() ନା ସହିହେଉଛି ନା ରହିହେଉଛି । ନା ନିଶ୍ବାସ ମାରି ହେଉଛି ନା ଭଲ ଭାବେ ବଞ୍ଚିହେଉଛି । ସବୁକିଛି ଦୃଶ୍ୟ ଅସ୍ପଷ୍ଟ । ହଁ… ଏପରି ଅବସ୍ଥାରେ ଦିଲ୍ଲୀବାସୀ ସନ୍ତୁଳିତ ହେଉଥିବାବେଳେ ଫେରିଛି ଯୁଗ୍ମ-ଅଯୁଗ୍ମ ଫର୍ମୁଲା । ଆସନ୍ତା ୧୩ରୁ ୨୦ ଯାଏ ବଳବତ୍ତର ରହିବ ନିଷ୍ପତ୍ତି । ନିୟମ ଅନୁସାରେ ନମ୍ବର ପ୍ଲେଟର ଶେଷ ଅଙ୍କ ଥିବା ୧, ୩, ୫, ୭ ଗାଡିଗୁଡିକ ଅଯୁଗ୍ମ ତାରିଖରେ ଚାଲିବ । ନମ୍ବର ପ୍ଲେଟର ଶେଷ ଅଙ୍କ ଥିବା ୦, ୨, ୪, ୬, ୮ ଗାଡିଗୁଡିକ ଯୁଗ୍ମ ତାରିଖରେ ଚାଲିବ । ତେବେ ଏହି ନୀତି କେମିତି ଲାଗୁ କରାଯିବ ଏ ନେଇ ଆସନ୍ତାକାଲି ବୈଠକରେ ନିଷ୍ପତ୍ତି ନିଆଯିବ । ତେଣେ କେବଳ ଦଶମ ଓ ଦ୍ବାଦଶ ଶ୍ରେଣୀ ବ୍ୟତୀତ ସମସ୍ତ ସ୍କୁଲ ନଭେମ୍ବର ୧୦ ଯାଏ ରହିବ ବନ୍ଦ । ବିଏସ ଥ୍ରୀ ପେଟ୍ରୋଲ ଓ ବିଏସ ଫୋର ଡିଜେଲ କାର ଉପରେ ନିଷିଦ୍ଧାଦେଶ ବଳବତ୍ତର ରହିବ । ସରକାରୀ ଓ ବେସରକାରୀ ସ୍ତରରେ ୫୦ ପ୍ରତିଶତ କର୍ମଚାରୀଙ୍କ ଲାଗି ଓ୍ବାର୍କ ଫ୍ରେମ ନୀତି ଚାଲୁ ରହିବ । ନିର୍ମାଣ କାର୍ଯ୍ୟ ବନ୍ଦ ରଖାଯାଇଛି ।
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ପ୍ରଦୂଷଣ ମୁକାବିଲା ନେଇ ହୋଇଛି ଆକ୍ସନପ୍ଲାନ । ପ୍ରଦୂଷଣକୁ ଦୃଷ୍ଟିରେ ରଖି ଗ୍ରେଡେଡ ରେସପନସ୍ ଆକ୍ସନ ପ୍ଲାନ ବା ଗ୍ରାପର ପ୍ଲାନ ୪ ଲାଗୁ କରାଯାଇଛି । ଏକ୍ୟୁଆଇ ୪୫୦ ପାର୍ ହେବା ପରେ ଦିଲ୍ଲୀ ସରକାର ଏହି ଚୂଡ଼ାନ୍ତ ପଦକ୍ଷେପ ନେଇଛନ୍ତି । ଆଜି ଦିଲ୍ଲୀର ଆରକେ ପୁରମରେ ଏକ୍ୟୁଆଇ ୪୬୬ ଥିବାବେଳେ ଆଇଟିଓରେ ୪୦୨, ପତପରଗଞ୍ଜରେ ୪୭୧, ନ୍ୟୁମୋତି ବାଗରେ ୪୮୮ ରହିଛି । ବାୟୁ ପ୍ରଦୂଷଣ ରୋକିବାକୁ ବିଭିନ୍ନ ସ୍ଥାନରେ ୧୨ଟି ଅଗ୍ନିଶମ ଗାଡି ନିୟୋଜିତ କରାଯାଇଛି । ବାୟୁ ଗୁଣବତ୍ତାର ପ୍ରଭାବ ସ୍ବାସ୍ଥ୍ୟ ଉପରେ ପଡୁଛି । ଶ୍ବାସକ୍ରିୟାରେ ଗୁରୁତର ବ୍ୟାଘାତ ସୃଷ୍ଟି ହେଉଥିବାବେଳେ ପ୍ରଦୂଷଣ ଯୋଗୁ ହୃଦଘାତ,ଫୁସଫୁସ୍ କ୍ୟାନସର,ବ୍ରେନ୍ ଷ୍ଟ୍ରୋକ୍, ଆଥ୍ରିଟିସ୍ ଭଳି ମାରାତ୍ମକ ରୋଗ ହେବା ଆଶଙ୍କା ରହିଛି । ଶିଶୁ,ବୟସ୍କ, ଗର୍ଭବତୀ ଓ ରୋଗୀଙ୍କ କ୍ଷେତ୍ରରେ ଏହା ହୋଇଥାଏ ମାରାତ୍ମକ ।


