାସିନୀ ସାହୁ ଓ ରେମୁଣାରୁ ବିଦୁସ୍ମିତା ମହାଳିକଙ୍କୁ ମଇଦାନକୁ ଓହ୍ଲାଇଛି ଦଳ।

