କର୍ଣ୍ଣାଟକରେ ବିଜେପିର ବିଜୟ ଆଦୌ ସହଜ ନୁହେଁ !

ଦକ୍ଷିଣ ଭାରତର ଏକମାତ୍ର ରାଜ୍ୟ କର୍ଣାଟକ, ଯେଉଁଠି ବିଜେପି ଏକାଧିକ ଥର ସରକାର ଗଢିବାରେ ସଫଳ ହୋଇଛି। ଅନ୍ୟ ଦକ୍ଷିଣ ଭାରତୀୟ ରାଜ୍ୟ ଗୁଡ଼ିକରେ ଆଜି ମଧ ବିଜେପିର ସ୍ଥିତି ନଗଣ୍ୟ। କେନ୍ଦ୍ରରେ ଲଗାତାର ଦୁଇଥର ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଦାୟିତ୍ଵ ନେଲା ପରେ ମଧ୍ୟ ଦକ୍ଷିଣ ଭାରତରେ ବିଜେପି କୋଣଠେସା ହୋଇ ରହିଛି। ସେହି ପରିପ୍ରେକ୍ଷୀରେ କର୍ଣାଟକ ବିଧାନସଭା ପାଇଁ ଆସନ୍ତା ମଇ ୧୦ ତାରିଖ ଦିନ ହେବାକୁ ଥିବା ନିର୍ବାଚନ ବିଜେପି ପାଇଁ ସବୁଠୁ ବଡ଼ ଆହ୍ବାନ ସୃଷ୍ଟି କରିଛି। ୨୦୧୮ ବିଧାନସଭା ନିର୍ବାଚନରେ ବିଜେପି ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଥିଲା ବେଳେ ସେଠି କଂଗ୍ରେସ ଓ ଧର୍ମ ନିରପେକ୍ଷ ଜନତାଦଳର ମେଣ୍ଟ ସରକାର ଗଠନ ହୋଇଥିଲା। ପରବର୍ତ୍ତୀ ସମୟରେ କଂଗ୍ରେସରେ ବିଭାଜନ ଘଟାଇ ବିଜେପି ପୁନର୍ବାର କ୍ଷମତାକୁ ଫେରିଥିଲା।

କର୍ଣ୍ଣାଟକରେ ବିଜେପି ସବୁବେଳେ ଜଣେ ନେତା ଓ ଗୋଟିଏ ଜାତିର ଭୋଟ ଉପରେ ନିର୍ଭର କରି ନିର୍ବାଚନ ଲଢିଆସିଛି। ବିଏସ୍ ୟେଦୁୟୁରାପ୍ପା ଏବଂ ଲିଙ୍ଗାୟତ ଭୋଟ ଉପରେ କର୍ଣ୍ଣାଟକର ରାଜନୀତି ନିର୍ଣ୍ଣାୟକ ମୋଡ ନେଇଥାଏ। ୧୬% ଲିଙ୍ଗାୟତ ଭୋଟର ଯାହା ପଛରେ ଛିଡ଼ା ହୁଅନ୍ତି, ସେ ଦଳ କର୍ଣାଟକ ଶାସନ କରିବାର ସୁଯୋଗ ପାଇଥାଏ। ୭୦ ଦଶକରେ ଲିଙ୍ଗାୟତ ଭୋଟରଙ୍କ ଆସ୍ଥା କଂଗ୍ରେସ ଉପରୁ ତୁଟି ଯାଇଥିଲା। ଗତ ୪୦ ବର୍ଷ ଭିତରେ ଲିଙ୍ଗାୟତ ଏବଂ ଭୋକଲିଗା ଜାତିର ସମୀକରଣ ଫଳରେ ଜନତା ଦଳ ଓ ବିଜେପି ସରକାର ଗଠିତ ହୋଇଛି। ଯେତେବେଳେ ବି ଲିଙ୍ଗାୟତ ଯାହା ସାଙ୍ଗରେ ରହିଛନ୍ତି, କର୍ଣ୍ଣାଟକରେ ସେହି ଦଳ ଜିତିଛି ।

