ଶିମଲା ଜିଲ୍ଲାର କୁପଭି ଉପଖଣ୍ଡରେ ଥିବା ଏକ ଗାଁରୁ ରୋଗୀଜଣକ ଆସିଥିଲେ। ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବା ପରେ ସେ IGMCରେ ପହଞ୍ଚିଥିଲେ। ସେ ଅଭିଯୋଗ କରିଛନ୍ତି ଯେ, ଡାକ୍ତର ତାଙ୍କୁ ଅପାମନିତ କଲା ଭଳି କଥା କହିଥିଲେ। ସମ୍ମାନ ଦେଇ କଥା କୁହନ୍ତୁ ବୋଲି କହିବାରୁ ଡାକ୍ତର ରୋଗୀଙ୍କୁ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଛି।
ଘଟଣା ପରେ ତୁରନ୍ତ ରୋଗୀଙ୍କ ପରିବାର ଏବଂ ସମ୍ପର୍କୀୟମାନେ ହସ୍ପିଟାଲ ପରିସର ବାହାରେ ପହଞ୍ଚି ପ୍ରତିବାଦ କରିଥିଲେ। ସ୍ଲୋଗାନ ଦେବା ସହ ଅଭିଯୁକ୍ତ ଡାକ୍ତରଙ୍କୁ ତୁରନ୍ତ ନିଲମ୍ବନ କରିବାକୁ ଦାବି କରିଥିଲେ। କଡ଼ା ପ୍ରତିକ୍ରିୟା ପ୍ରକାଶ କରି ସ୍ୱାସ୍ଥ୍ୟମନ୍ତ୍ରୀ ଧନୀ ରାମ ଶାଣ୍ଡିଲ କହିଛନ୍ତି ଯେ, “ଏପରି ଆଚରଣ ଗ୍ରହଣୀୟ ନୁହେଁ ଏବଂ ଏହା ଡାକ୍ତରୀ ବୃତ୍ତିର ନୀତିଶାସ୍ତ୍ର ବିରୁଦ୍ଧରେ। ଏପରି ଆଚରଣକୁ ବରଦାସ୍ତ କରାଯିବ ନାହିଁ। ସ୍ୱାସ୍ଥ୍ୟ ସଚିବ, IGMC ମେଡିକାଲ୍ ସୁପରିଣ୍ଟେଣ୍ଡେଣ୍ଟ ଏବଂ ପ୍ରିନ୍ସିପାଲଙ୍କୁ ସ୍ପଷ୍ଟୀକରଣ ପାଇଁ ସମନ ପଠାଯାଇଛି। ଏକ ବିସ୍ତୃତ ତଦନ୍ତ କରାଯିବ, ଏବଂ ଏପରି ଘଟଣାର ଯେମିତି ପୁନରାବୃତ୍ତି ନହୁଏ ସେଥିପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

