ବିଜେପି ରାଜ୍ୟସଭା ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କଲେ ଦେବାଶିଷ ସାମନ୍ତରାୟ

ଆଜି ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ। ଆଜି ସେ ୩ ସେଟର ନାମାଙ୍କନ ଦାଖଲ କରିଛନ୍ତି। ଏହି ସମୟରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିହଦେଓ, ମନ୍ତ୍ରୀ ସୁରେଶ ପୂଜାରୀ, ଡକ୍ଟର ମୁକେଶ ମହାଲିଙ୍ଗ, କୃଷ୍ଣଚନ୍ଦ୍ର ପାତ୍ର, ସୂର୍ଯ୍ୟବଂଶୀ ସୂରଜ, ବିଧାୟକ ଆକାଶ ଦାସନାୟକ,ଲକ୍ଷ୍ମଣ ବାଗ, ଡକ୍ଟର ଦୁର୍ଗାପ୍ରସନ୍ନ ସାହୁ, ଆଶ୍ରିତ ପଟ୍ଟନାୟକ ଓ ସରୋଜ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ| ଏହାପୂର୍ବରୁ ଦେବାଶିଷ ସାମନ୍ତରାୟ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ନେତାମାନଙ୍କୁ ଭେଟିଥି‌ଲେ। ଏହି ଅବସରରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଦେବାଶିଷ ମିଶିବା ପରେ ବିଜେପିର ଶକ୍ତ ବଢ଼ିଛି। ଅନ୍ୟ କେତେକ ନେତା ବି ଦଳରେ ମିଶିବେ।

ଉଲ୍ଲେଖଯୋଗ୍ୟ, ରାଜ୍ୟସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ନିଜର ପ୍ରାର୍ଥୀଙ୍କ ନାମ ଗୁରୁବାର ଘୋଷଣା କରିଛି। ଦେବାଶିଷ ସାମନ୍ତରାୟଙ୍କ ନାମରେ ବିଜେପି ମୋହର ମାରିଥିଲା। ଫଳରେ ଦେବଶିଷ ବିଜେପିର ପ୍ରାର୍ଥୀ ହୋଇଛନ୍ତି। ବିଜେପିରୁ ଟିକଟ ମିଳିବା ପରେ ଦେବାଶିଷ ସାମନ୍ତରାୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ବିଜେପି ମୋ ଉପରେ ଭରସା ରଖିଛି। ରାଜ୍ୟର ବିକାଶ ପାଇଁ ଯାହା ଦରକାର ତାହା କରିବି। 
ସୂଚନାଯୋଗ୍ୟ, ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ୨୭ଟି ରାଜ୍ୟସଭା ଆସନ ଓ ୩ଟି ରାଜ୍ୟରେ ବିଧାନ ପରିଷଦ ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ସୋମବାର ଘୋଷଣା ହୋଇଥିବା କାର୍ଯ୍ୟସୂଚୀ ଅନୁଯାୟୀ ଜୁନ୍‌ ୧୮ରେ ମତଦାନ ଅନୁଷ୍ଠିତ ହେବ। ନିର୍ବାଚନ କମିସନ ଅନୁଯାୟୀ, ସମସ୍ତ ନିର୍ବାଚନ ପାଇଁ ମତଦାନ ଜୁନ୍ ୧୮ ତାରିଖ ସକାଳ ୮ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଭୋଟ ଗଣତି ସେହି ଦିନ ସନ୍ଧ୍ୟା ୫ଟାରୁ କରାଯିବ।
ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ ଜୁନ୍ ୧ ତାରିଖ ସକାଳ ୧୧ ଟାରୁ ଆରମ୍ଭ ହୋଇଯାଇଛି। ନାମାଙ୍କନ ଦାଖଲର ଶେଷ ତାରିଖ ଜୁନ୍ ୮ ତାରିଖ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ରହିଛି। ନାମାଙ୍କନ ଯାଞ୍ଚ ଜୁନ୍ ୯ ତାରିଖ ଓ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଜୁନ୍ ୧୧ ତାରିଖ ରହିଛି। ଭୋଟ୍ ଗ୍ରହଣ ଜୁନ୍ ୧୮ ତାରିଖ ସକାଳ ୮ ଟାରୁ ଅପରାହ୍ଣ ୪ ଟା ପର୍ଯ୍ୟନ୍ତ ଓ ଭୋଟ୍ ଗଣତି ସେହି ଦିନ ସନ୍ଧ୍ୟା ୫ ଟାରୁ ଆରମ୍ଭ ହେବ। ଇସିଆଇ ଆହୁରି କହିଛନ୍ତି ଯେ, ରାଜ୍ୟସଭାର ୧୦ଟି ରାଜ୍ୟର ୨୪ଟି ଆସନରେ ଦ୍ୱିବାର୍ଷିକ ନିର୍ବାଚନ ଅନୁଷ୍ଠିତ ହେବ। ମହାରାଷ୍ଟ୍ର, ତାମିଲନାଡୁ ଓ ଓଡ଼ିଶାରେ ୩ଟି ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ। ଏହି ସମୟରେ ବିହାରର ନଅଟି ଆସନ ପାଇଁ ରାଜ୍ୟ ବିଧାନସଭା ପରିଷଦ ପାଇଁ ଦ୍ୱିବାର୍ଷିକ ନିର୍ବାଚନ ଅନୁଷ୍ଠିତ ହେବ ଓ ଗୋଟିଏ ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ। କର୍ଣ୍ଣାଟକରେ ବିଧାନସଭା ପରିଷଦର ସାତଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। 

Post Views50 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!