ଖ୍ୟାତନାମା କୃଷି ବିଜ୍ଞାନୀ ତଥା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ପ୍ରଭାତ କୁମାର ରାଉଳ ଚଳିତବର୍ଷର ମର୍ଯ୍ୟାଦାଜନକ ‘ପ୍ରାଣକୃଷ୍ଣ ପରିଜା ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।
ଆଗାମୀ ଜୁନ୍ ୨ତାରିଖ ସଂଧ୍ୟା ୬ଟାରେ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ଭବନଠାରେ ପ୍ରଫେସର ପରିଜା ମେମୋରିଆଲ୍ ସୋସାଇଟି ପକ୍ଷରୁ ପ୍ରଫେସର ପରିଜାଙ୍କ ପୂଣ୍ୟତିଥି ପାଳନ ଅବସରରେ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ସୋସାଇଟି ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି।
ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍ ଅନ୍ତର୍ଗତ ଡାଇଁକୂଳ ଗ୍ରାମରେ ୧୯୬୪ ମସିହା ସେପ୍ଟେମ୍ବର୍ ୨୭ ତାରିଖରେ ଜନ୍ମିତ ପ୍ରଫେସର୍ ରାଉଳ ପୂର୍ବରୁ ଓୟୁଏଟିରେ ଅଧ୍ୟାପକ, ପ୍ରାଧ୍ୟାପକ, ପ୍ରଫେସର ଓ ଡିନ୍ ଭାବରେ ଦକ୍ଷତାର ସହ କାର୍ଯ୍ୟ କରି ବିଶେଷ ଖ୍ୟାତି ଅର୍ଜନ କରିଛନ୍ତି। ସେ ଆପିକଲ୍ର ପରିଚାଳନା ନିର୍ଦ୍ଦେଶକ ଭାବରେ ବହୁ ଉନ୍ନୟନମୂଳକ କାର୍ଯ୍ୟ କରିବା ସହ କୃଷି ବିଜ୍ଞାନ ସମ୍ପର୍କିତ ୨୪ଟି ଗ୍ରନ୍ଥର ପ୍ରଣେତା ଏବଂ ୯ ଜଣ ପିଏଚ୍ଡି ଗବେଷକଙ୍କ ଗାଇଡ୍ ରହିଛନ୍ତି।
ସୂଚନାଯୋଗ୍ୟ, ଅନୁଷ୍ଠାନ ପକ୍ଷରୁ ପ୍ରତିବର୍ଷ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଉଦ୍ଭିଦ ବିଜ୍ଞାନୀ ପ୍ରଫେସର୍ ପ୍ରାଣକୃଷ୍ଣ ପରିଜାଙ୍କ ସ୍ମୃତିରେ ଏହି ସମ୍ମାନ ପ୍ରଦାନ କରାଯାଇଥାଏ।

