ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଛାତ୍ର କଂଗ୍ରେସ ସଭାପତି  ଗିରଫ

ମୃଦୁ ପାନୀୟରେ ନିଶା ଦେଇ ହୋଟେଲ୍‌ରେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ପୁଲିସ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କୁ ଗିରଫ କରିଛି। ମଞ୍ଚେଶ୍ବର ଥାନା ପୁଲିସ ଆଜି ରାତିରେ ଉଦିତଙ୍କୁ ଉଠାଇ ନେଇଛି। ଆସନ୍ତାକାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି।  ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ଚଳିତ ବର୍ଷ ମାର୍ଚ୍ଚ ୧୮ତାରିଖ ଅପରାହ୍ନରେ ସେ, ତାଙ୍କର ଜଣେ ବାନ୍ଧବୀ ଓ ଜଣେ ସହପାଠୀଙ୍କ ସହ ମିଶି ମାଷ୍ଟରକ୍ୟାଣ୍ଟିନ୍‌ ଛକକୁ ବୁଲିବାକୁ ଯାଇଥିଲେ। ସେଠାରେ ସହପାଠୀଜଣକ ଉଦିତ ପ୍ରଧାନଙ୍କୁ ସେମାନଙ୍କ ସହ ପରିଚିତ କରାଇଥିଲେ। ଏହାପରେ ଉଦିତଙ୍କ ଗାଡ଼ିରେ ସେମାନେ ନୂଆପଲ୍ଲୀସ୍ଥିତ ଏକ ହୋଟେଲକୁ ଯାଇଥିଲେ।

ହୋଟେଲ୍‌ରେ ସେମାନେ ମଦ ପିଇଥିଲେ। କିନ୍ତୁ ପୀଡ଼ିତା ମଦ ପିଇବାକୁ ମନା କରିଥିଲେ। ତେଣୁ ଉଦିତ ତାଙ୍କୁ ମୃଦୁପାନୀୟ ପିଇବାକୁ କହିଥିଲା। ସେ କୌଶଳକ୍ରମେ ସେଥିରେ କୌଣସି ନିଶା ମିଶାଇ ତାଙ୍କୁ ପିଇବାକୁ ଦେଇଥିଲା। ମୃଦୁ ପାନୀୟ ପିଇବାର କିଛି ସମୟ ପରେ ତାଙ୍କ ମୁଣ୍ଡ ଘୂରାଇ ଦେଇଥିଲା। ତେଣୁ ତୁରନ୍ତ ଘରେ ଛାଡ଼ିଦେବାକୁ ସେ କହିଥିଲେ। ମାତ୍ର ଉଦିତ ଓ ଅନ୍ୟମାନେ ତାଙ୍କୁ ଯିବାକୁ ଦେଇ ନଥିଲେ। ଏହାପରେ ସେ ସଂଜ୍ଞାହୀନ ହୋଇପଡ଼ିଥିଲେ। ତାଙ୍କର ହୋସ୍‌ ଫେରିବା ବେଳକୁ ସେ ଦେଖିଲେ ଯେ ଉଦିତ ତାଙ୍କ ସହିତ କିଛି ଖରାପ କାମ କରିଛି। ପରେ ସେ ବୁଝିଲେ ଯେ ଉଦିତ ତାଙ୍କୁ ଦୁଷ୍କର୍ମ କରିଛି। ଏନେଇ ସେ ପଚାରିବାରୁ ଉଦିତ ତାଙ୍କୁ ଧମକ ଦେଇଥିଲେ। ଅଭିଯୋଗ କଲେ, ତାଙ୍କୁ ଭୟଙ୍କର ପରିଣତି ଭୋଗିବାକୁ ପଡ଼ିବ ବୋଲି କହିଥିଲେ। ଉଦିତ ଜଣେ ଛାତ୍ରନେତା ହୋଇଥିବାରୁ ପୀଡ଼ିତା ଡରିଯାଇଥିଲେ ଏବଂ ନିରବ ରହିବାକୁ ବାଧ୍ୟ ହୋଇଥିଲେ ବୋଲି ଏତଲାରେ ଦର୍ଶାଇଛନ୍ତି। ଦୁଷ୍କର୍ମ ଅଭିଯୋଗ ପରେ ମଞ୍ଚେଶ୍ବର ଥାନା ପୁଲିସ ଉଦିତଙ୍କୁ ରାତି‌ରେ ଉଠାଇ ନେଇଛି। ଏହି ଖବର ପାଇ ଉଦିତଙ୍କ ପରିବାର ଏବଂ ଛାତ୍ର କଂଗ୍ରେସର ପ୍ରାୟ ୫୦ଜଣ ମଞ୍ଚେଶ୍ବର ଥାନା ସମ୍ମୁଖରେ ଏକାଠି ହୋଇଛନ୍ତି। ପୁଲିସ ସେମାନଙ୍କୁ ଭିତରକୁ ଯିବାକୁ ଦେଉନି।

Post Views38 Total Count

Apply Now


This will close in 0 seconds

error: Content is protected !!