ସ୍ୱଚ୍ଛ କୋଷ୍ଟାଲ ଟାଉନ୍ ବର୍ଗରେ ପୁରୀ ପ୍ରଥମ

ଭାରତବର୍ଷର ସ୍ୱଚ୍ଛତା ଓ ପରିମଳ କ୍ଷେତ୍ରରେ ଓଡ଼ିଶା ପାଇଁ ଏକ ଗର୍ବ ଓ ଗୌରବର ମୁହୂର୍ତ୍ତ । ସ୍ୱଚ୍ଛ ଭାରତ ମିଶନ-ସହରାଞ୍ଚଳ ଅନ୍ତର୍ଗତ ୧୦ମ ‘ସ୍ୱଚ୍ଛ ସର୍ଭେକ୍ଷଣ ଆୱାର୍ଡସ୍ ୨୦୨୫–୨୬ରେ ପୁରୀ ମ୍ୟୁନିସିପାଲ କର୍ପୋରେସନ୍ ‘ସ୍ୱଚ୍ଛ କୋଷ୍ଟାଲ ଟାଉନ୍’ ବର୍ଗରେ ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି।
ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଗୃହ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏବଂ ପୁରୀ ମ୍ୟୁନିସିପାଲ କର୍ପୋରେସନ୍ କମିଶନର ପ୍ରହଲ୍ଲାଦ ନାରାୟଣ ଶର୍ମା ଏହି ପୁରସ୍କାର ଗ୍ରହଣ କରିଛନ୍ତି।
ବିଶ୍ୱପ୍ରସିଦ୍ଧ ପୁରୀ ବେଳାଭୂମି, ଯାହାକି ‘ଗୋଲଡେନ୍ ବିଚ୍’ ଭାବେ ପରିଚିତ ଏବଂ ପ୍ରତିଷ୍ଠିତ ‘ବ୍ଲୁ ଫ୍ଲାଗ୍’ ମାନ୍ୟତା ମଧ୍ୟଲାଭ କରିଛି। ସେଠାକୁ ପ୍ରତିଦିନ ଦେଶବିଦେଶରୁ ବହୁସଂଖ୍ୟାରେ ଯାତ୍ରୀ ଓ ପର୍ଯ୍ୟଟକମାନେ ଆସିଥାନ୍ତି। ଏହି ପବିତ୍ର ବେଳାଭୂମିର ସୌନ୍ଦର୍ଯ୍ୟ, ପବିତ୍ରତା ଓ ପରିମଳ ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ନିରନ୍ତର ସଫେଇ କାର୍ଯ୍ୟ ଜାରି ରହିଥାଏ, ଯାହାକି ପୁରୀର ସ୍ୱଚ୍ଛତାକୁ ଏକ ନୂତନ ପରିଚୟ ପ୍ରଦାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି।
ସହରରେ ବୈଜ୍ଞାନିକ ବର୍ଜ୍ୟବସ୍ତୁ ପରିଚାଳନା ଓ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଇ ୧୦୦ ଟନ୍ କ୍ଷମତା ବିଶିଷ୍ଟ ମ୍ୟାଟେରିଆଲ୍ ରିକଭରି ଫାସିଲିଟି (MRF), ୧୦୦ ଟନ୍ କ୍ଷମତା ବିଶିଷ୍ଟ କମ୍ପ୍ରେସଡ୍ ବାୟୋଗ୍ୟାସ୍ (CBG) ପ୍ଲାଣ୍ଟ ଏବଂ ତାଜା ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ୟୁନିଟ୍ ଆଦି ସ୍ଥାପନ କରାଯାଉଛି। ସହରକୁ ସର୍ବଦା ପରିଷ୍କାର ଓ ପବିତ୍ର ରଖିବାରେ ସଫେଇ ମିତ୍ରମାନଙ୍କର ଅକ୍ଳାନ୍ତ ପରିଶ୍ରମ, ପୌର ଓ ପ୍ରଶାସନିକ କର୍ମଚାରୀ ଓ ଅଧିକାରୀମାନଙ୍କର ନିରନ୍ତର କାର୍ଯ୍ୟଦକ୍ଷତା ଏବଂ ପୁରୀର ସଚେତନ ନାଗରିକମାନଙ୍କର ସକ୍ରିୟ ଅଂଶଗ୍ରହଣ ଏହି ଗୌରବ ଆଣିଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି। ଏହି ସଫଳତା ପାଇଁ ଜିଲ୍ଲାପାଳ ସମସ୍ତ ସଫେଇ ମିତ୍ର, ପୌର କର୍ମଚାରୀ ଏବଂ ପୁରୀବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି l

Post Views105 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!