ଆଗୁଆ ନିର୍ବାଚନ ପାଇଁ ବିଜେଡି ଏବେଠୁ ସମରସଜ୍ଜା ଆରମ୍ଭ କଲାଣି । ଦଳ ବିଭିନ୍ନ ନିର୍ବାଚନମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରି ସଙ୍ଗଠନକୁ ସୁଦୃଢ କରିବା ଦିଗରେ କାର୍ଯ୍ୟ ଜାରି ରଖିଛି । ଗ୍ରାଉଣ୍ଡରୁ ଠିକ୍ ତଥ୍ୟ ଦେବାକୁ ପର୍ଯ୍ୟବେକ୍ଷକଙ୍କୁ ନିର୍ଦ୍ଦେଶ ମିଳିଥିବା କୁହାଯାଉଛି । କେବଳ ଏତିକି ନୁହେଁ ନୂଆ ନିଯୁକ୍ତ ହୋଇଥିବା ପର୍ଯ୍ୟବେକ୍ଷକଙ୍କୁ ନେଇ ମଧ୍ୟ ଦଳ ଅଙ୍କ କଷୁଥିବା ନେଇ ଭିତିରିଆ ସୂଚନା ମିଳିଛି । ଅଥାର୍ତ ଯଦି ନିର୍ବାଚନ ପର୍ଯ୍ୟନ୍ତ ସବୁ କିଛି ଠିକ୍ ଚାଲେ ତେବେ ନବନିଯୁକ୍ତ ପର୍ଯ୍ୟବେକ୍ଷକଙ୍କ ମଧ୍ୟରୁ କାହାକୁ ଦଳ ପ୍ରତ୍ୟକ୍ଷ ଭାବେ ନିର୍ବାଚନ ମୈଦାନକୁ ଓହ୍ଲାଇବାର ଯଥେଷ୍ଟ ଅଧିକ ସମ୍ଭାବନା ରହିଛି ।
ଗତ କିଛି ଦିନ ତଳେ ଭୁବନେଶ୍ୱର ଓ ବ୍ରହ୍ମପୁର ଲୋକସଭା ଆସନ ପାଇଁ ବିଜେଡି ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି । ଏମିତିରେ ଭୁବନେଶ୍ୱର ଓ ବ୍ରହ୍ମପୁର ଲୋକସଭା ଆସନରେ ଦଳ କାହାକୁ ପ୍ରାର୍ଥୀ କରିବ ତାହାର ଉତ୍ତର କାହା ପାଖରେ ନାହିଁ । ଏଭଳିସ୍ଥଳେ ଦୁଇ ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ ଦେଇ ଦଳ ପରୀକ୍ଷାନିରୀକ୍ଷା କରିବାକୁ ଯୋଜନା କରୁଥିବା ନେଇ ଚର୍ଚ୍ଚା ହେଉଛି । ଉଭୟ ବ୍ରହ୍ମପୁର ଓ ଭୁବନେଶ୍ୱର ଲୋକସଭା ଆସନ ଦଳ ପାଇଁ ବେଶ ଗୁରୁତ୍ୱପପୂର୍ଣ୍ଣ । ବ୍ରହ୍ମପୁର ଲୋକସଭା ଆସନ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ଜିଲ୍ଲା ଭିତରେ ଆସୁଥିବା ବେଳେ ଭୁବନେଶ୍ୱର ଲୋକସଭା ଅଧିନରେ ରାଜଧାନୀ ରହୁଥିବାରୁ ଦଳର ଫୋକସରେ ଏହି ୨ ଆସନ ରହିଛି । ଏହାଛଡା ବ୍ରହ୍ମପୁର ବିଜେଡିର ଗଡ ଭାବେ ପରିଚିତ ଥିବା ବେଳେ ଭୁବନେଶ୍ୱର ଆସନକୁ ପୁଣିଥରେ ନିଜ କବଜାକୁ ଆଣିବାକୁ ଆଗୁଆ ପ୍ରସ୍ତୁତି ସ୍ୱରୂପ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛି ଦଳ । ପର୍ଯ୍ୟବେକ୍ଷକଙ୍କ ଜରିଆରେ ଦଳର ସାଙ୍ଗଠନିକ ସ୍ଥିତି ପରଖିବା ସହ ପ୍ରାର୍ଥୀ ଖୋଜା ଅଭିଯାନ ମଧ୍ୟ ଜାରି ରଖିଥିବା କୁହାଯାଉଛି।
ଭୁବନେଶ୍ୱର ଓ ବ୍ରହ୍ମପୁର ଆସନ ପାଇଁ ଦଳ ଯଦି ଉପଯୁକ୍ତ ପ୍ରାର୍ଥୀ ନପାଏ ତେବେ ନିର୍ବାଚନମଣ୍ଡଳୀ ଦାୟିତ୍ୱରେ ଥିବା ପର୍ଯ୍ୟବେକ୍ଷକଙ୍କୁ ଦାୟିତ୍ୱ ଦେବାକୁ ଦ୍ୱିଧା କରିନପାରନ୍ତି ବିଜେଡି ସୁପ୍ରିମୋ । ଏନେଇ ଦଳ ଭିତରେ ଛୋଟ ଧରଣର ଚର୍ଚ୍ଚା ଆରମ୍ଭ ହୋଇଛି । ଏହାଦ୍ୱାରା ଦଳ ଭିତରେ ପ୍ରାର୍ଥୀ ଚୟନକୁ ନେଇ ଯେଉଁ ଅସନ୍ତୋଷ ଦେଖିବାକୁ ମିଳେ ତାହା ଦେଖିବାକୁ ମିଳିବନି ବୋଲି କୁହାଯାଉଛି । ଯାହା ଦଳ ପାଇଁ ବେଶ ଲାଭଦାୟକ ସାବ୍ୟସ୍ତ ହେବବୋଲି ଚର୍ଚ୍ଚା ହେଉଛି




