୧୯୧୨ ଏପ୍ରିଲ୍ରେ ସମୁଦ୍ର ମଧ୍ୟରେ ବୁଡ଼ିଯାଇଥିବା ବିଳାସପୂର୍ଣ୍ଣ ଜାହାଜ ଟାଇଟାନିକ୍। ଏହାର ୩ଡି ଚିତ୍ର ପ୍ରକାଶ ପାଇଛି। ବୈଜ୍ଞାନିକମାନେ ଗଭୀର ସମୁଦ୍ର ମ୍ୟାପିଂ ପ୍ରଯୁକ୍ତି ବିନିଯୋଗ କରି ପ୍ରଥମ ଥର ପାଇଁ ଟାଇଟାନିକ୍ ଧ୍ବଂସାବଶେଷର ଏକ ଅବିକଳ ଡିଜିଟାଲ୍ ନକଲ ପ୍ରସ୍ତୁତ କରିପାରିଛନ୍ତି।
ଆଟଲାଣ୍ଟିକ୍ ମହାସାଗରରେ ପ୍ରାୟ ୪,୦୦୦ ମିଟର ତଳେ ପଡ଼ିରହିଥିବା ଜାହାଜର ପ୍ରାୟ ସାତ ଲକ୍ଷ ଚିତ୍ର ଉତ୍ତୋଳନ କରାଯାଇ ଏହି ମ୍ୟାପ୍ ପ୍ରସ୍ତୁତ କରାଯାଇଛି। ଏଥିପାଇଁ ବିଶେଷଜ୍ଞମାନେ ୨୦୦ ଘଣ୍ଟାର ସର୍ଭେ କରିଥିଲେ।
ଏହାକୁ ଇତିହାସର ସବୁଠାରୁ ବଡ଼ ଜଳମଗ୍ନ ଚିତ୍ର ଉତ୍ତୋଳନ ପ୍ରକଳ୍ପ ବୋଲି କୁହାଯାଉଛି। ଏଥି ସହିତ ଟାଇଟାନିକ୍ ନେଇ ଗବେଷଣା ଓ ଅନୁସନ୍ଧାନର ଏକ ନବ ଯୁଗର ଆରମ୍ଭ ହୋଇଯାଇଛି। ଏହି ଜାହାଜର ଧ୍ବଂସାବଶେଷ ହେଉଛି ୧୫୦୦ରୁ ଅଧିକ ଲୋକଙ୍କ ଜୀବନ ନେଇଥିବା ଐତିହାସିକ ଜାହାଜ ବୁଡ଼ିର ଶେଷ ପ୍ରତ୍ୟକ୍ଷଦର୍ଶୀ।
ତେଣୁ ଏଥିରୁ ମିଳିଥିବା ଚିତ୍ର ସାହାଯ୍ୟରେ ଟାଇଟାନିକ୍ ବୁଡ଼ି ସମ୍ପର୍କିତ କେତେକ ଅସମାହିତ ପ୍ରଶ୍ନର ଉତ୍ତର ମିଳିପାରିବ ବୋଲି ଆଶା ରହିଛି।

