ବିଭିନ୍ନ ସହରାଞ୍ଚଳ ଦେଇ ପ୍ରବାହିତ ହୋଇଥିବା ନଦୀଗୁଡ଼ିକର ତଟ ଏବଂ ସହର ଭିତରେ ଥିବା ଜଳଭଣ୍ଡାରଗୁଡ଼ିକର ବିକାଶ କରାଯିବ। ଏଗୁଡ଼ିକୁ ପୁନର୍ଜୀବିତ କରିବା ସହ ପାରିପାର୍ଶ୍ବିକ ପରିବେଶକୁ ସୁଗମ ଓ ସାର୍ବଜନୀନ କରାଯିବ। ଅର୍ଥାତ୍ ନଦୀକୂଳ ଓ ପୁଷ୍କରିଣୀ କୂଳରେ ସହରବାସୀ ଯେପରି ଅଧିକ ସମୟ ବିତାଇପାରିବେ ସେଥିପାଇଁ ରାଜ୍ୟ ସରକାର ‘ଜଳତଟ ବିକାଶ ଯୋଜନା’ ଆରମ୍ଭ କରିବେ। ଏଥିପାଇଁ ୫ବର୍ଷରେ ୫୦୦କୋଟି ଟଙ୍କା ଖର୍ଚ୍ଚ କରାଯିବ। କେଉଁ ସହରାଞ୍ଚଳରେ କେଉଁ ନଦୀ, ଜଳଭଣ୍ଡାରର ଉନ୍ନତୀକରଣ କରାଯିବ ତାହା ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସ୍ଥିର କରିବ। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ୍ରେ ୫ଟି ବିଭାଗର ୧୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିଥିବାବେଳେ ଏଥିରେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ୪ଟି, ଶିଳ୍ପ ବିଭାଗର ୨ଟି, ଜଳସମ୍ପଦ ବିଭାଗର ୨ଟି, ରାଜସ୍ବ ବିଭାଗର ଗୋଟିଏ ଏବଂ ପର୍ଯ୍ୟଟନ ବିଭାଗର ଗୋଟିଏ ପ୍ରସ୍ତାବ ରହିଛି।
କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ ସଚିବ ଅନୁ ଗର୍ଗ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟ ସରକାର ସହରାଞ୍ଚଳର ଭିତ୍ତିଭୂମି ସୁଦୃଢ କରିବା ଏବଂ ସହରାଞ୍ଚଳବାସୀଙ୍କୁ ଏକ ସ୍ବାସ୍ଥ୍ୟକର ପରିବେଶ ଯୋଗାଇବା ପାଇଁ ଜଳତଟ ବିକାଶ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ସହରାଞ୍ଚଳବାସୀଙ୍କ ଜୀବନର ଗୁଣବତ୍ତା ବୃଦ୍ଧି କରିବା ସହ ପରିବେଶଗତ ସନ୍ତୁଳନକୁ ପୁନରୁଦ୍ଧାର କରାଯାଇପାରିବ। ଏଥିରେ ପର୍ଯ୍ୟଟନ, ଐତିହ୍ୟ, ସାଂସ୍କୃତିକ କାର୍ଯ୍ୟକଳାପ, ସ୍ଥାନୀୟ କଳା, ପାରମ୍ପରିକ ଅଭ୍ୟାସ ଏବଂ ସ୍ଥାନୀୟ ଆର୍ଥିକ ବିକାଶକୁ ପ୍ରୋତ୍ସାହିତ କରାଯିବ। ଏହା ଦ୍ବାରା ଉନ୍ନତ ବନ୍ୟା ପରିଚାଳନା ଏବଂ ଉନ୍ନତ ଭିତ୍ତିଭୂମି ସୃଷ୍ଟି କରାଯାଇପାରିବ।
ସେହିପରି ନଗର ଉନ୍ନୟନ ବିଭାଗ ପକ୍ଷରୁ ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଇଡବ୍ଲ୍ୟୁଏସ୍ ଘର ପାଇଁ ପଞ୍ଜୀକରଣ ଫି’ ଏବଂ ଷ୍ଟାମ୍ପ ଡ୍ୟୁଟି ୦.୬%ରୁ ୦.୭% କରିଛନ୍ତି। ଏହା ମହିଳାଙ୍କ କ୍ଷେତ୍ରରେ ୦.୬% ଏବଂ ପୁରୁଷଙ୍କ କ୍ଷେତ୍ରରେ ୦.୭% ଲାଗୁ ହେବ। ଏହା ମୁଖ୍ୟତଃ ୬୦ ବର୍ଗମିଟରରୁ କମ୍ ଅର୍ଥାତ୍ ୬୪୫.୮୩୫ବର୍ଗଫୁଟରୁ କମ୍ ଘର ପାଇଁ ଲାଗୁ ହେବ। ଏବେ ରାଜ୍ୟରେ ଘର ପଞ୍ଜୀକରଣ ଫି’ ଓ ଷ୍ଟାମ୍ପ ଡ୍ୟୁଟି ବାବଦକୁ ୬%ରୁ ୭% ଆଦାୟ ହେଉଥିବାବେଳେ ରାଜ୍ୟ ସରକାରଙ୍କ ନୂଆ ନିଷ୍ପତ୍ତି ପରେ ଗରିବ ଲୋକଙ୍କୁ ଏହାର ଏକ ଦଶମାଂଶ ଫି’ ଦେବାକୁ ହେବ।
କ୍ୟାବିନେଟ୍ରେ ୧୦ ପ୍ରସ୍ତାବକୁ ମୋହର

