ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ ଏବେ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥାରେ ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ଦର୍ଶନ କରିବେ। ଶ୍ରୀମନ୍ଦିର ନାଟମଣ୍ଡପକୁ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ କରାଯାଇଛି।
ଗତ ଏକମାସ ଧରି ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ପରୀକ୍ଷାମୂଳକ ଭାବେ କରାଯାଇଥିବା ବେଳେ ଆଜିଠାରୁ ପୂର୍ଣ୍ଣ ରୂପରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା କୁ କାର୍ଯ୍ୟକାରୀ କରାଯାଇଛି। ଏଣିକି ଭକ୍ତମାନେ ନାଟମଣ୍ଡପରେ ପ୍ରବଳ ଗରମ ଓ ଗୁଳୁଗୁଳିର ସମ୍ମୁଖୀନ ହେବେ ନାହିଁ।
ପ୍ରବଳ ଗୁଳୁଗୁଳି ଯୋଗୁଁ ଅନେକ ସମୟରେ ଭକ୍ତମାନେ ଅଣନିଃଶ୍ବାସୀ ହୋଇ ଅସୁସ୍ଥ ହୋଇ ପଡୁଥିବାବେଳେ ଅନେକ ଭକ୍ତ ପ୍ରବଳ ଗରମ ଓ ଗୁଳୁଗୁଳି ଯୋଗୁଁ ଶ୍ରୀମନ୍ଦିର ଭିତରେ ବାନ୍ତି କରିଦିଅନ୍ତି।
ଏହାଦ୍ବାରା ଅନେକ ସମୟରେ ମହାପ୍ରଭୁଙ୍କ ନୀତିକାନ୍ତିରେ ବାଧା ସୃଷ୍ଟି ହୋଇଥାଏ। ଏହି ସମସ୍ୟାର ସମାଧାନ ପାଇଁ ASIର ସହଯୋଗରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ନାଟମଣ୍ଡପକୁ ସମ୍ପୂର୍ଣ୍ଣ ଭାବରେ ଶୀତତାପ ନିୟନ୍ତ୍ରିତ କରାଯାଇଛି।

