ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ: ଆସନ୍ତା ୧୬ ରୁ ଲକ୍ଷ୍ମୀପୂଜା ଉତ୍ସବ, ୨୭ ରେ ଭସାଣି

ପୁରୁଣା ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ସୋମେଶ କୁମାର ଉପାୟଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷ ଢେଙ୍କାନାଳ ସହରରେ ଗଜଲକ୍ଷ୍ମୀ ପୂଜା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଜଲକ୍ଷ୍ମୀ ପୂଜା ଆସନ୍ତା ମାସ ୧୬ ତାରିଖରୁ ଆରମ୍ଭ ହେବ ଏବଂ ୨୭ ତାରିଖ ଦିନ ଭସାଣି ଉତ୍ସବ ଅନୁଷ୍ଠିତ ହେବ । ଢେଙ୍କାନାଳର ଗଣପର୍ବ ଗଜଲକ୍ଷ୍ମୀ ପୂଜାକୁ ଶାନ୍ତି ଶୃଙ୍ଖଳା ଓ ଭାଇଚାରା ମଧ୍ୟରେ ଅଧୁକ ସରସ ସୁନ୍ଦର ଭାବେ ଆୟୋଜନ କରି ଢେଙ୍କାନାଳର ସ୍ବତନ୍ତ୍ର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖୁବାକୁ ଜିଲ୍ଲାପାଳ କହିଛନ୍ତି । ସମସ୍ତ ପୂଜା ପ୍ରତିଷ୍ଠାନ ସ୍ୱଚ୍ଛତା ଉପରେ ଅଧିକ ଗୁରୁତ୍ୱ ଦେଇ ଉଦାହରଣ ସୃଷ୍ଟି କରିବାକୁ କହିଛନ୍ତି । ଶିଶୁ, ବୃଦ୍ଧ-ବୃଦ୍ଧା ଏବଂ ହୃଦରୋଗୀମାନଙ୍କର ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଭସାଣି ଉତ୍ସବ ସମୟରେ ଡିଜେ ସାଉଣ୍ଡ ନିୟନ୍ତ୍ରଣ କରି ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା କରାଯିବା ସହିତ ଶାନ୍ତି ଶୃଙ୍ଖଳା ରକ୍ଷା, ରାହାଜାନି ରୋକିବା ଓ ଜନସାଧାରଣଙ୍କ ନିରାପତ୍ତାକୁ ଦ୍ରୁଷ୍ଟିରେ ରଖି ଅଧିକ ସଂଖ୍ୟକ ଆରକ୍ଷୀ ବ୍ୟବସ୍ଥା କରାଯିବ ବୋଲି ଆରକ୍ଷୀ ଅଧୀକ୍ଷକ ଶ୍ରୀ ମଡକର ସନ୍ଦୀପ ସମ୍ପଦ କହିଛନ୍ତି ।

ଲକ୍ଷ୍ମୀ ପୂଜା ଢେଙ୍କାନାଳର ଗଣପର୍ବ, ଏହା ଢେଙ୍କାନାଳର ଗର୍ବ ଓ ଗୌରବର ବିଷୟ । ଏଣୁ ଏହି ପାର୍ବଣକୁ ଶାନ୍ତି ଶୃଙ୍ଖଳାର ସହିତ ଆୟୋଜନ କରି ଉପଭୋଗ କରିବାକୁ ମିଳିତ ବଜାର ଲକ୍ଷ୍ମୀପୂଜା କମିଟିର ସଭାପତି ଶ୍ରୀ ରାମଚନ୍ଦ୍ର ପାତ୍ର ସମସ୍ତଙ୍କର ସ‌ହ‌ଯୋଗ କାମନା କରିଥିଲେ । ସମ୍ପାଦକ ଶ୍ରୀ ପୀତବାସ ସାହୁ ଲକ୍ଷ୍ମୀପୂଜା ପାଳନ ସମ୍ପର୍କିତ ବିବରଣୀ ପାଠ କରିଥିଲେ ।

ଏହି ପୂଜା ସମୟରେ ପ୍ରତ୍ୟେକ ପୂଜା ପ୍ରତିଷ୍ଠାନରେ ପୋଲିସ ମୁତୟନ ସହ ଟ୍ରାଫିକ ନିୟନ୍ତ୍ରଣର ବ୍ୟବସ୍ଥା, ମାଦକଦ୍ରବ୍ୟ ତନଖି ଓ ମଦ୍ୟପମାନଙ୍କୁ ଜବତ, ସହରକୁ ପରିଷ୍କାର ପରିଚ୍ଛନ, ନାଳ ନର୍ଦ୍ଦମା ସଫା, ଷ୍ଟ୍ରୀଟ ଲାଇଟର ବ୍ୟବସ୍ଥା, ଅଧିକ ପାନୀୟ ଜଳ ଯୋଗାଣ, ଡ୍ରେନ ଓ ରାସ୍ତା ମରାମତି, ବୁଲା ଗୋରୁଗାଇ, ଷଣ୍ଢଙ୍କୁ ରାସ୍ତାରୁ ହଟାଯିବା, ରାସ୍ତା ଅବରୋଧ ହଟାଯିବା, ପାକିଂ ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ୨୪ ଘଣ୍ଟିଆ ଆଶୁ ଚିକିତ୍ସା ବ୍ୟବସ୍ଥା ଓ ଜରୁରୀ କାଳୀନ ଚିକିତ୍ସା ସେବା, ବାଜିଚୌକ ସ୍ଥିତ ପୁରୁଣା ଚିକିତ୍ସାଳୟ କାର୍ଯ୍ୟକ୍ଷମ, ଢେଙ୍କାନାଳ ସଂଲଗ୍ନ ଜାତୀୟ ରାଜପଥର ମରାମତି, ପରିସ୍ରାଗାର ପୂର୍ଣ୍ଣ କାର୍ଯ୍ୟକ୍ଷମ, ପୂଜା ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ରାତ୍ରି ୧୨ ଘଟିକା ପର୍ଯ୍ୟନ୍ତ ପୂଜା ଉତ୍ସବ ପାଳନ କରାଯିବ ବୋଲି ବୈଠକରେ ଆଲୋଚନା ହୋଇଥିଲା । ବୈଠକରେ ପ୍ରାରମ୍ଭରେ ସଦର ଉପଜିଲ୍ଲାପାଳ ଶ୍ରୀ ସପନ କୁମାର ନନ୍ଦ ସମସ୍ତଙ୍କୁ ସ୍ବାଗତ କରି ପୂଜା ଆୟୋଜନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।

ଏହି ପ୍ରସ୍ତୁତି ବୈଠକରେ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି ( ସାଧାରଣ ), ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅନୀତା ପାତ୍ର (ରାଜସ୍ବ ), ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଦିଲ୍ଲୀପ କୁମାର ବିଶ୍ୱାଳ, ପୌର ପାଳିକା ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ରଙ୍କ ସମେତ ସମସ୍ତ ପୂଜା ପ୍ରତିଷ୍ଠାନର ସଭାପତି ଓ ସମ୍ପାଦକ, ସମ୍ପୃକ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ସହରର ବୁଦ୍ଧିଜୀବୀଗଣ, ଗଣମାଧ୍ୟମର ପ୍ରତିନିଧୂମାନେ ଉପସ୍ଥିତ ରହି ଲକ୍ଷ୍ମୀପୂଜା ପାଳନ ସମ୍ପର୍କରେ ଆଲୋଚନା କରିଥିଲେ ।
Dhenkanal Laxmipuja preparation meeting 2024

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!