‘ପଦ୍ମଶ୍ରୀ ସମ୍ମାନ’ ସମ୍ମାନିତ ହେବେ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର

ଜଣେ ଉଚ୍ଚକୋଟୀର ସାହିତ୍ୟିକ, ସ୍ତମ୍ଭକାର, ଗବେଷକ,ଭାଷାତତ୍ତ୍ବବିତ୍, ବାଗ୍ମୀ, ଆଧ୍ୟାତ୍ମିକ ପ୍ରବକ୍ତା, ଜ୍ୟୋତିର୍ବିଦ୍ ଭାବେ ଓଡ଼ିଶା ଓ ଓଡ଼ିଶା ବାହାରେ ସୁପରିଚିତ ଢେଙ୍କାନାଳ ଜିଲ୍ଲା ନିବାସୀ ପଣ୍ଡିତ ଡକ୍ଟର ଅନ୍ତର୍ଯ୍ୟାମୀ ମିଶ୍ର। ଶାସ୍ତ୍ରୀୟ ଓଡ଼ିଆ ଭାଷା ପାଇଁ ସେ ରାଷ୍ଟ୍ରପତି ପୁରସ୍କାର ମଧ୍ୟ ପାଇଛନ୍ତି। ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଡ. ମିଶ୍ରଙ୍କ ବିଶେଷ ଅବଦାନ ପାଇଁ ତାଙ୍କୁ ଆଜି ପଦ୍ମଶ୍ରୀ ଉପାଧି ମିଳିବା ନେଇ ଘୋଷଣା ପରେ ସମଗ୍ର ଢେଙ୍କାନାଳ ଜିଲ୍ଲାରେ ଖୁସିର ଲହରି ଖେଳିଯାଇଛି।

ଡ. ମିଶ୍ର ୧୯୫୦ ମସିହା ଜୁଲାଇ ୧ ତାରିଖରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡର ମାର୍ଥାପୁର ଶାସନରେ ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ସତ୍ୟବାଦୀ ମିଶ୍ର ଓ ଦୁର୍ଗାବତୀ ମିଶ୍ରଙ୍କ ସୁପୁତ୍ର ଭାବେ ଜନ୍ମଗ୍ରହଣ କରିଥିଲେ। ପ୍ରାଥମିକ ଶିକ୍ଷା କାଳରୁ ସେ ଛୋଟ ଛୋଟ କବିତା ଓ ପରବର୍ତ୍ତୀ କାଳରେ କିଛି ଗଳ୍ପ ଲେଖିଥିଲେ। ତେବେ ୧୯୭୫ ମସିହାରୁ ପ୍ରବନ୍ଧ ରଚନାରେ ମନୋନିବେଶ ପୂର୍ବକ ଓଡ଼ିଆ ପ୍ରବନ୍ଧ ସାହିତ୍ୟରେ ଲେଖନୀ ଚାଳନା କରିଥିଲେ। ପଣ୍ଡିତ ମିଶ୍ର ଅଦ୍ୟାବଧି ୩୦ ଖଣ୍ଡ ପୁସ୍ତକ ରଚନା କରିଛନ୍ତି।

ସେଥିମଧ୍ୟରୁ ୯ଖଣ୍ଡ ପୁସ୍ତକ ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ପ୍ରକାଶନ ସଂସ୍ଥା ଦ୍ୱାରା ପ୍ରକାଶିତ ହୋଇ ଗବେଷକ, ଅଧ୍ୟାପକ, ଛାତ୍ରଛାତ୍ରୀ ଓ ସାଧାରଣ ପାଠକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛି। ସେ ଲେଖିଥିବା ପୁସ୍ତକ ମଧ୍ୟରୁ ‘ଓଡ଼ିଆ ଏକ ଶାସ୍ତ୍ରୀୟ ଭାଷା’, ‘ଓଡ଼ିଆ ଭାଷା ଜାତି ଓ ଜାତୀୟତା’, ‘ଓଡ଼ିଆ ଭାଷାର ଇତିହାସ’, ‘ମୌଳିକ ଓଡ଼ିଆ ଭାଷା ତତ୍ତ୍ୱ’, ‘ପ୍ରାଚୀନ ଓଡ଼ିଶା ଓ ମଧ୍ୟ ଯୁଗ ଓଡ଼ିଶା’, ‘ଆଧୁନିକ ଓଡ଼ିଶା’ ଓ ‘ମୋ ଦୃଷ୍ଟିରେ ଓଡ଼ିଶା’ ପ୍ରଭୃତି ପୁସ୍ତକ ଖୁବ୍‌ ଲୋକପ୍ରିୟ ହୋଇପାରିଛି। ତାଙ୍କ ରଚିତ ‘ପୁଣ୍ୟପୀଠ କପିଳାସ’ ପୁସ୍ତକ ଭାରତ ସରକାରଙ୍କ ଦ୍ୱାରା ପ୍ରକାଶିତ।
ଗବେଷଣା ମାଧ୍ୟମରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷା ରୂପରେ ପ୍ରତିପାଦନ କରିଥିବାରୁ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ପଣ୍ଡିତ ମିଶ୍ରଙ୍କୁ ସମ୍ମାନ ସୂଚକ ‘ଡିଲିଟ୍‍’ ଉପାଧି ପ୍ରଦାନ କରିଛନ୍ତି।

ଏତଦ୍‌ବ୍ୟତୀତ ପଣ୍ଡିତ ମିଶ୍ର ଓଡ଼ିଶାର ୩୦ଟି ଜିଲ୍ଲାର ସାଂସ୍କୃତିକ ଇତିହାସ ରଚନା ସହିତ ସଂପୃକ୍ତ ରହି ବହୁ ଗବେଷଣାତ୍ମକ ପ୍ରବନ୍ଧ ରଚନା କରିଛନ୍ତି। ସେହିପରି ୧୦ଟି ଜିଲ୍ଲାର ଇତିହାସ ରଂଚନାରେ ସକ୍ରିୟ ଅଂଶଗ୍ରହଣ କରିଛନ୍ତି।

ଓଡ଼ିଶା ସାହିତ୍ୟ ଏକାଡେମିର ସଦସ୍ୟ ରହି ସାହିତ୍ୟର ବିକାଶ ନେଇ ଅନେକ କାମ କରିଛନ୍ତି। ଏହା ବ୍ୟତୀତ ପଣ୍ଡିତ ମିଶ୍ର ଶତାଧିକ ପୁରସ୍କାର, ସମ୍ମାନ ଓ ସମ୍ବର୍ଦ୍ଧନା ଲାଭ କରିଛନ୍ତି। ସଂପ୍ରତି ସେ ଢେଙ୍କାନାଳ କାଠଗଡ଼ାସ୍ଥିତ ଆନନ୍ଦ ନଗରରେ ରହୁଛନ୍ତି।

Post Views47 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!