୭ଦିନିଆ ଜାପାନ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ଓ ଓଡ଼ିଶାର ଏକ ପ୍ରତିନିଧି ମଣ୍ଡଳ । ଜାପାନ ଗସ୍ତ ସଫଳ ହୋଇଥିବା ବେଳେ ପ୍ରଥମ ଥର ପାଇଁ ବିଦେଶ ମାଟିରୁ ବସିଲା ରାଜ୍ୟ କ୍ୟାବିନେଟ ବୈଠକ। ଭର୍ଚୁଆଲ ମୋଡ଼ରେ କ୍ୟାବିନେଟ୍ ବୈଠକରେ ଯୋଗଦେଇଥିଲେ ସିଏମ ଓ ପ୍ରତିନିଧି ମଣ୍ଡଳ। ଜାପାନର କ୍ୟୋଟୋଠାରୁ ମୁଖ୍ୟମନ୍ତ୍ରୀ ଡିଜିଟାଲ ମାଧ୍ୟମରେ କ୍ୟାବିନେଟ ବୈଠକ ପରିଚାଳନା କରିଥିବା ବେଳେ ଜାପାନରେ ଥିବା ମୁଖ୍ୟ ଶାସନ ସଚିବ,ଶିଳ୍ପ ମନ୍ତ୍ରୀ, ଶିଳ୍ପ ସଚିବ ପ୍ରମୁଖ ମଧ୍ୟ ଡିଜିଟାଲ ମାଧ୍ୟମରେ ସାମିଲ ହୋଇଥିଲେ। ଏଥି ସହିତ ରାଜ୍ୟ ଲୋକସେବା ଭବନରେ ମନ୍ତ୍ରୀ ଓ ସଚିବ ମାନେ ଏହି ବୈଠକରେ ଉପସ୍ଥିତ ଥିଲେ। ଆଜି ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ମୋଟ ୭ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି।
ଏହି ପ୍ରସ୍ତାବ ମଧ୍ୟରେ FPO ପାଇଁ ସହାୟତା ପାଣ୍ଠି ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥି ସହିତ ଓଡ଼ିଶା ପରିବାର ପାଇଁ ଖୋଲିବ ନୂଆ ନିର୍ଦ୍ଦେଶାଳୟ। ରାଜ୍ୟ ବାହାରେ ଓ ପ୍ରବାସୀ ଓଡ଼ିଆଙ୍କ ସୁବିଧା ପାଇଁ ଖୋଲିବ ନିର୍ଦ୍ଦେଶାଳୟ ।
ସେହିପରି ୭ଟି ଗ୍ରାମୀଣ ପାଇପ୍ ଜଳ ପ୍ରକଳ୍ପକୁ କ୍ୟାବିନେଟ ମଂଜୁରୀ ମିଳିଛି। ବଲାଙ୍ଗୀରରେ ୬ଟି ପାନୀୟ ଜଳ ପ୍ରକଳ୍ପକୁ ମଂଜୁରୀ ପ୍ରଦାନ କରାଯାଇଛି। ବଲାଙ୍ଗୀର, ପୁଇଁତଳା, ଆଗଲପୁର, ଲୋଇସିଂହାରେ ପ୍ରକଳ୍ପ । ସେହିପରି ଦେଓଗାଁ, ତୁରେଇକେଲା ଓ ମୁରିବାହଲରେ ହେବ ପ୍ରକଳ୍ପ । ଅନ୍ୟପଟେ ଷୋଡ଼ଶ ଓଡ଼ିଶା ବିଧାନସଭାର ଦ୍ବାଦଶ ଅଧିବେଶନର ସତ୍ରାବସାନକୁ ମୋହର ପ୍ରଦାନ କରାଯାଇଛି।

