ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍ (ଓଏସଏଲ)ର ପ୍ରତିଷ୍ଠାତା ମହିମାନନ୍ଦ ମିଶ୍ରଙ୍କୁ ସମ୍ମାନଜନକ ‘ଲାଇଫଟାଇମ୍ ଆଚିଭମେଣ୍ଟ ଆୱାର୍ଡ ୨୦୨୩’ ପ୍ରଦାନ କରାଯାଇଛି।
କୋଲକାତାରେ ଦ ଲଳିତ ଗ୍ରେଟ୍ ଇଷ୍ଟର୍ଣ୍ଣ ଏକଜିମ୍ ଇଣ୍ଡିଆ ସିପିଂ ଟାଇମ୍ସ ଦ୍ୱାରା ଆୟୋଜିତ ଇଷ୍ଟର୍ଣ୍ଣ ଷ୍ଟାର ଆୱାର୍ଡସ ୨୦୨୩ ଅବସରରେ ଅନୁଷ୍ଠିତ ଇଷ୍ଟ୍ କୋଷ୍ଟ୍ ମାରିଟାଇମ୍ ଫୋରମ୍-୨୦୨୩ର ୮ମ ସଂସ୍କରଣରେ ଜାହାଜ ଚଳାଚଳ ମନ୍ତ୍ରଣାଳୟର ପ୍ରାକ୍ତନ ସଚିବ ଗୋପାଳ କ୍ରିଷ୍ଣା ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରିଛନ୍ତି। ମହିମାନନ୍ଦଙ୍କ ପକ୍ଷରୁ ଓଏସ୍ଏଲ୍ ଗ୍ରୁପ୍ର ନିର୍ଦ୍ଦେଶକ ଚନ୍ଦନ ମିଶ୍ର ଓ ତାଙ୍କ ସହଯୋଗୀମାନେ ଏହି ପୁରସ୍କାର ଗ୍ରହଣ କରିଛନ୍ତି।
ଅନ୍ୟପକ୍ଷରେ ଏହି ପୁରସ୍କାରକୁ ମହିମାନନ୍ଦ ତାଙ୍କର ସହଯୋଗୀ, କର୍ମଚାରୀ, ଶ୍ରମିକ ଓ ପରିବାର ସଦସ୍ୟଙ୍କୁ ଉତ୍ସର୍ଗ କରିଛନ୍ତି। ସେ କହିଛନ୍ତି ଯେ ମୋର ସହକର୍ମୀ, କମ୍ପାନୀର କର୍ମଚାରୀ ଓ ପରିବାର ସଦସ୍ୟମାନଙ୍କର ସମର୍ପିତ କଠିନ ପରିଶ୍ରମ ଓ ନିଷ୍ଠାପର କାର୍ଯ୍ୟର ପରିଣାମ ହେଉଛି ଏହି ପୁରସ୍କାର।
ସେମାନଙ୍କ ଭିନ୍ନ ଏହି ପୁରସ୍କାର ହାସଲ ସମ୍ଭବ ନୁହେଁ। ଗତ ଚାରି ଦଶନ୍ଧି ଧରି ଓଏସ୍ଏଲ୍ ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟ, ଆତିଥେୟତା ଏବଂ ଏହାର କର୍ମଚାରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ନିମନ୍ତେ ପରିଚିତି ହାସଲ କରିଛି। ରାଜ୍ୟର ଓଡ଼ିଶାର ଗରିବ ଓ ଅବହେଳିତ ଲୋକଙ୍କ ପାଇଁ ଯତ୍ପରୋନାସ୍ତି କାର୍ଯ୍ୟ କରି ଆସିଛି। ଏଥିପାଇଁ ବିଭିନ୍ନ କ୍ଷେତ୍ରରେ ପ୍ରଶଂସିତ ହୋଇଛି।
ଖଣି ଖନନ, ପରିବହନ, ଆତିଥେୟତା, ଡ୍ରେଜିଂ ତଥା ପଣ୍ୟାଗାର ପରିଚାଳନା ଆଦି କ୍ଷେତ୍ରରେ ଓଏସ୍ଏଲ୍ ମାଇଲଖୁଣ୍ଟ ସ୍ଥାପନ କରିଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ନିଜର ସୁଦୀର୍ଘ ସେବାରେ ଓଏସଏଲ ଗ୍ରୁପ ଭାରତ ଓ ବିଦେଶର ପ୍ରମୁଖ କର୍ପୋରେଟ ଯଥା ଇଫ୍କୋ, ଷ୍ଟିଲ୍ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ (ସେଲ୍ଫ), ଟାଟା ଷ୍ଟିଲ ଲିମିଟେଡ, ରିଲାଏନ୍ସ, ଜେଏସଡବ୍ଲୁ୍, ଇମ୍ଫା, ବେଦାନ୍ତ, ନାଲକୋ, ଜିନ୍ଦଲ ଷ୍ଟେନଲେସ ଏବଂ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ ଆଦିର କାର୍ଗୋ ପରିଚାଳନା କରିବା ସହ ଏଣ୍ଡ-ଟୁ-ଏଣ୍ଡ ଲଜିଷ୍ଟିକ୍ସ କାର୍ଯ୍ୟରେ ନିଜର ପ୍ରଭାବୀ ଛାପ ଛାଡ଼ିଛି।
ଓଏସଏଲ ଗ୍ରୁପ ବିଗତ ଅନେକ ବର୍ଷ ଧରି ବିଭିନ୍ନ ଶ୍ରେଣୀ ଓ କ୍ଷେତ୍ରରେ ଅନେକ ପୁରସ୍କାର ପ୍ରାପ୍ତ କରିଆସୁଛି ଯାହା କି ଓଏସଏଲର ଦକ୍ଷତା, ସମ୍ଭାବନା, କ୍ଷମତା ଓ ଉପଲବଧିକୁ ପ୍ରତିପାଦିତ କରୁଛି।
ଗତବର୍ଷ ମଧ୍ୟ ଔଦ୍ୟୋଗିକ ମହାଦ୍ରୁମ ଭାବେ ଓଏସଏଲକୁ କୋଲକାତାରେ ଆୟୋଜିତ ‘ଇଷ୍ଟ କୋଷ୍ଟ ମାରିଟାଇମ ଫୋରମ ୨୦୨୨’ର ସପ୍ତମ ସଂସ୍କରଣରେ ‘ବର୍ଷର ସର୍ବଶ୍ରେଷ୍ଠ ଲଜିଷ୍ଟିକ କମ୍ପାନୀ’ ଏବଂ ‘ବର୍ଷର ସର୍ବଶ୍ରେଷ୍ଠ ଷ୍ଟିଭେଡର୍ସ କମ୍ପାନୀ’ ଭାବେ ପୁରସ୍କୃତ କରାଯାଇଥିଲା। ଓଏସଏଲ ଭାରତର ପୂର୍ବତଟ ବନ୍ଦରରେ ଏକ ପ୍ରମୁଖ ଷ୍ଟିଭେଡରିଂ ଓ କାର୍ଗୋ ପରିଚାଳନାକାରୀ କମ୍ପାନୀ ଏବଂ ବର୍ତ୍ତମାନ ବିଭିନ୍ନ କ୍ଷେତ୍ରରେ ୫୦ ନିୟୁତ ଟନରୁ ଅଧିକ କାର୍ଗୋ ପରିଚାଳନା କରୁଛି।

