ବ୍ରଜକିଶୋର: ତାଳଚେରର ଅପ୍ରତିଦ୍ବନ୍ଦୀ ଜନନାୟକ

ମଧ୍ୟ ଓଡ଼ିଶାର ଚର୍ଚ୍ଚିତ, ଜନପ୍ରିୟ ତଥା ଜନମାନସରେ ଅତିପରିଚିତ ବ୍ୟକ୍ତିତ୍ବଙ୍କ କଥା ଉଠିଲେ ଆଗରେ ଆସନ୍ତି ବ୍ରଜକିଶୋର ପ୍ରଧାନ । ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ଟାଣୁଆ ନେତା ତଥା ବର୍ତ୍ତମାନର ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ । ଯେତେବେଳେ ଦେଶ ଜରୁରୀକାଳୀନ ସ୍ଥିତିରେ ସଂଘର୍ଷ କରୁଥିଲା, ସେଭଳି ଏକ ଘଡ଼ିସନ୍ଦି ମୁହୂର୍ତ୍ତରେ ଜନ୍ମଗ୍ରହଣ କରନ୍ତି ବ୍ରଜ କିଶୋର । ୧୯୭୫ ମସିହା ଜୁଲାଇ ୭ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ପୂର୍ଣ୍ଣଚନ୍ଦ୍ର ପ୍ରଧାନ । ତୁଳସୀ ଦୁଇପତ୍ରରୁ ବାସିବା ଭଳି ଯୁବାବସ୍ଥାରୁ ହିଁ ତାଙ୍କ ନେତୃତ୍ବ ନେବାର ଦକ୍ଷତା ପ୍ରତିଫଳିତ ହୋଇଥିଲା । କଲେଜ ସମୟରୁ ରାଜନୀତିରେ ବେଶ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ ବ୍ରକ କିଶୋର । ଲୋକଙ୍କ ଭଲପାଇବା ଓ ନିଜର ପରିଶ୍ରମ ବଳରେ ଖୁବ କମବୟସରେ ସେ ଜନତାଙ୍କ ଦ୍ବାରା ଆଦୃତ ଓ ଗ୍ରହଣୀୟ ହୋଇପାରିଥିଲେ । ଗତ ୧୫ ବର୍ଷ ଧରି ତାଳଚେରବାସୀଙ୍କ ଅକୁଣ୍ଠ ଭଲପାଇବା ଓ ସମର୍ଥନ ପାଇ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ବ୍ରଜକିଶୋର ପ୍ରଧାନ ।୨୦୦୯ ମସିହାରେ ବ୍ରଜକିଶୋରଙ୍କ ପ୍ରତ୍ୟେକ୍ଷ ରାଜନୈତିକ ଯାତ୍ରାର ଅୟମାରମ୍ଭ ହୋଇଥିଲା । ସେତେବେଳେ ରାଜ୍ୟରେ ବିଜେପି ଓ ବିଜେଡି ମେଣ୍ଟ ଭାଙ୍ଗି ସାରିଥାଏ । ରାଜ୍ୟରେ ଶକ୍ତିଶାଳୀ ଥାଏ ବିଜୁ ଜନତା ଦଳ । ଏଭଳି ସ୍ଥିତିରେ ତାଳଚେର ଭଳି ଖଣି ପ୍ରଦାନ ଅଞ୍ଚଳରେ ନିର୍ବାଚନ ପାଇଁ ମଇଦାନକୁ ଏକାକି ଓହ୍ଲାଇଥିଲେ ବ୍ରଜ କିଶୋର । ସ୍ବାଧୀନ ପ୍ରାର୍ଥୀଭାବେ ନାମାଙ୍କନ ଦାଖଲ କରି ନିର୍ବାଚନ ମଇଦାନରେ ଅବତୀନ୍ନ ହୋଇଥିଲେ । ସେତେବେଳେ ତାଳଚେର ପଲିଟିକାଲ ଗ୍ରାଉଣ୍ଡରେ ବିଜେଡି ଦଳର ପ୍ରାର୍ଥୀ ଥିଲେ ପୂର୍ବତନ ବିଧାୟକ ତଥା ଏବେର ଢେଙ୍କାନାଳ ସାଂସଦ ମହେଶ ସାହୁ । ହେଲେ ରାଜନୈତିକ ପଣ୍ଡିତଙ୍କ ସବୁ ଆକଳନକୁ ଭୁଲ ପ୍ରମାଣିତ କରିଦେଇଥିଲେ ବ୍ରଜକିଶୋର । ଉଭୟ ବିଜେପି ଓ ବିଜେଡି ପ୍ରାର୍ଥୀଙ୍କୁ ମାତ ଦେଇ ତାଳଚେର ରାଜନୀତିରେ ଲେଖିଥିଲେ ନୂଆ ଇତିହାସ । ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ବିଜେଡି ପ୍ରାର୍ଥୀଙ୍କୁ ୮ ହଜାର ୬୪୨ ଖଣ୍ଡ ଭୋଟରେ ପରାଜିତ କରିଥିଲେ । ୨୦୦୯ ସାଧାରଣ ନିର୍ବାଚନରେ ବ୍ରଜଙ୍କୁ ୩୭ ହଜାର ୪୮ ଖଣ୍ଡ ଭୋଟ ମିଳିଥିବାବେଳେ ମହେଶଙ୍କୁ ମିଳିଥିଲା ୨୮ ହଜାର ୪୦୬ ଖଣ୍ଡ ଭୋଟ । ସେବେଠୁ ବ୍ରଜକିଶୋରଙ୍କ ରାଜନୈତିକ ଯାତ୍ରାରେ ବ୍ରେକ ଲାଗିନି । ଲୋକଙ୍କ ସହିତ ରହି ସୁଖଦୁଃ ବୁଝିବାର ଫଳ ଜନତା ପ୍ରତି ନିର୍ବାଚନରେ ଦେଇଚାଲିଛନ୍ତି ।


