ଓଡ଼ିଶା ଖଣି ନିଗମ(ଓଏମ୍ସି) ର ଦୁଇ ଦିନିଆ ବାର୍ଷିକ ସାଂସ୍କୃତିକ ଉତ୍ସବ ରବୀନ୍ଦ୍ର ମଣ୍ଡପରେ ଆରମ୍ଭ ହୋଇଛି। ଉଦ୍ଘାଟନୀ ସଭାରେ ଅତିଥି ଭାବେ ଓଏମ୍ସିର ଅର୍ଥ ନିର୍ଦ୍ଦେଶକ ସତ୍ୟଜିତ୍ ମହାନ୍ତି, ପ୍ରକଳ୍ପ ଓ ଯୋଜନା ନିର୍ଦ୍ଦେଶକ କ୍ଷୀରୋଦ କୁମାର ବ୍ରହ୍ମା, ମହାପ୍ରବନ୍ଧକ(ପି ଆଣ୍ଡ ଏ) ଅଶୋକ କୁମାର ବେହେରା ପ୍ରମୁଖ ଯୋଗଦେଇଥିଲେ।
ନିୟମିତ ଅଭିବୃଦ୍ଧି ପାଇଁ ଓଏମ୍ସି ରାଜ୍ୟ ତଥା ରାଜ୍ୟ ବାହାରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ବୋଲି ସେମାନେ କହିଥିଲେ। ଚଳିତ ବର୍ଷ ଓଏମ୍ସିର ଉତ୍ପାଦନ, ବିକ୍ରୟ ଓ ଲାଭରେ ୬୮ ବର୍ଷର ରେକର୍ଡ ଅତିକ୍ରମ କରିଛି ବୋଲି ଅତିଥିମାନେ କହିଥିଲେ।
ଏହି ଅବସରରେ ନିଗମର ଅଧିକାରୀ, କାର୍ଯ୍ୟକର୍ତ୍ତା ଓ ସେମାନଙ୍କ ପରିବାର ସଦସ୍ୟମାନେ ଉତ୍ସବରେ ଯୋଗଦେଇ ଓଡ଼ିଶୀ, ସମ୍ବଲପୁରୀ, ଆଧୁନିକ ନୃତ୍ୟ ଓ ସଂଗୀତ ପରିବେଷଣ କରିଥିଲେ। ସେହିଭଳି ଶିଶୁ କଳାକାରମାନଙ୍କର ପ୍ରତିଭା ପ୍ରଦର୍ଶନ ବେଶ୍ ମନଛୁଆଁ ହୋଇଥିଲା।
ଶେଷରେ ଅନୁଷ୍ଠାନ ପକ୍ଷରୁ ନାଟକ ‘ମିଛ ମରିଚୀକା’ ମଞ୍ଚସ୍ଥ ହୋଇଥିଲା। ଏହି ନାଟକର ନିର୍ଦ୍ଦେଶନା ଲାଲା ବୀରେନ୍ ରାୟ ଦେଇଥିଲା ବେଳେ ନୃତ୍ୟ ଓ ସଂଗୀତ ଦାୟିତ୍ବ ନେଇଥିଲେ ଶକ୍ତି ଓ ଜାଭେଦ୍ .

