ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଆଜ ଜନ୍ମଦିନ । ୬୮ ବର୍ଷ ବୟସରେ ପାଦ ଥାପିଛନ୍ତି ଦ୍ରୌପଦୀ ମୁର୍ମୁ । ନିଜ ଜନ୍ମମାଟିରେ ହିଁ ଜନ୍ମଦିନକୁ ପାଳନ କରୁଛନ୍ତି । ଏଥିପାଇଁ ଗତକାଲିଠୁ ସେ ମୟୂରଭଞ୍ଜକୁ ଆସିଛନ୍ତି। ଜନ୍ମଦିନରେ ଛୋଟ ପିଲାଙ୍କୁ ଚକଲେଟ ବାଣ୍ଟିଛନ୍ତି ରାଷ୍ଟ୍ରପତି । ଘରୁ ବାହାରିବା ବେଳେ ଜନ୍ମ ଦିନର ଶୁଭେଚ୍ଛା ଜଣାଇବା ପରେ ରାଷ୍ଟ୍ରପତି ଗାଡ଼ିରେ ନ ବସି ସମସ୍ତଙ୍କୁ ଚକଲେଟ ଦେବାକୁ କହିଥିଲେ। ଏପରିକି ରାସ୍ତା ଅପରପାର୍ଶ୍ଵକୁ ଆସି ନିଜେ ଛୋଟ ପିଲାଙ୍କୁ ଚକଲେଟ ଦେଇଥିଲେ । ଏବେ ପାହାଡ଼ପୁରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହୁଲଡିହା ଘରୁ ବାହାରିସ୍ୱତନ୍ତ୍ର ହେଲିକପ୍ଟରରେ ଯାଇ ପାହାଡ଼ପୁରରେ ପହଞ୍ଚିଛନ୍ତି । ସେପଟେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ ଶୁଭଚ୍ଛାର ସୁଅ ଛୁଟୁଛି । ଏକ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଜ୍ୟପାଳ ଡ. ହରିବାବୁ କମ୍ଭମପତି ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।
ଏକ୍ସରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇ ଲେଖିଛନ୍ତି, ”ସାହସ, ସରଳତା, ନମ୍ରତା ଏବଂ ଜନସେବା ପ୍ରତି ଅଟଳ ପ୍ରତିବଦ୍ଧତାରେ ପରିପୂର୍ଣ୍ଣ ତାଙ୍କର ଜୀବନ ଯାତ୍ରା ସାରା ଦେଶକୁ ପ୍ରେରଣା ଦେଇଛି।ତାଙ୍କ ଦୀର୍ଘ କାର୍ଯ୍ୟକାଳ ମଧ୍ୟରେ, ସେ ଦେଶ ପାଇଁ ସ୍ୱତନ୍ତ୍ର ଭାବରେ ସେବା କରିଛନ୍ତି। ବିଶେଷ ଭାବରେ ବଞ୍ଚିତ ଏବଂ ଅବହେଳିତ ଲୋକଙ୍କ କଲ୍ୟାଣ ପାଇଁ ଉତ୍ସର୍ଗୀକୃତ ହୋଇଛନ୍ତି । ଭାରତର ବିକାଶ ପ୍ରତି ତାଙ୍କର ଅଟଳ ସମର୍ପଣ ଭାବ ଅତ୍ୟନ୍ତ ପ୍ରେରଣାଦାୟକ।”
ଦ୍ରୌପଦୀ ମୁର୍ମୁଙ୍କ ଜନ୍ମ ୨୦ ଜୁନ୍ ୧୯୫୮ ମସିହାରେ ଓଡ଼ିଶାର ରାଇରଙ୍ଗପୁରର ବୈଦାପୋସି ଅଞ୍ଚଳର ଉପରବେଡା ଗ୍ରାମରେ ଏକ ସାନ୍ତାଳୀ ପରିବାରରେ ହୋଇଥିଲା । ତାଙ୍କ ପିତା ବିରଞ୍ଚି ନାରାୟଣ ଟୁଡୁ ଜଣେ ଚାଷୀ ଥିଲେ । ଉପରବେଡାର ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ଅଧ୍ୟୟନ କରିଥିଲେ। ପାଞ୍ଚ ବର୍ଷ ବୟସରେ, ସେ ଉଚ୍ଚଶିକ୍ଷା ପାଇଁ ଭୁବନେଶ୍ୱର ଚାଲିଆସିଥିଲେ। ସେ ବାଳିକା ଉଚ୍ଚ ବିଦ୍ୟାଳୟ ୟୁନିଟ୍-୨ ରୁ ମାଧ୍ୟମିକ ଶିକ୍ଷା ସମାପ୍ତ କରିଥିଲେ, ଏବଂ ରମା ଦେବୀ ମହିଳା ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ ।୧୯୮୦ରେ ସେ ବ୍ୟାଙ୍କର ଶ୍ୟାମ ଚରଣ ମୁର୍ମୁଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇ ପୁଅ ସିପୁନ୍ ଏବଂ ଲକ୍ଷ୍ମଣ ଝିଅ ଇତିଶ୍ରୀ ମୁର୍ମୁ ଥିଲେ । ତାଙ୍କ ସ୍ୱାମୀ ଏବଂ ପୁଅ ସିପୁନ୍ ଏକ ସଡ଼କ ଦୁର୍ଘଟଣାରେ ଆରପାରିକୁ ଚାଲିଯାଇଥିଲେ । ଲକ୍ଷ୍ମଣଙ୍କର ରହସ୍ୟମୟ ପରିସ୍ଥିତିରେ ମୃତ୍ୟୁ ଘଟିଥିଲା । ମହାମିହମଙ୍କ ଜୀବନ କାହାଣୀ କୌଣସି ପ୍ରେରଣାଠୁ କମ୍ ନୁହେଁ । ଜୀବନରେ ଏତେ ବାଧାବିଘ୍ନର ସାମ୍ନା କରିବି ସେ ଆଜି ସେ ଦେଶର ପ୍ରଥମ ନାଗରିକ ହୋଇଛନ୍ତି ।
ଜନ୍ମମାଟିରେ ଜନ୍ମଦିନ ପାଳିଲେ ମହାମହିମ

