ଜହ୍ନର ମାଲିକ କିଏ ?

ଆନମନା କରେ ଦୂର ଆକାଶରେ ଝଟକୁଥିବା ରୂପେଲି ଥାଳିଆ ଭିତରେ ସେ ଠେକୁଆ ଚିତ୍ର । ପୂର୍ଣ୍ଣିମା ରାତିର ସାଥି ସେହି ଚନ୍ଦ୍ର । ପୃଥିବୀର ଅନ୍ଧକାରକୁ ଚିରି ଶୀତଳ କୀରଣ ବିଚ୍ଛୁରିତ କରୁଥିବା ଦୂର ଆକାଶର ସେ ଜହ୍ନ, ଏବେ ଆହୁରି ନିଜର ନିଜର ଲାଗୁଛି । ଯେମିତି ବେଶ୍ କିଛି କୋଟିକୋଟି ବର୍ଷ ପରେ କମିଯାଇଛି ଚନ୍ଦ୍ର ଆଉ ପୃଥିବୀ ଭିତରର ଲକ୍ଷଲକ୍ଷ ମାଇଲ ଦୂରତା । ଯେମିତି ହାତ ପାହାନ୍ତାରେ ପହଞ୍ଚିଛି ଚନ୍ଦ୍ର । ଚନ୍ଦ୍ରୟାନ-୩ ଲଞ୍ଚିଂ ପରେ ଏମିତି କିଛି ଅନୁଭବ କରୁଛନ୍ତି ଭାରତବାସୀ ।
ଆଜି ସେହି ଜହ୍ନ ରାଇଜରେ ଘର କରିବାକୁ ବାହାରିଛନ୍ତି ଲୋକେ । ବିଜ୍ଞାନର ଅଗ୍ରଗତି, ବୈଜ୍ଞାନିକମାନଙ୍କ ନିରବଚ୍ଛିନ୍ନ ପ୍ରୟାସ ଓ ଆଧୁନିକ ଜ୍ଞାନ କୌଶଳ ବଳରେ ଆଜି ମଣିଷ ଚନ୍ଦ୍ରପୃଷ୍ଠରେ କେବଳ ପହଞ୍ଚି ନାହିଁ ସେଠାରେ ଜମି ମଧ୍ୟ କିଣିଛି । ହଁ ଜହ୍ନରେ ବିକ୍ରି ହେଉଛି ଜମି । ବେଶ କିଛି ମୋଟା ଅଙ୍କର ଟଙ୍କା ଦେଇ ଖଣ୍ଡେଖଣ୍ଡେ ପ୍ଲଟ କିଣି ନେଉଛନ୍ତି ଲୋକେ । ଅନ୍ତରୀକ୍ଷର ଏକ ଉପଗ୍ରହରେ ଜମି ବିକ୍ରିଲାଗି ପୃଥିବୀରେ ହେଉଛି ରେଜିଷ୍ଟ୍ରେସନ । 2023 ଅଗଷ୍ଟ 23ରେ ଚନ୍ଦ୍ରପୃଷ୍ଠ ଛୁଇଁବା ଲାଗି ଚନ୍ଦ୍ରୟାନ-୩ ଦ୍ରୁତ ବେଗରେ ମାଡ଼ି ଚାଲିଥିବା ବେଳେ ପୁଣି ଚର୍ଚ୍ଚାକୁ ଆସିଛି ଚନ୍ଦ୍ରରେ ଜମି ବିକ୍ରି ପ୍ରସଙ୍ଗ । କିନ୍ତୁ କିନ୍ତୁ ପ୍ରଶ୍ନ ଉଠୁଛି ଯେ ବାସ୍ତବରେ କଣ କ’ଣ ଚନ୍ଦ୍ରରେ କେହି ଜମି କିଣିପାରେ? ବଲିଉଡର ଦିବାଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ଚନ୍ଦ୍ରରେ ଏକ ଜମି କିଣିଥିଲେ ।


