ରାଜ୍ୟର ପ୍ରମୁଖ ବନ୍ଦର ପାରାଦୀପ ବନ୍ଦରର ପଣ୍ୟ ପରିବହନ କ୍ଷମତାକୁ ଆସନ୍ତା ୫-୬ ବର୍ଷରେ ୪୦୦ ନିୟୁତ ଟନ୍କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ଗ୍ଲୋବାଲ୍ ମାରିଟାଇମ୍ ଇଣ୍ଡିଆ ସମିଟ୍ ୨୦୨୩କୁ ନେଇ ଆଜି ଭୁବନେଶ୍ବରରେ ଆୟୋଜନ କରାଯାଇଥିବା ରୋଡ୍ ସୋ’ରେ ଯୋଗ ଦେଇ କେନ୍ଦ୍ର ବନ୍ଦର ମନ୍ତ୍ରଣାଳୟର ଯୁଗ୍ମ ସଚିବ ଭୂଷଣ କୁମାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଆସନ୍ତା ଦୁଇ ଦଶନ୍ଧୀ ମଧ୍ୟରେ ପାରାଦୀପ ବନ୍ଦର କ୍ଷମତାକୁ ୭୫୦ ନିୟୁତ ଟନ୍ରେ ପହଞ୍ଚାଇବାକୁ ଯୋଜନା ରହିଛି। ବର୍ତ୍ତମାନର ବନ୍ଦର କ୍ଷମତା ୨୯୦ ନିୟୁତ ଟନ୍ ରହିଛି।
ପାରାଦୀପ ବନ୍ଦରର ଅଧ୍ୟକ୍ଷ ପି ଏଲ୍ ହରନାଦ କହିଛନ୍ତି ଯେ ବନ୍ଦର କ୍ଷମତାକୁ ୪୦୦ ନିୟୁତ ଟନ୍ରେ ପହଞ୍ଚାଇବା ଲାଗି ୫୭୦୦ କୋଟି ଟଙ୍କା ବିନିଯୋଗ କରାଯିବ। ଏହି ପ୍ରକ୍ରିୟାରେ ବିଦେଶୀ ନିବେଶକମାନେ ଭାଗ ନେଇପାରିବେ। ବର୍ତ୍ତମାନ ବନ୍ଦର ଜରିଆରେ ମୁଖ୍ୟତଃ ଲୁହାପଥର ଓ କୋଇଲା ପରିବହନ ହେଉଛି। ଆଗାମୀ ଦିନରେ କଣ୍ଟେନର, ରାସାୟନିକ ପଦାର୍ଥ, ଗ୍ରିନ୍ ଆମୋନିଆ, ଆମୋନିଆ ନାଇଟ୍ରେଟ୍ ଆଦି ପରିବହନ କରିବାକୁ ବନ୍ଦର ଯୋଜନା ରଖିଛି। ୨୦୩୦ ସୁଦ୍ଧା ଏକ ସବୁଜ ବନ୍ଦରରେ ପରିଣତ ହେବାକୁ ପାରାଦୀପ ବନ୍ଦର ଲକ୍ଷ୍ୟ ରଖିଛି। ସେହି ସମୟ ଭିତରେ ସବୁ ବର୍ଥର ଯାନ୍ତ୍ରିକୀକରଣ ହେବ ଓ କେବଳ ଅକ୍ଷୟ ଶକ୍ତି ବ୍ୟବହାର କରାଯିବ। ୨୦୨୬ ସୁଦ୍ଧା ବନ୍ଦରରେ ୧୦ ଲକ୍ଷ ଟନ୍ ଗଛ ଲଗାଯିବ। ଗତ ତିନି ବର୍ଷରେ ତିନି ଲକ୍ଷ ଗଛ ଲାଗିଥିବା ବେଳେ ଚଳିତ ବର୍ଷ ଆଉ ଲକ୍ଷେ ଗଛ ଲଗାଯିବ ବୋଲି ସେ କହିଛନ୍ତି।
ଏହି ଅବସରରେ କେନ୍ଦ୍ର ବନ୍ଦର ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀ କୁମାର କହିଛନ୍ତି ଯେ ଅକ୍ଟୋବର ୧୭ରୁ ୨୯ ପର୍ଯ୍ୟନ୍ତ ଦିଲ୍ଲୀର ଆଇଟିପିଓରେ ଥିବା ଭାରତ ମଣ୍ଡପମ୍ରେ ଗ୍ଲୋବାଲ୍ ମାରିଟାଇମ୍ ଇଣ୍ଡିଆ ସମିଟ୍ ୨୦୨୩ ଆୟୋଜନ କରାଯିବ। ସେଥିରେ ୪୦ରୁ ଅଧିକ ଦେଶ ଅଂଶଗ୍ରହଣ କରିବେ। ଓଡ଼ିଶାକୁ ନେଇ ସେଥିରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବ। ରାଜ୍ୟର ନିବେଶକମାନେ ବିଦେଶରେ ଥିବା ସୁଯୋଗ ସନ୍ଧାନ କରିପାରିବେ ଏବଂ ବିଦେଶୀ ନିବେଶକମାନେ ଓଡ଼ିଶାରେ ମଧ୍ୟ ନିବେଶ କରିବାର ସୁଯୋଗ ପାଇପାରିବେ। ପାରାଦୀପ ବନ୍ଦର ସହଯୋଗରେ ଆୟୋଜନ କରାଯାଇଥିବା ଆଜିର ରୋଡ୍ ସୋ’ରେ କେନ୍ଦ୍ର ବନ୍ଦର ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଭିଡିଓ ବାର୍ତାରେ କହିଛନ୍ତି ଯେ ନୀଳ ଅର୍ଥନୀତିରେ ବିଶ୍ବସ୍ତରୀୟ କେନ୍ଦ୍ର ଭାବେ ଭାରତ ଏହାର ସ୍ଥିତିକୁ ସୁଦୃଢ଼ କରୁଛି। ଏହି ଅବସରରେ ରାଜ୍ୟ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ, ଗୋପାଳପୁର ବନ୍ଦରର ସିଇଓ ଭି ଜନାର୍ଦ୍ଦନ ରାଓ, ଧାମରା ବନ୍ଦରର ସିଓଓ ସଞ୍ଜୀବ କୁମାର ଗୁପ୍ତା ଓ ପାରାଦୀପ ବନ୍ଦରର ଉପାଧ୍ୟକ୍ଷ ନୀଲଭ୍ର ଦାସଗୁପ୍ତା ଉପସ୍ଥିତ ଥିଲେ

