()ଛାତ୍ରଛାତ୍ରୀ ପଢିବେ ତାଳପତ୍ର ପୋଥି। ପାଠ୍ୟକ୍ରମରେ ହେବ ସାମିଲ। ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟକୁ ସଂସ୍କୃତି ବିଭାଗର ପ୍ରସ୍ତାବ। ଆଗାମୀ ପିଢି ଜାଣିବେ ପ୍ରାଚୀନ କଳା, ସାହିତ୍ୟ, ସଂସ୍କୃତି, ଗଣିତ, ବାସ୍ତୁ, ଇତିହାସ, ଆୟୁର୍ବେଦ, ଶିଳ୍ପ। ପୋଥି ଯୋଗାଇ ଦେବ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ। ୩୭ ହଜାର ପୋଥିରୁ ଛାତ୍ରଛାତ୍ରୀ ଖୋଜିବେ ପୂର୍ବଜଙ୍କ ଜୀବନଶୈଳୀ। ପ୍ରାଚୀନ ପୋଥିରୁ ଛାତ୍ରଛାତ୍ରୀ ଲେଖିବା ଏବଂ ପଢିବା ଶିଖିବେ। ପୁରାତନ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ମୁକସାକ୍ଷୀ ହେଉଛି ତାଳପତ୍ର ପୋଥି। ଏଗୁଡିକର ସଂଶୋଧନ, ସଂରକ୍ଷଣ ଏବଂ ସମ୍ପାଦନ ପାଇଁ ଉଦ୍ୟମ ଆରମ୍ଭ କରିଛି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ। ଏନେଇ ଗତ ୧୫ତାରିଖରୁ ଆରମ୍ଭ ହୋଇଛି ପ୍ରଶିକ୍ଷଣ ଶିବିର। ଏଥିରେ ୧୦୦ଜଣ ଛାତ୍ରଛାତ୍ରୀ ପ୍ରଶିକ୍ଷଣ ନେଉଛନ୍ତି ।
ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖି ଏହାକୁ ଆଉ ପଦେ ଆଗକୁ ନେବାକୁ ଉଦ୍ୟମ କରିଛି ସଂସ୍କୃତି ବିଭାଗ। ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟରେ ମ୍ୟୁଜୋଲୋଜି ବିଭାଗରେ ଛାତ୍ରଛାତ୍ରୀଙ୍କୁ ପୋଥି ପଢାଇବାକୁ ବ୍ୟବସ୍ଥା କରାଯିବ । ପାଠ୍ୟକ୍ରମରେ ତାଳପତ୍ର ପୋଥି ସାମିଲ ପ୍ରୟାସ ନେଇ ବେଶ ଉତ୍ସାହିତ ହୋଇଛନ୍ତି ଛାତ୍ରଛାତ୍ରୀ। ବିଶେଷ କରି ପୋଥିରେ ଲେଖା ଥିବା କରଣୀ ଅକ୍ଷର ପଢିବା ପରେ ବିଶେଷ ଜ୍ଞାନ ମିଳୁଛି । ତାଳପତ୍ରରେ ପୂର୍ବପୁରୁଷ ଲେଖିଥିବା ଅନେକ ନୂଆ ନୂଆ କଥା ଶିଖିବାକୁ ମିଳୁଛି। ମହାଭାରତ ଏବଂ ଏଥିରେ ଥିବା ଚରିତ୍ରଙ୍କ ସମ୍ପର୍କରେ ତାଳପତ୍ର ପୋଥିରେ କିଛି ଭିନ୍ନ ତଥ୍ୟ ରହିଥିବା ପ୍ରଶିକ୍ଷଣ ନେଉଥିବା ଛାତ୍ରଛାତ୍ରୀ କହିଛନ୍ତି। କେବଳ ପୌରାଣିକ ନୁହେଁ ବାସ୍ତୁ, ଶିଳ୍ପ, ଗଣିତ, ଆର୍କିଟେକ୍ଟ ଭଳି ପୁରାତନ ଟେକ୍ନିକ୍ ଜାଣିପାରୁଛନ୍ତି ଛାତ୍ରଛାତ୍ରୀ। ତାଳପତ୍ର ପୋଥିକୁ ପାଠ୍ୟକ୍ରମରେ ସାମିଲ କଲେ ଗବେଷଣା କରୁଥିବା ଛାତ୍ରଛାତ୍ରୀ ଅନେକ ଗୁଢ ରହସ୍ୟ ଜାଣିପାରିବେ।