ସ୍ବାଧୀନ ପ୍ରାର୍ଥୀ ଭାବେ ବିଜୟୀ ହୋଇ ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଥିବା ବ୍ରଜକିଶୋରଙ୍କୁ ୨୦୧୪ରେ ବିଜୁ ଜନତା ଦଳ କୋଳେଇ ନେଇଥିଲା । ବିଜେଡି ଟିକେଟରେ ୨୦୧୪ ମସିହାରେ ନିର୍ବାଚନ ଲଢି ୧୪ ହଜାର ୩୨୨ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ ବ୍ରଜକିଶୋର । ବ୍ରଜକିଶୋରଙ୍କ ଲୋକପ୍ରିୟତା କିଭଳି ବୃଦ୍ଧି ପାଉଥିଲା ତାହା ଭୋଟ ପ୍ରତିଶତ ହିଁ ସୂଚୀତ କରୁଥିଲା । ୨୦୦୯ରେ ସେ ୩୬.୨୧ ପ୍ରତିଶତ ଭୋଟ ପାଇଥିବାବେଳେ ୨୦୧୪ରେ ୪୬ .୯୫ ପ୍ରତିଶତ ଭୋଟ ହାସଲ କରିଥିଲେ । ଏହାପରେ ବ୍ରଜକିଶୋର ଅତୁଟ ଲୋକପ୍ରିୟତା ଯୋଗୁ ୨୦୧୯ରେ ବି ବିଜେଡି ତାଙ୍କୁ ଟିକେଟ ଦେଇଥିଲା । ଏଥର ମଧ୍ୟ ରୋକର୍ଡ ବ୍ୟବଧାନ ୨୪ହଜାର ୧୦୨ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ ବ୍ରଜକିଶୋର ।

ଲଗାତାର ୩ ଥର ତାଳଚେର ଆସନରୁ ଜିତି ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ବ୍ରଜକିଶୋର । ଏହା ଭିତେର ବିଜୁ ଜନତା ଦଳର ଜଣେ ଟାଣୁଆ ତଥା ଲୋକପ୍ରିୟ ନେତା ଭାବରେ ସେ ପରିଚିତ ହୋଇସାରିଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଗୁ୍ଡ୍ ବୁକରେ ମଧ୍ୟ ଅଛନ୍ତି ବ୍ରଜକିଶୋର । ଖାଲି ଜନପ୍ରିୟ ନେତା ନୁହଁନ୍ତି, ଜଣେ ଦକ୍ଷ ସଂଗଠକ ଭାବେ ମଧ୍ୟ ସେ ବେଶ୍ ଜଣାଶୁଣା । ତାଙ୍କ ରାଜନୈତିକ ଗୋଟି ଚାଳନା ଆଗରେ ବିରୋଧି ଲଗାତାର ବିଫଳ ହେଉଛନ୍ତି । ଲୋକଙ୍କ ସୁଖଦୁଃଖରେ ଠିଆ ହୋଇ ସମସ୍ତଙ୍କର ମନଜିଣିଥିବା ବ୍ରଜକିଶୋରଙ୍କୁ ସାମ୍ନା କରିବାକୁ ସଫଳ ହୋଇପାରୁନାହାନ୍ତି ଉଭୟ ବିଜେପି ଓ କଂଗ୍ରେସ । ଜନସେବାର ମନ୍ତ୍ର ନେଇ ଆଗକୁ ବଢୁଥିବା ବ୍ରଜ କିଶୋରଙ୍କୁ ଆଗାମୀ ଦିନରେ ବି ଜନତା ଆଶୀର୍ବାଦ ଅଜାଡ଼ି ଦେବେ ବୋଲି ତାଳଚେରରେ ଚର୍ଚ୍ଚାର ପରିସର ପାଲଟିଛି ।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!