ଓଡ଼ିଶାର ଲେଖକଙ୍କ ଉପରେ ରହିଛି ଜଗନ୍ନାଥଙ୍କ ଆଶୀର୍ବାଦ

ଲେଖକଙ୍କ ପାଖରେ ଆକାଶ ତତ୍ତ୍ଵ ଥିବାରୁ ଆତ୍ମାର କମ୍ପନରୁ ଶବ୍ଦକୋଷ ଆଣି ଲେଖନୀ ଚଳାଇଥାନ୍ତି। ସ୍ଥିର ଚିତ୍ତ ପୁସ୍ତକ ରଚନାରେ ଲେଖକକୁ ଶୀର୍ଷ ସ୍ଥାନକୁ ନେଇଥାଏ। ଓଡ଼ିଶାର ଲେଖକଙ୍କ ଉପରେ ଜଗନ୍ନାଥଙ୍କ ଆଶୀର୍ବାଦ ରହିଛି। ଶତକଡ଼ା ୯୦ ଭାଗ ଲେଖକ ମୁଖ୍ୟତଃ ଭାରତବର୍ଷରେ ନୀତିଶାସ୍ତ୍ର, ସମ୍ବନ୍ଧ ଶାସ୍ତ୍ର, ଅତମ୍ବିକା ଶାସ୍ତ୍ର ସମେତ ନେତୃତ୍ୱର ବିକାଶ ସମ୍ବନ୍ଧରେ ପୁସ୍ତକ ରଚନା କରନ୍ତି। ଶ୍ରୀ ଅରବିନ୍ଦଙ୍କୁ ତୁଳନା କରିବା ସହିତ ବାଇବେଲର ଉଦାହରଣ ଦେଇ ଲେଖକ ସର୍ବଦା ସର୍ବଧର୍ମ ପ୍ରିୟ ବୋଲି ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଭ୍ୟାଲି ସିଟି ପୁସ୍ତକମେଳାକୁ ଉଦ୍ଘାଟନ କରି କହିଛନ୍ତି।

କେନ୍ଦୁଝର ଜିଲ୍ଲା ପୂର୍ବ ଯୋଡ଼ାସ୍ଥିତ ଦୁର୍ଗାପୂଜା ପଡ଼ିଆଠାରେ ଅନୁଷ୍ଠିତ ଭ୍ୟାଲିସିଟି ପୁସ୍ତକ ମେଳାରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ରାଜ୍ୟପାଳ ଗଣେଶୀ ଲାଲ କହିଥିଲେ ଯେ, ମା’ ତାରିଣୀ କେନ୍ଦୁଝରର ଅଧିଷ୍ଠାତ୍ରୀ ଦେବୀ। ଓଡ଼ିଶାରେ ମା’ ବିମଳା ଏବଂ ମା’ ତାରିଣୀ ଶକ୍ତିପୀଠ ବୋଲି ସେ ସୂଚାଇ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାତୃପ୍ରେମକୁ ଉଲ୍ଲେଖ କରି କହିଥିଲେ ଯେ ମା’ ହିଁ ସମସ୍ତ ଶକ୍ତିର ଉତ୍ସ। ଜଗନ୍ନାଥଙ୍କ ରାଜ୍ୟରେ ଜ୍ଞାନୀ ଗୁଣୀ ଅଧିକ। କାରଣ ଶିଶୁଟିଏ ବିଦ୍ୟା ଆରମ୍ଭ ପୂର୍ବରୁ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ବୃତ୍ତ ଅଙ୍କନ କରି ବିଦ୍ୟାରମ୍ଭ କରିଥାଏ। ଏଥିପାଇଁ ଈଶ୍ୱରଙ୍କ ଆଶୀର୍ବାଦ ମିଳିଥାଏ ବୋଲି ସେ କହିଥିଲେ।