ସୁପରଷ୍ଟାର ଶାହାରୁଖ ଖାନଙ୍କୁ ଅଷ୍ଟ୍ରେଲିଆରେ ରହୁଥିବା ତାଙ୍କର ଜଣେ ପ୍ରଶଂସକ ଚନ୍ଦ୍ରରେ ଏକ ଜମି ଉପହାର ଦେଇଥିଲେ । ବିଶ୍ବର ଅନେକ ବଡ଼ବଡ଼ ସେଲିବ୍ରିଟି ଚନ୍ଦ୍ରପୃଷ୍ଠରେ ନିଜ ନାମରେ ଗୋଟିଏ ଲେଖାଏଁ ଜମି କିଣିନେଇଛନ୍ତି । ଖାଲି ସେଲିବ୍ରିଟି କାହିଁକି ଓଡ଼ିଶାର କିଛି ଲୋକ ମଧ୍ୟ ଜହ୍ନରେ ଜମି କଣିଛନ୍ତି । ଜଗତସିଂହପୁର କୁଜଙ୍ଗ ବ୍ଲକ ବଡଙ୍ଗ ଅଞ୍ଚଳର ପ୍ରବୀର ପ୍ରଧାନ ନାମକ ସମାଜସେବୀ ତାଙ୍କ ପତ୍ନୀ ଓ ଝିଅକୁ ଚନ୍ଦ୍ରରେ ଦୁଇଟି ଜାଗା କିଣି ଭେଟି ଦେଇଛନ୍ତି । ଚନ୍ଦ୍ରରେ ଏହି ଜମି ଦୁଇଟି କିଣିବା ପାଇଁ ତାଙ୍କୁ ହାରାହାରି 124 ଡଲାର ଖର୍ଚ୍ଚ କରିବାକୁ ପଡିଥିଲା । ସେହିଭଳି ପ୍ରଥମ ଜନ୍ମ ଦିନରେ ପୁଅ ପାଇଁ ଚନ୍ଦ୍ରରେ ଜମି କିଣିଛନ୍ତି ଜଗତସିଂହପୁରର ଅମରେନ୍ଦ୍ର ବାରିକ ।


Lunarregistry.com ଅନୁଯାୟୀ, ଚନ୍ଦ୍ରରେ ଏକ ଏକର ଜମିର ମୂଲ୍ୟ 37.50 ଡଲାର ଅର୍ଥାତ୍ ପ୍ରାୟ 3075 ଟଙ୍କା। କିନ୍ତୁ ସବୁଠାରୁ ବଡ ପ୍ରଶ୍ନ ହେଉଛି ଚନ୍ଦ୍ରର ମାଲିକ କିଏ? କିଏ ବିକୁଛି ଜହ୍ନରେ ଜମି ? ଯଦି ଆଉଟର ସ୍ପେସ୍ ବା ବାହ୍ୟ ମହାକାଶ ଚୁକ୍ତି 1967କୁ ବିଚାକୁ ନେବା ତେବେ ମହାକାଶରେ ଚନ୍ଦ୍ର କିମ୍ବା ଅନ୍ୟାନ୍ୟ ଗ୍ରହ ଉପରେ କୌଣସି ଦେଶ କିମ୍ବା ବ୍ୟକ୍ତିଙ୍କର ଅଧିକାର ନାହିଁ । ବାହ୍ୟ ମହାକାଶ ଚୁକ୍ତି ଅନୁଯାୟୀ କୌଣସି ଦେଶର ପତାକା ଚନ୍ଦ୍ର ଉପରେ ଉଠାଯାଇପାରେ । ମାତ୍ର କେହି ଚନ୍ଦ୍ରର ମାଲିକ ହୋଇପାରିବେ ନାହିଁ । ବାହ୍ୟ ସ୍ପେସ୍ ଚୁକ୍ତିରେ 2019 ସୁଦ୍ଧା ମୋଟ 109 ଦେଶ ସ୍ୱାକ୍ଷର କରିଛନ୍ତି ।

ଅନ୍ୟ 23ଟି ଦେଶ ମଧ୍ୟ ଏଥିରେ ସ୍ବାକ୍ଷର କରିଛନ୍ତି, କିନ୍ତୁ ସେଗୁଡିକ ଏପର୍ଯ୍ୟନ୍ତ ମାନ୍ୟତା ପାଇ ନାହାଁନ୍ତି । ଏହି ଚୁକ୍ତି ଅନୁସାରେ ଚନ୍ଦ୍ରରେ ଯେକୌଣସି ଦେଶ ବିଜ୍ଞାନ ସମ୍ବନ୍ଧୀୟ ଗବେଷଣା କାର୍ଯ୍ୟ କରିପାରିବେ ଏବଂ ଏହାକୁ ମନୁଷ୍ୟର ବିକାଶ ପାଇଁ ବ୍ୟବହାର କରିପାରିବେ । କିନ୍ତୁ ଏହା ଉପରେ କବଜା କରିପାରିବେ ନାହିଁ | ଏମିତିରେ ପ୍ରଶ୍ନ ଉଠୁଛି ଯେ ଯଦି ଚନ୍ଦ୍ର ଉପରେ କୌଣସି ଦେଶର ମାଲିକାନା ଅଧିକାର ନାହିଁ, ତେବେ କିଏ ଚନ୍ଦ୍ରରେ ଏକରଏକର ଜମି ବିକ୍ରି କରୁଛି । ଜମିର ରେଜିଷ୍ଟ୍ରି କେଉଁଠି ହେଉଛି ?

