ମେଡ଼ିକାଲରେ ଦୟନୀୟ ହେଲାଣି ରୋଗୀଙ୍କ ଅବସ୍ଥା । ହିମୋଗ୍ଲୋବିନ୍ କମିଯାଇଥିବା କାହା ପିଲାକୁ ଦିଆଯାଇପାରୁନି ରକ୍ତ ତ ଆଉ କାହାର ଡେଙ୍ଗୁ ଆକ୍ରାନ୍ତ ପିଲାର ଚିକିତ୍ସା ପାଇଁ ସଂଗୃହିତ ହୋଇପାରୁନି ଆବଶ୍ୟକୀୟ ନମୂନା । ଆଜିକୁ ୪ ଦିନ ହେଲା ନର୍ସିଂ ଅଫିସରଙ୍କ ଆନ୍ଦୋଳନ ଯୋଗୁ ପ୍ରଭାବିତ ହେଲାଣି ସ୍ୱାସ୍ଥ୍ୟସେବା । ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ। ରାଜ୍ୟବ୍ୟାପି ସରକାରୀ ମେଡ଼ିକାଲ୍ ଗୁଡ଼ିକ ଆଗରେ ଧାରଣା ଦେଇ ଦାବି ପୂରଣ ପାଇଁ ଅଡ଼ିବସିଛନ୍ତି ନର୍ସିଂ ଅଫିସର ।
ଫଳରେ ବ୍ରହ୍ମପୁରରୁ ସମ୍ବଲପୁର, ପୁରୀରୁ ଯାଜପୁର, ଅଥବା ମାଲକାନଗିରିରୁ ଜଗତସିଂପୁର। ଏସବୁ ଜିଲ୍ଲାରେ ଥିବା ବିଭିନ୍ନ ସରକାରୀ ମେଡ଼ିକାଲ୍ ଗୁଡ଼ିକରେ ଆବଶ୍ୟକୀୟ ରୋଗୀସେବା ନପାଇ ରୋଗୀ ଓ ସଂପର୍କୀୟ ହନ୍ତସନ୍ତ ହେଉଥିବା ଅଭିଯୋଗ କରିଛନ୍ତି।

