ଖଣ୍ଡଗିରି ପୋଲିସ ନକଲି ଅଧିକାରୀଙ୍କୁ ଗିରଫ କରିଛି। ସେ ହେଲେ ଚନ୍ଦକା ଥାନା ଅନ୍ତର୍ଗତ ଅନ୍ଧାରୁଆ ଗଡସାହିର ବୁନୁ ଜେନା। ନିଜକୁ ବିଏମ୍ସିର ବରିଷ୍ଠ ଅଧିକାରୀ ପରିଚୟ ଦେଇ ପ୍ଲାଷ୍ଟିକ, କପଡ଼ା ଓ ଅନ୍ୟାନ୍ୟ ନିଷିଦ୍ଧ ସାମଗ୍ରୀ ବିକ୍ରି କରୁଥିବା କହି ଫେରି ବେପାରିଙ୍କଠାରୁ ଜରିମାନା ଆଦାୟ କରୁଥିଲେ। ପରେ ରବିବାର ଖଣ୍ଡଗିରି ଥାନା ପୋଲିସ ଲୋକଙ୍କୁ ଡରାଇ ଠକୁଥିବା ଅଭିଯୋଗରେ କୋର୍ଟ ଚାଲାଣ କରିଛି।
ସୂଚନାନୁସାରେ, ଅଭିଯୁକ୍ତ ବୁନୁ ବିଏମ୍ସିର ଜଣେ ଠିକା ଡ୍ରାଇଭର ଭାବେ କାମ କରନ୍ତି। ଖଣ୍ଡଗିରି ଥାନା ଅନ୍ତର୍ଗତ ବରମୁଣ୍ଡା ଓ ଡେଲ୍ଟା ଛକ ଅଞ୍ଚଳର ରାସ୍ତା ପାଶର୍ବରେ କିଛି ଛୋଟ ଛୋଟ ଫେରି ବେପାରି ଏବଂ ଦୋକାନୀ ବିଭିନ୍ନ ପ୍ଲାଷ୍ଟିକ, ଖେଳନା ଓ କପଡା ବେପାର କରିଥାନ୍ତି।
ଗତ କିଛିଦିନ ହେବ ଏହି ଅଞ୍ଚଳରେ ବୁଲି ବୁଲି ବୁନୁ ନିଜକୁ ବିଏମ୍ସି ଅଧିକାରୀ ପରିଚୟ ଦେଉଥିଲେ। ଏହିସବୁ ଜିନିଷ କାହିଁକି ବିକ୍ରି କରୁଛ ଓ ଏହା ଆଇନ ଗ୍ରହଣୀୟ ନୁହେଁ ବୋଲି କହି ସେମାନଙ୍କୁ ଡରାଇ ଜରିମାନା ଆଦାୟ କରୁଥିଲେ।
ଶନିବାର ଜଣେ ମହିଳା ଡେଲ୍ଟା ଛକରେ କପଡା ବିକ୍ରି କରୁଥିବାବେଳେ ବୁନୁ ସେଠାରେ ପହଞ୍ଚତ୍ ଏଭଳି କପଡା ବିକ୍ରି କଲେ ମାମଲା ହେବ କହି ଧମକାଇ ଥିଲେ। ଏଥିପାଇଁ କିଛି ଟଙ୍କା ଦେବାକୁ ପଡିବ କହି ୫ ହଜାର ଟଙ୍କା ନେଇଥିଲେ। କିନ୍ତୁ ମହିଳା ଜଣକ ରସିଦ ମାଗିବାରୁ ସେ ଦେଇପାରି ନ ଥିଲେ।
ଏନେଇ ଉକ୍ତ ମହିଳା ଓ ସେଠାରେ ଥିବା କିଛି ଲୋକଙ୍କ ସନ୍ଦେହ ବଢିବାରୁ ବୁନୁଙ୍କୁ କାବୁ କରି ଖଣ୍ଡଗିରି ଥାନା ପୋଲିସ ଜିମା ଦେଇଥିଲେ। ପୋଲିସ ଅଭିଯୁକ୍ତ ବୁନୁକୁ ଥାନାକୁ ଆଣି ପଚରାଉଚରା କରିବା ପରେ ସେ ବିଏମ୍ସିର କର୍ମଚାରୀ ନ ଥିବା ଜଣାପଡିଥିଲା।

