ନବୀନଙ୍କୁ ଭେଟିଲେ ଅସନ୍ତୁଷ୍ଟ କର୍ପୋରେଟର

ଏକାମ୍ର ନିର୍ବାଚନ ମଣ୍ଡଳୀର ୨୯ ବିଜେଡି କର୍ପୋରେଟରଙ୍କ ସହ ପ୍ରାୟ ୫ଜଣ ପୂର୍ବତନ କର୍ପୋରେଟର ଶୁକ୍ରବାର ନବୀନ ନିବାସ ଯାଇ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ସେମାନେ ଶାରଦୀୟ ପୂଜାର ଅଭିନନ୍ଦନ ଜଣାଇବା ସହ ଦଳର ଦୁଇ କର୍ପୋରେଟର ତଥା ଭୁବନେଶ୍ୱର-ମଧ୍ୟ ନିର୍ବାଚନମଣ୍ଡଳୀର ଅମରେଶ ଜେନା ଓ ଏକାମ୍ର ନିର୍ବାଚନମଣ୍ଡଳୀର ବିରଞ୍ଚତ୍ ମହାସୁପକାରଙ୍କୁ ନେଇ ମନରେ ରହିଥିବା ଅସନ୍ତୋଷ ପ୍ରକାଶ କରିଛନ୍ତି।

ସମ୍ପୃକ୍ତ ଦୁଇ କର୍ପୋରେଟରଙ୍କ ଉପରେ ଦଳ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ କି ନାହିଁ ସେ ନେଇ ଅବଗତ ହେବା ଏହି ସାକ୍ଷାତର ମୂଳ ଉଦ୍ଦେଶ୍ୟ ବୋଲି ଚର୍ଚ୍ଚା ହେଉଛି। ତେବେ ଦୁଇ କର୍ପୋରେଟରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିବାବେଳେ ଖୁବ୍ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନବୀନ ନିଜଆଡୁ ସୂଚନା ଦେଇଥିବା ଜଣାପଡିଛି। ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ପର୍ଯ୍ୟନ୍ତ ଦଳର କୌଣସି କାର୍ଯ୍ୟରେ ଦୁଇ ନିର୍ବାଚନମଣ୍ଡଳୀର ୩୨ କର୍ପୋରେଟର ଯୋଗଦେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି।

ଶୁକ୍ରବାର ସକାଳେ ସେମାନେ ବିଧାୟକ ଅନନ୍ତ ନାରାୟଣ ଜେନା ଓ ପୂର୍ବତନ ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଭେଟି ଏହି ନିଷ୍ପତ୍ତି ଜଣାଇଛନ୍ତି। ଏନେଇ ଜଣେ କର୍ପୋରେଟର କହିଛନ୍ତି, ସମସ୍ତେ ଦଳୀୟ ଶୃଙ୍ଖଳାରେ ବନ୍ଧା ହୋଇଥିବାବେଳେ ଦୁଇ ବିଦ୍ରୋହୀ କର୍ପୋରେଟର ବାରମ୍ବାର ଦଳ ଏବଂ ଦଳୀୟ ନେତାଙ୍କ ବିରୋଧରେ କାର୍ଯ୍ୟ କରି ଆସୁଛନ୍ତି। ତେଣୁ ଯେ ପର୍ଯ୍ୟନ୍ତ ଦଳ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିଛି, ସେ ପର୍ଯ୍ୟନ୍ତ ଦଳୀୟ କାର୍ଯ୍ୟରୁ ଆମେମାନେ ଦୂରେଇ ରହିବୁ। ସେହିପରି କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିବାକୁ ସେମାନଙ୍କୁ ୧୫ଦିନ ସମୟ ଦିଆଯାଇଛି। ଯଦି ଏହାପରେ କିଛି କାର୍ଯ୍ୟାନୁଷ୍ଠାନ ନିଆ ନ ଯାଏ, ତେବେ ଆମେ ୩୨ କର୍ପୋରେଟର ଚରମ ନିଷ୍ପତ୍ତି ନେବାକୁ ପଛାଇବୁ ନାହିଁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ଶଙ୍ଖଭବନଠାରେ ହୋଇଥିବା ଏକ ବୈଠକରେ ଦଳୀୟ କନ୍ଦଳ ସୃଷ୍ଟି ହୋଇଥିଲା। ଦୁଇ କର୍ପୋରେଟର ଅମରେଶ ଓ ବିରଞ୍ଚତ୍ ବାରମ୍ବାର ଦଳ ବିରୋଧୀ କାମ କରୁଥିବା ଦର୍ଶାଇ ସେମାନଙ୍କ ବିରୋଧରେ ଦୁଇ ନିର୍ବାଚନମଣ୍ଡଳୀର ୩୨ କର୍ପୋରେଟର ମେଳି ବାନ୍ଧିଛନ୍ତି।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!