ଆପଣ ପାଣି ପିଉଥିବେ। ୧୦ ଟଙ୍କାରୁ ଆରମ୍ଭ ହୋଇ ଲକ୍ଷ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି ପାଣିର ଦାମ୍। କିନ୍ତୁ ସବୁଠୁ ଦାମୀ ପାଣି କେଉଁଠି ଆପଣ ଜାଣନ୍ତି କି। ୭୫୦ ମିଲିଲିଟର ର ପାଣି ବୋତଲ ମୂଲ୍ୟ ହେଉଛି ୪୫ ଲକ୍ଷ ଟଙ୍କାରୁ ଅଧିକ। ଗିନିଜ୍ ବିଶ୍ବ ରେକର୍ଡରେ ସବୁଠୁ ଦାମୀ ପାଣିର ମାନ୍ୟତା ରଖିଥିବା ଏହି ପାଣି ବୋତଲର ନାଁ ‘ଆକ୍ବା ଡି କ୍ରିଷ୍ଟାଲୋ ଟ୍ରିବୁଟୋ ଏ ମାଡିଗ୍ଲିଆନି’।
ଏହି ୭୫୦ ମି.ଲି. ବୋତଲଟି ସଂପୂର୍ଣ୍ଣ ୨୪-କ୍ୟାରାଟ୍ ସୁନାରେ ନିର୍ମିତ ଏବଂ ସେଥିରେ ଥିବା ପାଣିର ସ୍ବାଦକୁ ଅଧିକ କ୍ଷାରୀୟ ରଖିବା ପାଇଁ ସେଥିରେ ୫ ଗ୍ରାମର ୨୪-କ୍ୟାରାଟ ସୁନା ମଧ୍ୟ ମିଶିଥିଲା। ‘ଆକ୍ବା ଡି କ୍ରିଷ୍ଟାଲୋ’ ପାଣି ପୃଥିବୀର ତିନିଟି ସ୍ଥାନରୁ ସଂଗୃହୀତ। କିଛି ଭାଗ ଜଳ ଫ୍ରାନ୍ସର ଏକ ଝରଣାରୁ ଆସିଥିବା ବେଳେ ଆଉ କିଛି ଭାଗ ଫିଜିର ଏକ ଝରଣା ଯୋଗାଇଛି ଏବଂ ବାକି ଅଂଶ ତକ ଆଇସ୍ଲାଣ୍ଡର ଏକ ହିମଶୈଳରୁ ସଂଗ୍ରହ କରାଯାଇଛି।
୨୦୧୦ରେ ଏକ ବୋତଲ ‘ଆକ୍ବା ଡି କ୍ରିଷ୍ଟାଲୋ’କୁ ୬୦,୦୦୦ ଡଲାର ବା ୪୯ ଲକ୍ଷ ଟଙ୍କାରୁ ଅଧିକ ଦରରେ ନିଲାମ କରାଯାଇଥିଲା। ବିଶ୍ବର ଅନ୍ୟତମ ଦାମୀ ପାଣି ‘କୋନା ନିଗାରି’ ଜାପାନରେ ପ୍ରସ୍ତୁତ ହେଉଛି। ସମୁଦ୍ର ପତ୍ତନର ହଜାର ହଜାର ଫୁଟ ତଳୁ ସଂଗୃହୀତ ଏହି ଜଳର ଲିଟର ପିଛା ମୂଲ୍ୟ ହେଉଛି ୪୪ ହଜାର ଟଙ୍କା।