ଭ୍ୟାଲି ସିଟି ପୁସ୍ତକ ମେଳାର ଆବାହକ ତାରିଣୀ ପ୍ରସାଦ ମହାନ୍ତି ଅତିଥିମାନଙ୍କୁ ସ୍ଵାଗତ କରିଥିଲେ। ସମ୍ମାନିତ ଅତିଥିଭାବେ ପଦ୍ମଶ୍ରୀ ଡ. ତୁଳସୀ ମୁଣ୍ଡା, ଯୋଡ଼ା ପୌର ଅଧ୍ୟକ୍ଷ ଡାକ୍ତର ଜଗଦୀଶ ପ୍ରସାଦ ସାହୁ ଯୋଗଦେଇ ଖଣି ଅଞ୍ଚଳରେ ଏପରି ପୁସ୍ତକ ମେଳା ଆୟୋଜନ ଯୋଗୁଁ ଲୋକଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦ ଦେଖାଦେଇଛି।

ଏହା ସମାଜର ବିକାଶ ମୂଳକ କାର୍ଯ୍ୟରେ ସହାୟକ ହେବ ବୋଲି କହିଥିଲେ। ଶେଷରେ ଡ. ଆଭାରାଣୀ ବଳଙ୍କ ଦ୍ଵାରା ଲିଖିତ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ଜୀବନୀ ପୁସ୍ତକକୁ ରାଜ୍ୟପାଳ ଲୋକାର୍ପିତ କରିଥିଲେ। ସମାଜସେବୀ ପଦ୍ମଶ୍ରୀ ଡ. ତୁଳସୀ ମୁଣ୍ଡା ଓ ଓଡ଼ିଆ ସଙ୍ଗୀତ ଗାୟିକା ସୁସ୍ମିତା ଦାଶଙ୍କୁ ରାଜ୍ୟପାଳ ସମ୍ମାନିତ କରିଥିଲେ। ଗୁରୁତୁଆଁ ଅଞ୍ଚଳର ଦିବ୍ୟାଙ୍ଗ ଧବଳେଶ୍ଵର ଦାଶଙ୍କୁ ହୁଇଲ ଚେୟାର ପ୍ରଦାନ କରାଯାଇଥିଲା। ଉପସ୍ଥାପିକା ଶୋଭନା ମିଶ୍ର ମଞ୍ଚ ପରିଚାଳନା କରିଥିଲେ।

ପରେ ରାଜ୍ୟପାଳ ସେରେଣ୍ଡା ସ୍ଥିତ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ଆଦିବାସୀ ବିକାଶ ସମିତି ପରିଦର୍ଶନ କରିଥିଲେ। ସେଠାରେ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଓ ଆଶ୍ରମର ଛାତ୍ରଛାତ୍ରୀଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ। ରାଜ୍ୟପାଳଙ୍କ ଗସ୍ତ କାର୍ଯ୍ୟକ୍ରମରେ ଦେଢ଼ଘଣ୍ଟା ବିଳମ୍ବ ହେବାରୁ ଆଦିବାସୀ ବିକାଶ ସମିତି ପରିସରରେ ହେବାକୁଥିବା ସାଧାରଣ ସଭାକୁ ବାତିଲ କରାଯାଇଥିଲା।

ତେବେ ମାତ୍ର ୧୦ ମିନିଟ ମଧ୍ୟରେ ବିକାଶ ସମିତିର ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ କଥା ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଆଦିବାସୀ ବିକାଶ ସମିତିର ସଭାନେତ୍ରୀ ଦମୟନ୍ତୀ ସାମଲ, ସେରେଣ୍ଡା ପଞ୍ଚାୟତର ସରପଞ୍ଚ ସୁସ୍ମିତା ସିଦ୍ଦୁ, ଜନାର୍ଦ୍ଦନ ସିଦ୍ଦୁ, ଧନୁର୍ଜୟ ସିଦ୍ଦୁ, ତ୍ରିବେଣୀ ଆର୍ଥ ମୁଭର୍ସ କମ୍ପାନିର ବରିଷ୍ଠ ଅଧିକାରୀ ବିଷ୍ଣୁ ଚରଣ ସ୍ୱାଇଁ, ଦେବୀପ୍ରସାଦ ମିଶ୍ର, ସୁଧୀର ବିଶ୍ୱାଳ, ସମାଜସେବୀ ପ୍ରତାପ କିଶୋର ଦାସ, ଅଶୋକ ପ୍ରଜାପତି, ସଞ୍ଜୟ ନାଏକ, ଆଦିବାସୀ ବିକାଶ ସମିତିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!