ସଚିବ ଆସିବେ ବୋଲି ଲୁଚାଇଦେଲେ ଅଚଳ ଭେଣ୍ଟିଲେଟର

ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର ଶୌଚାଳୟରେ ଲୁଚାଇ ରଖାଯାଇଛି ୪୪ ଅଚଳ ଭେଣ୍ଟିଲେଟର୍‌। ଏଥିପାଇଁ କର୍ମଚାରୀମାନେ ଶୌଚାଳୟ ଯିବାରେ ସମସ୍ୟା ଭୋଗୁଛନ୍ତି। ରବିବାର ଦିନ ମୁଖ୍ୟଶାସନ ସଚିବ ଓ ସ୍ବାସ୍ଥ୍ୟ ସଚିବ ଏସ୍‌ସିବି ଗସ୍ତରେ ଆସିବା ପୂର୍ବରୁ ମେଡିସିନ୍‌ ବିଭାଗ ଆଇସିୟୁରେ ଥିବା ୪୪ଟି ଅଚଳ ଭେଣ୍ଟିଲେଟର୍‌କୁ ଶୌଚାଳୟ ଭିତରେ ଲୁଚାଇ ଦିଆଯିବା ଘଟଣା ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ପିଏମ୍‌ କେୟାର ଯୋଜନାରେ ଆସିଥିବା ଏହି ଭେଣ୍ଟିଲେଟର୍‌ଗୁଡ଼ିକ ଆସିବା ଦିନଠାରୁ ଠିକ୍‌ରେ କାମ କରୁ ନଥିବା କୁହାଯାଉଛି। ଭେଣ୍ଟିଲେଟର୍‌ ଅଚଳ ସଂପର୍କରେ ବିଭାଗୀୟ ମୁଖ୍ୟମାନେ ଏସ୍‌ସିବି କର୍ତ୍ତୃପକ୍ଷଙ୍କୁ ବହୁ ପୂର୍ବରୁ ସୂଚିତ କରାଇଥିଲେ ବି କୌଣସି ଠୋସ୍ ପଦକ୍ଷେପ ନିଆଯାଉ ନଥିଲା।

 

ଏସ୍‌ସିବିକୁ କୋଭିଡ୍‌ ସମୟରେ ଭାରତ ସରକାରଙ୍କ ପକ୍ଷରୁ ୫୦ରୁ ଅଧିକ ଭେଣ୍ଟିଲେଟର୍‌ ଯୋଗାଇ ଦିଆଯାଇଥିଲା। ସେଥିରୁ ମେଡିସିନ୍‌ ବିଭାଗକୁ ୪୪ଟି ଭେଣ୍ଟିଲେଟର୍‌ ଦିଆଯାଇଥିଲା। କିନ୍ତୁ ଆସିବା ଦିନରୁ ଏଥିରେ ତ୍ରୁଟି ପରିଲକ୍ଷିତ ହେଉଥିଲା। ଅଚଳ ହୋଇପଡ଼ିଥିବା ଭେଣ୍ଟିଲେଟର୍‌ଗୁଡ଼ିକୁ ସଜାଡ଼ିବା ପାଇଁ କେଟିପିଏଲ୍‌ ସଂସ୍ଥାକୁ ଦିଆଯାଇଥିଲା। ସଂପୃକ୍ତ ସଂସ୍ଥା ମଧ୍ୟ ବିଭିନ୍ନ ପର୍ଯ୍ୟାୟରେ ବାରମ୍ବାର ସଜାଡ଼ିଥିଲେ ବି କିଛି ମିନିଟ୍‌ ପାଇଁ ଚାଲିବା ପରେ ପୁଣି ଅଚଳ ହୋଇପଡୁଥିଲା। ‌କୋଭିଡ୍‌ ହସ୍ପିଟାଲ ବନ୍ଦ ପରେ ସେହି ଭେଣ୍ଟିଲେଟର୍‌ଗୁଡ଼ିକ ୬ମାସରୁ ଅଧିକ ସମୟ ଧରି ଗଦା ହୋଇ ଗୋଟିଏ କୋଠାରୀରେ ପକାଇ ରଖାଗଲା। ଫଳରେ ସଂପୂର୍ଣ୍ଣ ଅଚଳ ହୋଇଗଲା। ଏ ସଂପର୍କରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ବିଧାନସଭାରେ ପ୍ରସଙ୍ଗ ଉଠିଥିଲା। ଠିକ୍‌ ପରଦିନ ଅର୍ଥାତ୍‌ ରବିବାର ମୁଖ୍ୟ ଶାସନ ସଚିବ ଓ ସ୍ବାସ୍ଥ୍ୟ ସଚିବ ଏସ୍‌ସିବି ଆସିବେ ବୋଲି ଘୋଷଣା ହେବା ପରେ ଏହି ଅଚଳ ଭେଣ୍ଟିଲେଟର୍‌ଗୁଡ଼ିକୁ ତରବରିଆ ଭାବେ ଶୌଚାଳୟରେ ଲୁଚାଇ ଦିଆଯାଇଥିଲା। ଏ ସଂପର୍କରେ ଏସ୍‌ସିବି କୁଳସଚିବ କିଛି କହି ନଥିଲେ ବି ଜଣେ ବରିଷ୍ଠ ବିଶେଷଜ୍ଞ କିନ୍ତୁ ଏହାକୁ ସ୍ବୀକାର କରିଛନ୍ତି ।

Post Views18 Total Count

Apply Now


This will close in 0 seconds

error: Content is protected !!