ରତ୍ନଗର୍ଭା ଓଡ଼ିଶାର ପାଣିପବନ, ବଣଜଙ୍ଗଲ ଓ ପ୍ରକୃତିର ମନୋରମ ଦୃଶ୍ୟ କାହାକୁ ବି ଆମୋଦିତ କରିପାରେ । ସେ ଓଡ଼ିଆ ହୁଅନ୍ତୁ କି ଅଣଓଡ଼ିଆ । ଓଡ଼ିଶା ମାଟିରେ ଯିଏ ପାଦ ଦେଇଛି ସିଏ ଓଡ଼ିଶାର ପ୍ରେମରେ ଭିଜିଛି ଆଉ ଓଡ଼ିଶାକୁ ଭଲପାଇବସିଛି । ଯାହାର ଜ୍ବଳନ୍ତ ଉଦାହରଣ ହେଉଛନ୍ତି କେନ୍ଦୁଝର ଡିଏଫଓ ଧନରାଜ ଏଚଡି । ନିଜ ଉଲ୍ଲେଖନୀୟ କାର୍ଯ୍ୟଶୈଳୀ ପାଇଁ ସେ ଯେତିକି ଚର୍ଚ୍ଚିତ ଜଣେ ପ୍ରକୃତି ପ୍ରେମୀଭାବେ ସେତିକି ପରିଚିତ । ଓଡ଼ିଶାର ପାଣିପବନକୁ ଅଙ୍ଗେ ନିଭାଇ ଓଡ଼ିଶାର ବନ୍ୟ ସଂପଦ ସୁରକ୍ଷା ଓ ସେବାରେ ନିଜକୁ ଉତ୍ସର୍ଗ କରିଦେଇଛନ୍ତି ଧନରାଜ । ହାତୀଙ୍କ ସୁରକ୍ଷା ହେଉ କି ଜଙ୍ଗଲ ସୃଷ୍ଟି ସବୁଥିରେ ନିଜେ ଆଗୁଆ ହେବା ସହିତ ଓଡ଼ିଶାକୁ ଅଗ୍ରଣୀ କରି ନୂଆ ପରିଚୟ ଦେଇଛନ୍ତି ।
ପ୍ରତି ସଫଳତା ପଛରେ ଏକ ସଂଘର୍ଷମୟ କାହାଣୀ ଲୁଚି ରହିଥାଏ । ପ୍ରେରଣାଦାୟୀ ମଣିଷ ପଛରେ ଏକ ବିଶାଳ ପ୍ରେରଣାର ସ୍ରୋତ ବହିଯାଇଥାଏ । ଡିଏଫଓ ଧନରାଜ ଏଚଡିଙ୍କ ଜୀବନ ମଧ୍ୟ ସେପରି କିଛି ଜୀବନ୍ତ ସ୍ମୃତିକୁ ତୋଳି ଧରିଛି । ଜଣେ ମେଧାବୀ ଛାତ୍ର ଭାବେ ପିଲାଟି ଦିନରୁ ସବୁକ୍ଷେତ୍ରରେ ଆଗରେ ରହିଥିଲେ ଧନରାଜ । ସ୍କୁଲ ଶିକ୍ଷାଠୁ କଲେଜ ପର୍ଯ୍ୟନ୍ତ ସଫଳତା ତାଙ୍କୁ ସ୍ପର୍ଶ କରିଥିଲା । ହେଲେ ପରିବାରର ଆର୍ଥିକ ଅନଟନ ତାଙ୍କ ସ୍ବପ୍ନର ପଥରେ ବାଧକ ହୋଇ ଠିଆହୋଇଥିଲା । ଭାରତୀୟ ପ୍ରଶାସନକ ସେବାରେ ଭର୍ତ୍ତିହେବାର ଲକ୍ଷ୍ୟ ନେଇ ଚାଲୁଥିବା ଉଜ୍ବଳ ନକ୍ଷତ୍ରଙ୍କୁ ଅଭାବର କାଳିମା ଘୋଡାଇ ଦେବାକୁ ଚେଷ୍ଟା