୨୦୨୩ ନିର୍ବାଚନ ପୂର୍ବରୁ ବିଜେପିର ତୁଙ୍ଗତମ ନେତା ବିଏସ୍ ୟେଦୁୟୁରାପ୍ପା ଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବିଦା କରାଯାଇଛି।‌ ୟେଦୁୟୁରାପ୍ପାଙ୍କ ବ୍ୟକ୍ତିଗତ ପ୍ରଭାବ ଆଜି ମଧ୍ୟ ଲିଙ୍ଗାୟତଙ୍କ ଉପରେ ରହିଛି। ହେଲେ ବିଜେପି ଟିକଟ ବଣ୍ଟନ ପରେ ୟେଦୁୟୁରାପ୍ପାଙ୍କ ଅନେକ ସହଯୋଗୀ ବିଜେପି ଛାଡି କଂଗ୍ରେସରେ ଯୋଗଦାନ କରିଛନ୍ତି । ବର୍ତ୍ତମାନ ବିଜେପିର ନେତୃତ୍ଵ ନେଉଥିବା ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ ଏବଂ ୟେଦିୟୁରାପ୍ପାଙ୍କ ମଧ୍ୟରେ କନ୍ଦଳ ବିଜେପି ପାଇଁ ସବୁଠୁ ବଡ ମୁଣ୍ଡବିନ୍ଧାର କାରଣ ପାଲଟିଛି । ବିଜେପି ହାଇକମାଣ୍ଡଙ୍କ ନିଷ୍ପତ୍ତିରେ ଅସନ୍ତୁଷ୍ଟ ବିଜେପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟର, ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସେବାଡି ଏବଂ ଈଶ୍ବରାପ୍ପାଙ୍କ ଭଳି ଟାଣୁଆ ନେତା ବିଜେପି ଛାଡି କଙ୍ଗ୍ରେସରେ ଯୋଗ ଦେଇଛନ୍ତି। ଏହା ବିଜେପିକୁ ଅଡ଼ୁଆ ସ୍ଥିତିରେ ପକାଇଛି।

ସଂଘ ପରିବାର ଏବଂ ବିଜେପି କେନ୍ଦ୍ରୀୟ ନେତୃତ୍ଵ ସହିତ ଅତ୍ୟନ୍ତ ଘନିଷ୍ଠ ବିଜେପିର ଜାତୀୟ ସାଧାରଣ ସମ୍ପାଦକ ବିଏଲ ସନ୍ତୋଷ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହେବାର ଉଚ୍ଚାଭିଳାଷ ନେଇ ବସିଛନ୍ତି । ସନ୍ତୋଷଙ୍କର କେନ୍ଦ୍ରରେ ଭଲ ପ୍ରଭାବ ଥିଲେ ମଧ୍ୟ ରାଜ୍ୟରେ ତାଙ୍କୁ କେହି ବିଶେଷ ଜାଣନାତି ନାଇଁ । ତାଙ୍କର ନୀତି ଯୋଗୁଁ ଅନେକ ବିଜେପି ନେତା ଏବେ ଦଳ ଛାଡୁଥିବାର ଅଭିଯୋଗ ଆସୁଛି ।

ପ୍ରଥମ ଥର ଲାଗି ଏକ ବଡ ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ଜାତୀୟ ଗଣମାଧ୍ୟମ ବିଶେଷ ଉତ୍ସାହିତ ଜଣା ପଡୁନାହିଁ। କର୍ଣ୍ଣାଟକରେ ହୋଇ ଥିବା ଗୋଟିଏ ଦୁଇଟି ସର୍ଭେରେ କଂଗ୍ରେସ ଜିତିବାର ସଙ୍କେତ ମିଳିବା ପରେ ବିଜେପି ସପକ୍ଷବାଦୀ ଟିଭି ଚ୍ୟାନେଲ ଗୁଡିକ ଏବେ ପ୍ରାୟ ଚୁପ୍।

ପ୍ରଚାର, ରଣକୌଶଳ ଏବଂ ଟିକଟ ବଣ୍ଟନ ପ୍ରକ୍ରିୟାରେ କଂଗ୍ରେସ ବିଜେପି ଠାରୁ ଯଥେଷ୍ଟ ଆଗରେ ରହିଛି।

Post Views96 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!