ଆରପାରିରେ ପଦ୍ମଶ୍ରୀ ଡା.ଅଶୋକ ମହାପାତ୍ର

ଆଉ ନାହାନ୍ତି ବିଶିଷ୍ଟ ଡାକ୍ତର ପଦ୍ମଶ୍ରୀ ପ୍ରଫେସର ଡା. ଅଶୋକ କୁମାର ମହାପାତ୍ର । ଚିକିତ୍ସାଧୀନ ଅବସ୍ଥାରେ ନୂଆଦିଲ୍ଲୀ ଏମସରେ ସୋମବାର ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ପରଲୋକ ଖବର ପ୍ରଚାର ହେବା ମାତ୍ରେ ସବୁ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି ।
କିଛିଦିନ ତଳେ ଡା.ମହାପାତ୍ର ମସ୍ତିଷ୍କ ଯନ୍ତ୍ରଣାରେ ଅସୁସ୍ଥ ହୋଇ ସମ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିଲେ । ଅଧିକ ଉନ୍ନତ ଚିକିତ୍ସା ଲାଗି ତାଙ୍କୁ ନୂଆଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତରମାନଙ୍କର ଅକ୍ଲାନ୍ତ ପରିଶ୍ରମ ସତ୍ତେ୍ୱ ତାଙ୍କର ପରଲୋକ ହୋଇଯାଇଛି । ଯୋଡ଼ା ମୁଣ୍ଡ ଶିଶୁ ଜଗା-ବଳିଆଙ୍କ ଅସ୍ତ୍ରୋପଚାର ପାଇଁ ଚର୍ଚ୍ଚିତ ଡା. ମହାପାତ୍ରଙ୍କୁ ଭାରତ ସରକାର ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଛନ୍ତି । ଡା. ମହାପାତ୍ର ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ)ର ପୂର୍ବତନ କୁଳପତି ତଥା ବର୍ତ୍ତମାନ ପ୍ରିନ୍ସିପାଲ୍ ଆଡ୍ଭାଇଜର ରହିଛନ୍ତି ।

ପୂର୍ବରୁ ସେ ଏମ୍ସର ନିର୍ଦ୍ଦେଶକ ରହିବା ସହ ନୂଆଦିଲ୍ଲୀ ଏବଂ ଭୁବନେଶ୍ୱରରେ ଦକ୍ଷତାର ସହ ଦାୟିତ୍ୱ ତୁଲାଇ ଉଦାହରଣ ସୃଷ୍ଟି କରିଛନ୍ତି । ଓଡ଼ିଶା ନୁହେଁ ସାରା ଦେଶରେ ଶ୍ରୀ ମହାପାତ୍ର ଥିଲେ ଜଣାଶୁଣା ସର୍ଜର୍ନ । ନିଜର ଆମାୟିକ ବ୍ୟବହାର ଓ କର୍ତ୍ତବ୍ୟ ପ୍ରତି ନିଷ୍ଠାପଣ ତାଙ୍କୁ ଭିନ୍ନ ପରିଚୟ ଦେଇଥିଲା । ଶେଷ ପର୍ଯ୍ୟନ୍ତ ନିୟମିତ ରୋଗୀଙ୍କ ଚିକିତ୍ସା ସହ ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଅନୁଷ୍ଠାନ ସହ ସେ ଜଡ଼ିତ ଥିଲେ । ପ୍ରଫେସର ମହାପାତ୍ର ବିଭିନ୍ନ ଉପାଦେୟ ମୂଳକ ପୁସ୍ତକ ରଚନା ସହ ଚିକିତ୍ସା ଓ ଆଧ୍ୟାତ୍ମିକତାର ଅପୂର୍ବ ସଂଯୋଗ ତଥା ସମନ୍ୱୟ ବିଷୟରେ ସର୍ବଦା ସମସ୍ତଙ୍କୁ ଅବଗତ କରି ଆସୁଥିଲେ । ତାଙ୍କ ବିୟୋଗ ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି ।

Post Views63 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!