କେନ୍ଦୁଝରର ବିଶିଷ୍ଟ କାଠି କଣ୍ଢେଇ କାରିଗର ମାଗୁଣି ଚରଣ କୁଅଁରଙ୍କୁ ମିଳିଲା ପଦ୍ମଶ୍ରୀ ସମ୍ମାନ । ବିଗତ 70ବର୍ଷ ହେବ ସେ ନିଜ ସାଧନା ଜାରି ରଖିଥିବା ବେଳେ, 86ବର୍ଷ ବୟସରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି । କେନ୍ଦୁଝର ପୁରୁଣା ସହରର ବୈଦ୍ୟରାଜ ସାହିର ମାଗୁଣି ଚରଣ କୁଅଁର ।
ରାଷ୍ଟ୍ରପତି ଭବନରେ ସମ୍ମାନ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମାଗୁଣି ଚରଣ କୁଅଁର ଏକାଧାରରେ ଜଣେ କାଠି କଣ୍ଢେଇ ଶିଳ୍ପୀ, କାଠ, ମାଟି, ପଥର ଓ ସିମେଣ୍ଟର ନିଖୁଣ ମୂର୍ତ୍ତି କାରିଗର । 2004 ମସିହାରେ ରାଷ୍ଟ୍ରପତିଙ୍କ ଦ୍ବାରା ପ୍ରଦତ୍ତ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ, 2013 ମସିହାରେ ଓଡିଶା ସରକାରଙ୍କ ସର୍ବୋଚ୍ଚ ଉପେନ୍ଦ୍ର ଭଞ୍ଜ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।
2014ମସିହା ପାଇଁ ଓଡିଶା ନୃତ୍ୟ ଏକାଡେମୀ ପକ୍ଷରୁ ଗୁରୁ ମାଗୁଣି ଚରଣ କୁଅଁରଙ୍କୁ ରୁଚିବୁଦ୍ଧ ସମ୍ମାନରେ ସମ୍ମାନିତ କରାଯାଇଥିଲା । ପରିଚୟ ତାଙ୍କର କାଠି କଣ୍ଢେଇ କାରିଗର । ବୟସର ଅପରାହ୍ଣରେ ମାଗୁଣି କାଠ ଖୋଦେଇ, ମୃଣ୍ମୟୀ ମୂର୍ତ୍ତି ଓ ସିମେଣ୍ଟ ମୂର୍ତ୍ତି ତିଆରରେ ସିଦ୍ଧହସ୍ତ ।
କେବଳ କଣ୍ଢେଇ, କାଠ ଓ ପାଷାଣ ମୁହଁରେ ହସ ଫୁଟାନ୍ତି ତାହା ନୁହେଁ ବରଂ ଗଭୀର ଆତ୍ମୀୟତା, ସହୃଦୟତା ଓ ପରିବେଶପ୍ରୀତି ତାଙ୍କୁ ଏକ ବହୁମୂଖୀ ପ୍ରତିଭାର ଅଧିକାରୀ ଭାବେ ଗଢି ତୋଳିଛି ।

