ନୁଆ ରୂପ ପାଇବ କୋଟିଆ:ବିଭିନ୍ନ ଗାଁ ବୁଲି ଉନ୍ନୟନମୂଳକ କାର୍ଯ୍ୟର କରାଗଲା ସମୀକ୍ଷା

ଆନ୍ଧ୍ର ଓଡ଼ିଶାର ବିବାଦୀୟ କୋଟିଆ ଅଞ୍ଚଳରେ ବିଭିନ୍ନ ଗାଁ ଗସ୍ତରେ ପଞ୍ଚାୟତ ସଚିବ ସୁଶୀଲ କୁମାର ଲୋହାନୀ । ଅଢ଼େଇ ଘଣ୍ଟା ଧରି କୋଟିଆର ବିଭିନ୍ନ ଗାଁକୁ ଯାଇ ହିତାଧିକାରୀଙ୍କୁ ଭେଟିବା ସହ ମହୁ ଉତ୍ପାଦନ କେନ୍ଦ୍ର ବୁଲି ଦେଖିଛନ୍ତି। ଏଥି ସହିତ ସ୍ବଂୟ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ସହ ଶ୍ରୀ ଲୋହାନି ଆଲୋଚନା କରିଛନ୍ତି।

ସଚିବ ଶ୍ରୀ ଲୋହାନି କୋଟିଆରେ ପହଞ୍ଚିବା ପରେ କୁରୁଡ଼ିପଦର ଗ୍ରାମକୁ ଯାଇ ବିଜୁ ପକ୍କା ଘର ଯୋଜନାରେ ନିର୍ମାଣାଧୀନ ୧୫ଟି କ୍ଲଷ୍ଟର ଘର ପରିଦର୍ଶନ କରିବା ସହିତ ହିତାଧିକାରୀଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ଏହା ପରେ ଓର୍‌ମାସ ଦ୍ୱାରା ପରିଚାଳିତ ଝାଡ଼ୁ ବିକ୍ରୟ କେନ୍ଦ୍ରକୁ ଯାଇ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନଙ୍କ ସହିତ ଆଲୋଚନା କରିଥିଲେ। ପଟାଙ୍ଗି ବ୍ଲକ୍ ପକ୍ଷରୁ ମନରେଗା ଯୋଜନାରେ ଚାଲିଥିବା ଝାଡ଼ୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ସମ୍ପର୍କରେ ତାଙ୍କୁ ଅବଗତ କରିଥିଲେ ବିଭାଗୀୟ ଅଧିକାରୀ।

କୁରୁଡ଼ିପଦରରୁ ଫେରିବା ପରେ କୋଟିଆସ୍ଥିତ ସୌରଶକ୍ତି ପରିଚାଳିତ ଶୀତଳ ଭଣ୍ଡାର, ସ୍ୱତନ୍ତ୍ର କେନ୍ଦ୍ରୀୟ ଅନୁଦାନ ମାଧ୍ୟମରେ ନିର୍ମିତ ମାର୍କେଟ କମ୍ପ୍ଲ‌େକ୍ସ ବୁଲି ଦେଖିଥିଲେ ଶ୍ରୀ ଲୋହାନି। ପିଡିଏସ୍‌ ବିତରଣ ବ୍ୟବସ୍ଥାର ଅନୁଧ୍ୟାନ କରି ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହା ପରେ ସେ ମାଡକାରସ୍ଥିତ ଆଦର୍ଶ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିଥିଲେ। ମାଡକାରରେ ମନରେଗାରେ ନିର୍ମାଣଧୀନ କ୍ଲଷ୍ଟର ଗୋଶାଳା ପରିଦର୍ଶନ କରିବା ପରେ ଗାଲିଗବଡ଼ର ପର୍ଯ୍ୟଟନସ୍ଥଳୀ ବୁଲି ଦେଖିଥିଲେ। ପର୍ଯ୍ୟଟନସ୍ଥଳୀର ବିକାଶ କରିବାକୁ ସେ ପରାମର୍ଶ ଦେଇଥିଲେ। କୋଟିଆ ଗସ୍ତ ସାରି ଶ୍ରୀ ଲୋହାନି ବୋରିଗୁମ୍ମା ବ୍ଲକ୍ ଗସ୍ତରେ ଯାଇଥିଲେ। ଜିଡିପୁଟ ମଡେଲ ଅଙ୍ଗନବାଡି କେନ୍ଦ୍ର, ମୁଣ୍ଡାଗୁଡା ୫-ଟି ସରକାରୀ ଉଚ୍ଚବିଦ୍ୟାଳୟ, ଜୁଝାରୀରେ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗ, ଆଉଁଳିରେ ଫୁଡ୍‌ କୋର୍ଟ ପରିଦର୍ଶନ କରିଥିଲେ।

ସଚିବ ଶ୍ରୀ ଲୋହାନିଙ୍କ ସହ ସ୍ବତନ୍ତ୍ର ପ୍ରକଳ୍ପ ନି‌ର୍ଦ୍ଦେଶକ ଅରିନ୍ଦମ ଡାକୁଆ ଏହି ଗସ୍ତରେ ଆସିଥିଲେ। ସଚିବଙ୍କ ଗସ୍ତ ସମୟରେ ଜିଲ୍ଲାପାଳ ଅବଦ୍ଦଲ ଏମ୍‌. ଅଖତର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଗୌରବ ଶିବାଜୀ ଇଶାଲୱାର, ପିଏ ଆଇଟିଡିଏ ସୌମ୍ୟ ସାର୍ଥକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀ ଲୋହାନିଙ୍କ ପୂର୍ବରୁ ଗତ ରବିବାର କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ ଓ ଉଦ୍ୟାନ କୃଷି ବିଭାଗ ନିର୍ଦ୍ଦେଶକ ରୋହିତ ‌ଲେଙ୍କା କୋଟିଆ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରି ଫେରିଥିଲେ।

Post Views71 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!