ପ୍ରକୃତରେ ଚନ୍ଦ୍ରରେ କିଣାଯାଇଥିବା ଜମିର ରେଜିଷ୍ଟ୍ରି ପୃଥିବୀରେ ହିଁ କରାଯାଉଛି | Lunarregistry.com (ଲୁନାରରେଜିଷ୍ଟ୍ରି ଡଟ କମ୍) ନାମକ ଏକ ୱେବସାଇଟ୍ ଏହାର ରେଜିଷ୍ଟ୍ରି ପାଇଁ ଅଧିକାର ହାସଲ କରିଥିବା ଦାବି କରେ । ଯେଉଁମାନେ ଚନ୍ଦ୍ରରେ ଜମି କିଣୁଛନ୍ତି ସେମାନେ ଭାବୁଛ ଯେ ଯଦି କେବେ ଭାଗ୍ୟ ଖୋଲିଯିବ ଏବଂ ଚନ୍ଦ୍ରରେ ଥିବା ଜମିର ମାଲିକାନା ଉପରେ ପ୍ରଶ୍ନ ଉଠିବ ତା ହେଲେ ଏହି ରେଜିଷ୍ଟ୍ରିର କପି ଅତ୍ୟନ୍ତ ଉପଯୋଗୀ ହେବ | କିନ୍ତୁ ୱେବସାଇଟ୍ ଏହାର FAQ ବିଭାଗରେ ସ୍ପଷ୍ଟ ଭାବରେ ଲେଖିଛି ଯେ ଏହା ଚନ୍ଦ୍ରରେ ଥିବା ଜମିର ମାଲିକ ନୁହେଁ | ସେମାନଙ୍କର କାମ କେବଳ ରେଜିଷ୍ଟ୍ରି କରିବା । ଜମି ବିକ୍ରୟ କରିବା ନୁହେଁ କି ଜମିର ପ୍ରକୃତ ମାଲିକ କିଏ ତାହାର ସନ୍ଧାନ କରିବା ମଧ୍ୟ ନୁହେଁ । କୋର୍ଟରେ କେହି ମାଲିକାନା ନେଇ ପ୍ରଶ୍ନ ଉଠାଇଲେ ରେଜିଷ୍ଟ୍ରି ଅଫିସ ଏହି କଥା କହି ଝାଡିଝୁଡି ହୋଇ ବସୁଛି । ଏମିତିରେ ବଡ଼ ପ୍ରଶ୍ନ ହେଲା ଜହ୍ନରେ ଜମି କିଣିବା କେତେ ସୁରକ୍ଷିତ ? କ’ଣ ଚନ୍ଦ୍ରରେ ଜମି ବିକ୍ରି ନାମରେ ଚାଲିଛି କେବଳ ଦୁର୍ନୀତି? କଣ କହିଛି ସ୍ପେସ୍ ଲ ’ ?


ସ୍ପେସ୍ ଲ ’ ଉପରେ ଅନେକ ପୁସ୍ତକ ଲେଖିଥିବା ଲେଖକ ଡକ୍ଟର ଜିଲ୍ ଷ୍ଟୁଆର୍ଟ ତାଙ୍କ ପୁସ୍ତକ ‘ମୁନ୍ ଏକଜିବିସନ ବୁକ’ରେ ଲେଖିଛନ୍ତି ଯେ ଚନ୍ଦ୍ରରେ ଜମି କିଣିବା ଏବଂ ଏହାକୁ କାହାକୁ ଉପହାର ଦେବା ବର୍ତ୍ତମାନ ଏକ ଫ୍ୟାଶନରେ ପରିଣତ ହୋଇଛି । ଯଦି ଚନ୍ଦ୍ର ଉପରେ କୌଣସି ଦେଶର ଅଧିକାର ନାହିଁ, ତେବେ କମ୍ପାନୀ ଏବଂ ଅନ୍ୟ କୌଣସି ବ୍ୟକ୍ତିଙ୍କର ମଧ୍ୟ କୌଣସି ଅଧିକାର ନାହିଁ । ଅର୍ଥାତ ଚନ୍ଦ୍ରରେ ଜମି ବିକ୍ରି କେବଳ ଅନନ୍ତ ଦୁର୍ନୀତି । ଯାହାକି ଏବେ ମିଲିୟନ ଡଲାରର ବ୍ୟବସାୟ ପାଲଟିଛି । ଏକ ଏକର ଜମି ମାତ୍ର 3000 ଟଙ୍କାରେ ମିଳୁଥିବା ବେଳେ ଲୋକେ ଆଗପଛ ନ ବିଚାରି ତାହା କିଣିବାକୁ ପଛାଉ ନାହାନ୍ତି ଏହା କୌଣସି ଜୁଆ ଖେଳଠାରୁ କମ୍ ନୁହେଁ

Post Views1 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!