କୃଷି ବିକାଶକୁ ବଳ ଦେଉଛି ଜଳସେଚନ

ଯେ କୌଣସି ଅଞ୍ଚଳର କୃଷି ବିକାଶ ଓ ସାମଗ୍ରିକ ପ୍ରଗତି ପାଇଁ ଜଳ ଉପଲବ୍ଧତା ଏକ ମୌଳିକ ଆବଶ୍ୟକତା। ସୁତରାଂ ସମଗ୍ର ରାଜ୍ୟରେ ଜଳସେଚନ ଭିତ୍ତିଭୂମିର ସମ୍ପ୍ରସାରଣ ଓ ଆଧୁନିକୀକରଣ ପାଇଁ ଓଡ଼ିଶା ସରକାର ବ୍ୟାପକ ପୁଞ୍ଜିନିବେଶ କରୁଛନ୍ତି। ବିଶେଷ କରି ଡ୍ୟାମ୍‌, ବ୍ୟାରେଜ୍‌, କେନାଲ ଓ ଚେକ୍‌ଡ୍ୟାମ୍‌ ନିର୍ମାଣକୁ ସରକାର ପ୍ରାଥମିକତା ଦେଇଛନ୍ତି।ଉଭୟ ଖରିଫ ଓ ରବି ଫସଲ ଋତୁରେ ଚାଷଜମିକୁ ଜଳ ସୁନିଶ୍ଚିତ କରିବା ପାଇଁ ‘ଜଳକ୍ଳିଷ୍ଟ ଅଞ୍ଚଳରେ ଭୂତଳ ଜଳର ପୋଷଣୀୟ ବିନିଯୋଗ’ ଯୋଜନାରେ ₹୩୬୪.୪୦ କୋଟିର ଖର୍ଚ୍ଚକୁ  ମଞ୍ଜୁର କରିଛି।

ଏଥିରେ କ୍ଲଷ୍ଟର ଭିତ୍ତିରେ ଅଗଭୀର ନଳକୂପ ଖନନ ସହ ସୌର ଶକ୍ତିରେ ଜଳ ଉତ୍ତୋଳନ ବ୍ୟବସ୍ଥା ଦ୍ୱାରା ଉତ୍ପାଦନ ଓ ଚାଷୀଙ୍କ ଆୟ ବୃଦ୍ଧି ପାଇବ। ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହେଉଥିବା ବୃହତ୍‌ ଉଠା ଜଳସେଚନ ଯୋଜନାର ଲକ୍ଷ୍ୟ ହେଉଛି, ବୃହତ୍‌ ଓ ମଧ୍ୟମ ଜଳସେଚନ ପ୍ରକଳ୍ପର ସମ୍ଭାବନାକୁ ଉପଯୋଗ କରି ଚାଷ ଜମିକୁ ନିୟମିତ
ଜଳଯୋଗାଣକୁ ସୁନିଶ୍ଚିତ କରାଇବା। ସେହିପରି ଜଳର ସୁଦକ୍ଷ ବ୍ୟବହାରର ଆବଶ୍ୟକତାକୁ ହୃଦୟଙ୍ଗମ କରି ବୁନ୍ଦା ଜଳସେଚନ ଓ ଛଟା ଜଳସେଚନ ପରି ସୂକ୍ଷ୍ମ ଜଳସେଚନ କୌଶଳକୁ ମଧ୍ୟ ପ୍ରୋତ୍ସାହନ ଦେଉଛନ୍ତି ସରକାର।

ଅପରପକ୍ଷେ, ବୈଷୟିକ ପ୍ରଗତିକୁ ଗ୍ରହଣ କରି ସରକାର ଜଳସେଚନର ଦକ୍ଷତା ବୃଦ୍ଧି ପାଇଁ ଆଧୁନିକ ଯନ୍ତ୍ରପାତି ଓ ଜ୍ଞାନକୌଶଳକୁ ସମନ୍ବିତ କରିଛନ୍ତି। ରିମୋଟ୍‌ ସେନ୍ସିଂ, ଭୌଗୋଳିକ ସୂଚନା ପ୍ରଣାଳୀ(ଜିଆଇଏସ୍‌) ଓ ଉପଗ୍ରହ ଚିତ୍ରର ଉପଯୋଗ କରି ଜଳ ଉପଲବ୍‌ଧତା ଓ ଫସଲ ସ୍ବାସ୍ଥ୍ୟଉପରେ ଜଳସଂପଦ ବିଭାଗ ଗୁରୁତ୍ବ ଦେଉଛି।

ମୃତ୍ତିକା ଆର୍ଦ୍ରତା ସେନ୍ସର ଓ ପାଣିପାଗ ପୂର୍ବାନୁମାନ କରି ହେଉଥିବା ସ୍ବୟଂଚାଳିତ ଜଳସେଚନ ପ୍ରଣାଳୀ ଦ୍ବାରା ଜଳ ବ୍ୟବହାରକୁ ସର୍ବାଧିକ ଅନୁକୂଳ କରାଯିବା ସହ ଜଳକ୍ଷତିକୁ ହ୍ରାସ କରିବାରେ ଏହା ସହାୟକ ହୋଇପାରୁଛି ବୋଲି ବିଭାଗ ମତ ରଖେ। ରାଜ୍ୟ ସରକାରଙ୍କ ଜଳସେଚନ ପଦକ୍ଷେପର ସଫଳତା ଅନ୍ତର୍ନିହିତ ଭାବେ କୃଷକଙ୍କ କଲ୍ୟାଣ ଓ ସଶକ୍ତୀକରଣ ସହ ଜଡ଼ିତ। ଭରସାଯୋଗ୍ୟ ଜଳସେଚନ ସୁବିଧା ଯୋଗାଇଦେବା ଫଳରେ ବର୍ଷା ଆଧାରିତ କୃଷି ସହ ଜଡ଼ିତ ବିପଦ ହ୍ରାସ ହୋଇଛି।

ଏଥି ସହିତ ଲିଙ୍ଗ-ସମ୍ବେଦନଶୀଳ ଜଳସେଚନ ପଦକ୍ଷେପ ସରକାରଙ୍କ ସ୍ବତନ୍ତ୍ର ଧ୍ୟାନ ହିଁ ମହିଳା କୃଷିଜୀବହୀମାନଙ୍କୁ ସଶକ୍ତ କରିପାରିଛି। ସେମାନଙ୍କୁ କୃଷି କାର୍ଯ୍ୟକଳାର ଓ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସକ୍ରିୟ ଅଂଶଗ୍ରହଣ କରିବାକୁ ସକ୍ଷମ କରିପାରିଛି।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!