ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅଧିଷ୍ଠିତ ହେବାପରେ ପ୍ରଥମଥର ପାଇଁ ତିନିଦିନିଆ ମୟୂରଭଞ୍ଜ ଗସ୍ତରେ ଆସିଛନ୍ତି। ଗୁରୁବାର ଦିନ ଜନ୍ମମାଟି ରାଇରଙ୍ଗପୁରରେ ପହଞ୍ଚିବା ପରେ ତାଙ୍କୁ ଉଚ୍ଛ୍ବସିତ ସ୍ବାଗତ କରାଯାଇଛି।
ରାଷ୍ଟ୍ରପତି ପଶ୍ଚିମବଙ୍ଗର କଲେଇକୁଣ୍ଡାରୁ ସ୍ବତନ୍ତ୍ର ହେଲିପକ୍ଟର ଯୋଗେ ଆସି ରାଇରଙ୍ଗପୁର ନିକଟ ହେଲିପ୍ୟାଡରେ ପହଞ୍ଚିଥିଲେ। ସେଠାରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଓ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ରାଷ୍ଟ୍ରପତିଙ୍କୁ ସ୍ବାଗତ ଜଣାଇଥିଲେ।
ଆଜି ସକାଳେ ଜଳଖିଆ ଖାଇ ଘରୁ ବାହାରିଥିଲେ। ରାଇରଙ୍ଗପୁରସ୍ଥିତ ବାବା ପୂର୍ଣ୍ଣେଶ୍ବରାୟ ଶିବ ମନ୍ଦିର ଏବଂ ଶ୍ରୀଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ସେଠାରୁ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଦାଣ୍ଡବୋଷସ୍ଥିତ ସମାଧି ପୀଠକୁ ଯାଇ ତାଙ୍କର ୧୧୯ତମ ଜନ୍ମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ସେ ଦାଣ୍ଡବୋଷ ହେଲିପ୍ୟାଡ୍ରୁ ହେଲିକପ୍ଟର ଯୋଗେ ଯଶିପୁର ଅଭିମୁଖେ ବାହାରିଲେ।

