ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍ସି)ର ପ୍ରଫେସର ଡ. ମୃଣାଳ ଚାଟାର୍ଜୀଙ୍କ ଇଂରାଜୀ ପୁସ୍ତକ ‘ଅଣ୍ଡରଷ୍ଟାଣ୍ଡିଂ ମିଡିଆ ଇନ୍ ନ୍ୟୁ ନର୍ମାଲ ଟାଇମ୍ସ’ ଉନ୍ମୋଚିତ ହୋଇଛି । ବୁଧବାର ଅପରାହ୍ଣରେ ସଂସ୍ଥାନର ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୁସ୍ତକ ଉନ୍ମୋଚନ କରିଛନ୍ତି ଆଇଆଇଏମ୍ସି ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ଡ. ଆନନ୍ଦ ପ୍ରଧାନ, ସହକାରୀ ପ୍ରଫେସର ଡ. ବିରଞ୍ଚି ନାରାୟଣ ସେଠ୍, ଡ. ଚିରସ୍ରୋତା ଜେନା, ଅଧ୍ୟାପକ ସନତ ପାଢ଼ୀ ଓ ଶିକ୍ଷା ସଂଯୋଜକ ଜିତେନ୍ଦ୍ର ପତି ।
କୋଭିଡ୍-୧୯ ବିଶ୍ୱ ମହାମାରୀ ପରବର୍ତ୍ତୀ ଇକୋ ସିଷ୍ଟମ୍ରେ ଡ. ପ୍ରଦୀପ ମହାପାତ୍ରଙ୍କ ଦୃଷ୍ଟିଭଙ୍ଗୀଙ୍କୁ ଏହି ପୁସ୍ତକରେ ଅନୁଶୀଳନ କରିଛନ୍ତି ଡ. ଚାଟାର୍ଜୀ । ଡ. ପ୍ରଦୀପ ମହାପାତ୍ର ଗଣମାଧ୍ୟମ ଓ ସାମ୍ବାଦିକତା ଶିକ୍ଷା କ୍ଷେତ୍ରରେ ଏକ ଜଣାଶୁଣା ନାମ । ଗତ କିଛି ଦିନ ତଳେ ତାଙ୍କର ଦେହାନ୍ତ ହୋଇଥିଲା । ସେ ଗଣ ଯୋଗାଯୋଗ, ଗଣମାଧ୍ୟମ, ସାମ୍ବାଦିକତାର ବିଭିନ୍ନ ଦିଗ ଉପରେ ନିୟମିତ ନିବନ୍ଧ ଲେଖନ୍ତି । ଏହି କ୍ଷେତ୍ରରେ ହେଉଥିବା ପରିବର୍ତ୍ତନ, ବିକାଶ ଓ ନୂଆ ଟେକ୍ନୋଲୋଜି ଉପରେ ମଧ୍ୟ ସେ ଆଲୋଚନା କରନ୍ତି । ଏମିତି କିଛି ନିବନ୍ଧରେ ଡ. ମହାପାତ୍ରଙ୍କ ଦୃଷ୍ଟିକୋଣର ସମୀକ୍ଷା କରିଛନ୍ତି ଡ. ଚାଟାର୍ଜୀ ।
ଏହି ଅବସରରେ ଡ. ଚାଟାର୍ଜୀ କହିଛନ୍ତି, ଆଜିକାଲି ସାରା ବିଶ୍ୱରେ ସାମ୍ବାଦିକତା ପ୍ରତି ଲୋକଙ୍କ ବିଶ୍ୱାସ କମିବାରେ ଲାଗିଛି । ସେହିପରି ସାମ୍ବାଦିକତାର ପରିସର ମଧ୍ୟ ବଢ଼ିଛି । ଡିଜିଟାଲ ମିଡିଆ ପ୍ରତି ଲୋକ ମୁହାଁଉଥିବାବେଳେ ପ୍ରକୃତ ଖବର ପଢ଼ିବାର ରୁଚି କମିଯାଉଛି । ଖବରକୁ ଯେମିତି ଲୋକେ ଦୂରେଇ ଦେଉଛନ୍ତି, ସେମିତି ପରିବର୍ତ୍ତନ ଦେଖିବାକୁ ମିଳୁଛି । ଏମିତି ସ୍ଥିତିରେ ସାମ୍ବାଦିକତା କ୍ଷେତ୍ର ଅନେକ ଆହ୍ୱାନ ସୃଷ୍ଟି କରୁଛି । ଏଣୁ ସାମ୍ବାଦିକତା ଛାତ୍ରଛାତ୍ରୀମାନେ ଉନ୍ନୟନମୂଳକ ସାମ୍ବାଦିକତା ଓ ବାସ୍ତବ ସାମ୍ବାଦିକତାକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

