୪୩୬୦ କୋଟି ଟଙ୍କା ବିନିଯୋଗ କରିବ ଗ୍ଲୋବାଲ୍‌‌ ଏଚ୍‌‌ଡିଆଇ

ଅନେକ ଖ୍ୟାତନାମା କମ୍ପାନୀ ଓଡ଼ିଶା ସହ ଶିଳ୍ପ ସମ୍ପର୍କ ସ୍ଥାପନ ଓ ନିବେଶ ନିମନ୍ତେ ଆଗ୍ରହ ପ୍ରକାଶ କରିଛନ୍ତି। ସିଲିକନ୍‌‌ ଭ୍ୟାଲିରେ ଆଇଟି, ସେମିକଣ୍ଡକ୍ଟର ଡିଜାଇନ୍‌‌ ଏବଂ ଅଟୋମେସନ୍‌‌, ଭିସି, ପ୍ରୋଫେସନାଲ ସର୍ଭିସ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ/ମେସିନ୍‌‌ ଲର୍ଣ୍ଣିଂ ଏବଂ ୫-ଟି କ୍ଷେତ୍ରରେ ଉତ୍କର୍ଷ ଲାଭ କରିଥିବା କମ୍ପାନୀ ସମୁହ ରାଜ୍ୟ ସରକାରଙ୍କ ପ୍ରତିନିଧି ଦଳଙ୍କୁ ସାକ୍ଷାତ କରି ଓଡ଼ିଶାରେ ପୁଞ୍ଜି ନିବେଶ କରିବା ଲାଗି ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି। କାଡେନ୍ସ ଡିଜାଇନ୍‌‌ ସିଷ୍ଟମ୍ସ, ଇଣ୍ଟେଗ୍ରେଓନ୍‌‌, ଇଫେବଲେସ୍‌‌ କର୍ପୋରେସନ୍‌‌ଙ୍କ ଭଳି ବହୁରାଷ୍ଟ୍ରୀୟ କମ୍ପାନୀର ପ୍ରତିନିଧିମାନେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଏବଂ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ସେହିପରି ବିଶ୍ୱର ଏକ ପ୍ରମୁଖ ଆଇଟି କମ୍ପାନୀ କଗନିଜାଣ୍ଟ ଟେକ୍ନୋଲୋଜି ସଲ୍ୟୁସନ୍ସ (ସିଟିଏସ୍‌‌) ସହିତ ଫଳପ୍ରଦ ଆଲୋଚନା ହୋଇଛି।

ରାଜ୍ୟ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ ବରିଷ୍ଠ ଅଧିକାରୀମାନେ ଆଜି ଗ୍ଲୋବାଲ୍‌‌ ଏଚ୍‌‌ଡିଆଇ ପିସିବି ମାନୁଫାକ୍‌‌ଚରି ଆଇଏନ୍‌‌ସି, ୟୁଏସ୍‌‌ର ପ୍ରତିଷ୍ଠାତା ତଥା ଇଣ୍ଟେଲର ପୂର୍ବତନ ନିର୍ବାହୀ ପିଆର ପଟେଲଙ୍କ ସହ ଆଲୋଚନା କରିଛନ୍ତି। ଆଇଟି ତଥା ସେମିକଣ୍ଡକ୍ଟର ଉତ୍ପାଦକମାନଙ୍କ ପାଇଁ ରାଜ୍ୟ ସରକାର କରିଥିବା ଆର୍ଥିକ ଏବଂ ଅନ୍ୟ ପ୍ରୋତ୍ସାହନ ସମ୍ପର୍କରେ ଶ୍ରୀ ପଟେଲଙ୍କୁ ସୂଚନା ପ୍ରଦାନ କରାଯାଇଛି। ବିସ୍ତୃତ ଆଲୋଚନା ପରେ ଶ୍ରୀ ପଟେଲ ଓଡ଼ିଶାରେ ଏଚ୍‌‌ଡିଆଇ-ପିସିବି ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବା ପାଇଁ ସହମତି ପ୍ରକାଶ କରିଛନ୍ତି। ଆଗାମୀ ସାତ ବର୍ଷ ମଧ୍ୟରେ କମ୍ପାନୀ ଓଡ଼ିଶାରେ ୪୩୬୦ କୋଟି ଟଙ୍କା ବିନିଯୋଗ କରିବା ନେଇ ଆଶ୍ୱାସନା ଦେଇଛି। କମ୍ପାନୀ ୩୫୦୦ ଲୋକଙ୍କୁ କର୍ମନିଯୁକ୍ତି ପ୍ରଦାନ କରିବା ସହିତ ରାଜ୍ୟରେ ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ଆହୁରି ସୁଦୃଢ଼ କରାଯିବ ବୋଲି କହିଛି। ଏଚ୍‌‌ଡିଆଇ-ପିସିବି ହେଉଛି ଏକ ପ୍ରକାରର ପ୍ରିଣ୍ଟେଡ୍‌‌ ସର୍କିଟ୍‌‌ ବୋର୍ଡ (ପିସିବି) ଯାହା ପାରମ୍ପରିକ ସର୍କିଟ୍‌‌ ବୋର୍ଡ ଠାରୁ ଅଧିକ ଦକ୍ଷ।

ଉଚ୍ଚ କ୍ଷମତା ସମ୍ପନ୍ନ ସିଗନାଲ ସରବରାହ କ୍ଷେତ୍ରରେ ଏହାର ଅନେକ ଉପାଦେୟତା ରହିଛି। ଶ୍ରୀ ପଟେଲଙ୍କ ପ୍ରତିନିଧି ଖୁବ୍‌‌ ଶୀଘ୍ର ଓଡ଼ିଶା ଗସ୍ତରେ ଆସିବେ ବୋଲି ଜଣାପଡ଼ିଛି। ସେହିପରି ଇଣ୍ଟେଗ୍ରେଓନ୍‌‌ ସିଇଓ ସୁବ୍ରତୋ ମୁଖାର୍ଜୀ ମଧ୍ୟରେ ୫୦୦ କ୍ଷମତା ବିଶିଷ୍ଟ ଡେଭଲପମେଣ୍ଟ ସେଣ୍ଟର ଭୁବନେଶ୍ୱରରେ ପ୍ରତିଷ୍ଠା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Post Views104 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!