କରିଥିଲା । ମହାରାଷ୍ଟ୍ରର କୋଲହାପୁରରେ ସ୍ନାତକୋତ୍ତର କରିବା ପରେ ସର୍ବଭାରତୀୟ ପ୍ରଶାସନିକ ସେବାରେ ପ୍ରବେଶ କରିବାକୁ ସେ ନିଷ୍ପତ୍ତି ନେଇଥିଲେ । ମାତ୍ର ଆର୍ଥିକ ସମସ୍ୟା ହେତୁ ସେ ସମୟରେ ତାହା ସମ୍ଭବ ହୋଇପାରିନଥିଲା । ପରିବାରର ଆର୍ଥିକ ଅନଟନ ସ୍ଥିତି ପାଇଁ ପରେ କାନାରା ବ୍ୟାଙ୍କରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ କାମ କରିଥିଲେ । ହେଲେ ନିଜ ସ୍ବପ୍ନ ତାଙ୍କୁ ଗୋଟିଏ ସ୍ଥାନରେ ସ୍ଥିର ହୋଇ ବସିବାକୁ ସୁଯୋଗ ଦେଇନଥିଲା । ପରେ ଚାକିରିରୁ ଇସ୍ତଫା ଦେଇ ନିଜର ଲକ୍ଷ ପଛରେ ଦୌଡ଼ିଥିଲେ ଧନରାଜ । ଆଉ ସ୍ବପ୍ନକୁ ହାତପାଆନ୍ତାରେ ପାଇ ଆରମ୍ଭ କରିଥିଲେ ନୂଆ ଏକ ଜୀବନ ।
ଓଡ଼ିଶାକୁ ନିଜର କର୍ମଭୂମି ଭାବେ ପାଇ ଜୀବନର ନୂଆ ଅଧ୍ୟାୟ ଲେଖୁଛନ୍ତି ଡିଏଫଓ ଧନରାଜ । ଓଡ଼ିଶା ସହିତ ତାଙ୍କର ଅତୀତ ଜୀବନ ନିବିଡ଼ ହୋଇଛି । ଓଡ଼ିଶାର ଲୋକ, ଖାଦ୍ୟ ଓ ପ୍ରକୃତି ସହିତ ନିଜକୁ ହଜାଇଦେଇଛନ୍ତି । ବୃତ୍ତିଗତ ଜୀବନରେ ପ୍ରଥମେ ଅନୁଗୁଳ ଜିଲ୍ଲା ବନ୍ତଳରେ ରେଞ୍ଜ ଅଫିସର ଭାବେ ନିଯୁକ୍ତ ହୋଇଥିଲେ ଧନରାଜ । ପରେ ଅନୁଗୁଳର ଏସିଏଫ ଭାବେ ଦାୟିତ୍ବ ତୁଲାଇଥିଲେ । ରେଞ୍ଜ ଅଫିସର ଭାବେ ଲୋକଙ୍କ ନିକଟତର ହୋଇଥିଲେ । ଓଡ଼ିଶାର ଲୋକଙ୍କ ଚାଲିଚଳନ, ସଂସ୍କୃତି ସହିତ ପରିଚିତ ହୋଇଥିଲେ, ଆଉ ଓଡ଼ିଶାବାସୀଙ୍କ ସେବାରେ ନିଜକୁ ସମର୍ପି ଦେବାକୁ ସଂକଳ୍ପ ନେଇଥିଲେ । ପରେ ନୟାଗଡ଼ରେ ଡିଏଫଓ ଭାବେ କାମ କରିବା ତାଙ୍କ ଜୀବନର ସବୁଠୁ ପ୍ରେରଣାଦାୟୀ ଅଧ୍ୟାୟ ଭାବେ ଉଭା ହୋଇଥିଲା । କ୍ୟାରିଅରର ଏକ ନୂଆ ସୋପାନ ସହିତ କାମ କରିବାର ଜୋସ୍ ଖାଲି ତାଙ୍କୁ ନୁହେଁ ଓଡ଼ିଶାର ବନ ବିଭାଗକୁ ସଫଳତା ଆଣିଦେଇଥିଲା । ସାଧାରଣ ଲୋକ, ଜିଲ୍ଲାପ୍ରଶାସନ, ଜନପ୍ରିତିନିଧିଙ୍କ ସହ ମିଶି ଆରମ୍ଭ କରିଥିଲେ ନୂଆ ଅଭିଯାନ । ଓଡ଼ିଶାରେ ଜଙ୍ଗଲ ସଂପଦର ସୁରକ୍ଷା ପାଇଁ ତାଙ୍କ ଉଲ୍ଲେଖନୀୟ ପଦକ୍ଷେପ ରାଜ୍ୟର ବିକାଶଧାରାରେ ସୃଷ୍ଟି କରିଥିଲା ନୂଆ ମାଇଲଷ୍ଟୋନ୍ । ବିଗ୍ ପଲିଥିନ ବିହନ, ନର୍ସରୀର ରୂପାନ୍ତରଣ, ମୋ ଜଙ୍ଗଲ୍ ମୋ ପରିବେଶ ଆଦି ବିଭିନ୍ନ କାର୍ଯ୍ୟକ୍ରମ କରି ସମସ୍ତଙ୍କର ଦୃଷ୍ଚି ଆକର୍ଷଣ କରିଥିଲେ ଧନରାଜ । ବିଶେଷକରି ମନରେଗା ମାଧ୍ୟମରେ ବୃକ୍ଷରୋପଣ, ଏସଏମସି କାର୍ଯ୍ୟ, ରଥଯାତ୍ରା ପାଇଁ କାଠ ଯୋଗାଣ । ପୌରପାଳିକାରେ ସହରୀ ବୃକ୍ଷରୋପଣ ଇତ୍ୟାଦି ସ୍ବତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନେଇ ଅକୁଣ୍ଠ ସଫଳତା ଲାଭ କରିଥିଲେ । ଯାହାକି ତାଙ୍କୁ ବୃତ୍ତିଗତ ଜୀବନରେ ସଫଳତା ଆଣିଦେଇଥିଲା ।
ପରବର୍ତ୍ତୀ ସମୟରେ ଧନରାଜଙ୍କ କାର୍ଯ୍ୟଦକ୍ଷତା ପାଇଁ ଓଡ଼ିଶା ସରକାର ତାଙ୍କୁ ଗୁରୁଦାୟିତ୍ବ ପ୍ରଦାନ କରିଥିଲେ । ଏବେ କେନ୍ଦୁଝରରେ ଡିଏଫଓ ଭାବେ କାର୍ଯ୍ୟରତ ଅଛନ୍ତି ଧନରାଜ ଏଚଡି । ତାଙ୍କର କାର୍ଯ୍ୟକାଳ ସମୟରେ ତାଙ୍କ ଉଲ୍ଲେଖନୀୟ ପଦକ୍ଷେପ ସାରା ରାଜ୍ୟର ବନ ସଂପଦ ସୁରକ୍ଷାରେ ନୂଆ ଅଧ୍ୟାୟ ସୃଷ୍ଟି କରିଛି । ବିଶେଷକରି ହାତୀ-ମଣିଷ ଲଢେଇ ରୋକିବାକୁ ଧନରାଜଙ୍କ ବ୍ଲୁପ୍ରିଣ୍ଟ ସଫଳତାର ମଡେଲ ସାଜିଛି । କେନ୍ଦୁଝରରେ ଖଣି, ରେଳ, ବିଦ୍ୟୁତ ଓ ