ଉଦ୍‍ଘାଟିତ ହେଲା କନ୍‍ସେନ୍‍ଟ୍ରିକ୍ସ କଷ୍ଟମର ଏକ୍ସପିରିଏନ୍ସ ସେଣ୍ଟର

ବିଶ୍ୱର ଅନ୍ୟତମ ପ୍ରମୁଖ ବୃତ୍ତିଗତ ସେବା ସଂସ୍ଥା କନ୍‍ସେନ୍‍ଟ୍ରିକ୍ସ ବିପିଓ ଆଜି ରାଜଧାନୀ ଭୁବନେଶ୍ୱରରେ ମୂଖ୍ୟମନ୍ତ୍ରୀ ‍ ଶ୍ରୀ ନବୀନ ପଟନାୟକ ଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି.

ରାଜ୍ୟରେ ବୃହତ୍‍ ପୁଞ୍ଜି ନିବେଶ ଲାଗି ଅନୁଷ୍ଠିତ ହୋଇଥିବା ‘ମେକ୍‍ ଇନ୍‍ ଓଡ଼ିଶା’ କନକ୍ଲେଭ ସମାବେଶ ସଫଳତାର ଏହା ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ । ନିକଟ ଅତୀତରେ ଆଇବିଏମ, ହାପ୍ପିଏଷ୍ଟ ମାଇଣ୍ଡସ୍‍ , ଡେଲଏଟ୍‍ର ‘କାପାବିଲିଟି ଏନ୍‍ହାନ୍ସମେଣ୍ଟ ସେଣ୍ଟର’ ଏବଂ ଆଜି କନ୍‍ସେନ୍‍ଟ୍ରିକ୍ସ ବିପିଓ କେନ୍ଦ୍ର ପ୍ରତିଷ୍ଠା ରାଜ୍ୟର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଅଭିବୃଦ୍ଧି କ୍ଷେତ୍ରରେ ଏକ ସୁବର୍ଣ୍ଣ ଯୁଗ ର ଆରମ୍ଭ କରିଛି.


ଏହି ଅବସରରେ ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ତଥା କ୍ରୀଡ଼ା ଓ ଯୁବ-କଲ୍ୟାଣ ଓ ଗୃହ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରା, ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ପରାମର୍ଶଦାତା ଶ୍ରୀ ଅନୁଭବ ପଟ୍ଟନାୟକ, 5T ସଚିବ ଶ୍ରୀ ଭି. କେ. ପାଣ୍ଡିଆନ୍‍, ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ମନୋଜ କୁମାର ମିଶ୍ର, ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ମାନସ ରଞ୍ଜନ ପଣ୍ଡା, ରମାଦେବୀ ବିଶ୍ୱବିଦ୍ୟାଳୟ ଉପ-କୁଳପତି ଅର୍ପିତା ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ୱରରେ କନ୍‍ସେନ୍‍ଟ୍ରିକ୍ସର ଏହି କଷ୍ଟମର ଏକ୍ସପିରିଏନ୍ସ ସେଣ୍ଟର ପ୍ରତିଷ୍ଠା ଫଳରେ ରାଜ୍ୟର ଅର୍ଥନୀତି ଅଧିକ ତ୍ୱରାନ୍ୱିତ ହୋଇପାରିବ ଏବଂ ଯୁବକଯୁବତୀମାନଙ୍କ ପାଇଁ ଉଚ୍ଚ-ବେତନଯୁକ୍ତ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ସୁଯୋଗମାନ ସୃଷ୍ଟି ହେବ । ଦୀର୍ଘ ୧୭ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ସମଗ୍ର ବିଶ୍ୱରେ କାର୍ଯ୍ୟ କରିଆସୁଥିବା ଏହି କମ୍ପାନି ହେଉଛି ପୃଥିବୀର ସର୍ବବୃହତ୍‍ ପେଶାଦାର ସେବା ଯେଗାଣକାରୀ ସଂସ୍ଥା । ଅଧିକନ୍ତୁ ‘ବ୍ରାଣ୍ଡ ଫାଇନାନ୍ସ’ ପକ୍ଷରୁ ଏହାକୁ ବିଶ୍ୱର ବଳିଷ୍ଠତମ ତଥା ସର୍ବାଧିକ ମୂଲ୍ୟଯୁକ୍ତ ବାଣିଜ୍ୟିକ ସେବା ବ୍ରାଣ୍ଡ୍‍ଭାବେ ସ୍ୱୀକୃତି ମିଳିଛି । ଭାରତ ସମେତ ବିଭିନ୍ନ ଦେଶରେ ଅବସ୍ଥାପିତ ଏହି କମ୍ପାନିର କେନ୍ଦ୍ରଗୁଡ଼ିକ ‘ସର୍ବୋତ୍ତମ କାର୍ଯ୍ୟସ୍ଥଳୀ’ ଭାବରେ ତାଲିକାଭୁକ୍ତ ହୋଇପାରିଛି ।

କନ୍‍ସେନ୍‍ଟ୍ରିକ୍ସ ଭୁବନେଶ୍ୱରରେ କଷ୍ଟମର ଏକ୍ସପିରିଏନ୍ସ ସେଣ୍ଟର ପ୍ରତିଷ୍ଠା କରିବାସହିତ ମହିଳା ସଶକ୍ତିକରଣ ଓ ନିଯୁକ୍ତି ସୁଯୋଗ ସୃଷ୍ଟିପାଇଁ ଇତ୍ୟବସରରେ ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସହିତ ଏକ ଚୁକ୍ତିନାମା ମଧ୍ୟ ସ୍ୱାକ୍ଷରିତ ହୋଇଥିଲା । ଏହି ଚୁକ୍ତିନାମା ଫଳରେ ବିଶ୍ୱବିଦ୍ୟାଳୟର ପରିସରରେ “କନ୍‍ସେନ୍‍ଟ୍ରିକ୍ସର ଏକ ଦକ୍ଷତା ବିକାଶ କେନ୍ଦ୍ର” ସ୍ଥାପନ କରାଯାଇ ଯୋଗ୍ୟା ଛାତ୍ରୀମାନଙ୍କୁ ବୃତ୍ତିଗତ ଦକ୍ଷତା ବୃଦ୍ଧି କରିବା ପାଇଁ ଆବଶ୍ୟକୀୟ ତାଲିମ ପ୍ରଦାନ କରାଯାଇ ନିଯୁକ୍ତି ପ୍ରଦାନ କରାଯିବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଖୁସି ବ୍ୟକ୍ତ କରିବାସହିତ କନ୍‍ସେନ୍‍ଟ୍ରିକ୍ସ କଷ୍ଟମର ଏକ୍ସପିରିଏନ୍ସ ସେଣ୍ଟର ଓଡ଼ିଶାର ସୂଚନା ଓ ପ୍ରଯୁକ୍ତିବିଦ୍ୟା ଅଭିବୃଦ୍ଧି କ୍ଷେତ୍ରରେ ଖୁବ ସାହାଯ୍ୟକାରୀ ହେବବୋଲି ଉଲ୍ଲେଖ କରିଥଲେ । କନ୍‍ସେନ୍‍ଟ୍ରିକ୍ସର ସମ୍ପ୍ରସାରଣରେ କନ୍‍ସେନ୍‍ଟ୍ରିକ୍ସର ଦ୍ରୁତ ଅଗ୍ରଗତି କାମନା କରିବା ସହ ଏହା ରାଜ୍ୟର ଯୁବକ-ଯୁବତୀମାନଙ୍କ ପାଇଁ ପ୍ରଯୁକ୍ତି ବିଦ୍ୟାକ୍ଷେତ୍ରରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ସେ ଆଶାପୋଷଣ କରିଥିଲେ ।

ପ୍ରାଥମିକ ପର୍ଯ୍ୟାୟରେ ୨୦୦୦ ପେଶାଦାର କର୍ମଚାରୀଙ୍କୁ ନେଇ ଆରମ୍ଭ କରାଯାଇଥିବା ଭୁବନେଶ୍ଵର କଷ୍ଟମର ଏକ୍ସପିରିଏନ୍ସ ସେଣ୍ଟରର କର୍ମଚାରୀ ନିଯୋଜନ ୫୦୦୦କୁ ଯଥାଶୀଘ୍ର ବୃଦ୍ଧି କରିବା ଦିଗରେ ଓଡ଼ିଶା ସରକାର ସବୁମତେ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ।

ଏହି ଅବସରରେ ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଏବଂ କନ୍‍ସେନ୍‍ଟ୍ରିକ୍ସ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ଚୁକ୍ତିନାମା ମହିଳା ନିଯୁକ୍ତି ଏବଂ ସଶକ୍ତିକରଣ କ୍ଷେତ୍ରରେ ଦିଗବାରେଣୀ ସାବ୍ୟସ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଶାବ୍ୟକ୍ତ କରିଥିଲେ ।

ପରିଶେଷରେ କନ୍‍ସେନ୍‍ଟ୍ରିକ୍ସର ପ୍ରମୁଖ କାର୍ଯ୍ୟକର୍ତ୍ତା ରବୀନ୍ଦ୍ର ସିଂ ରାଣ, ବରିଷ୍ଠ ଉପସଭାପତି, ରାଜ୍ୟ ସରକାରଙ୍କୁ ତାଙ୍କର ତ୍ୱରିତ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିବା ସହିତ ଆଗାମୀ ଦିନରେ କନ୍‍ସେନ୍‍ଟ୍ରିକ୍ସ ଓଡ଼ିଶାରେ ତାହାର କ୍ଷିପ୍ର ସଂପ୍ରସାରଣ କରି ପେଶାଦାର କର୍ମଚାରୀ ନିୟୋଜନ ସଂଖ୍ୟା ୨୦୦୦ ରୁ ୫୦୦୦କୁ ଖୁବଶୀଘ୍ର ବୃଦ୍ଧି କରାଯିବ ବୋଲି ଘୋଷଣା କରିଥିଲେ । ଏହି କର୍ମଚାରୀମାନଙ୍କ ମଧ୍ୟରୁ ୫୦ ପ୍ରତିଶତ ମହିଳା କର୍ମଚାରୀ ନିୟୋଜିତ ହେବେବୋଲି ସେ ପ୍ରତିଶୂତି ଦେଇଥିଲେ ।

ଆଗାମୀଦିନରେ ପୂର୍ବଭାରତରେ ଭୁବନେଶ୍ଵର କେନ୍ଦ୍ରକୁ ସୂଚନା ପ୍ରଯୁକ୍ତି ବିଦ୍ୟା ର ଏକ ପ୍ରମୁଖ କେନ୍ଦ୍ରରେ ପରିଣତ କରାଯିବ ବୋଲି ସେ ଆଶା ପ୍ରକାଶ କରିଥିଲେ।

Post Views73 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!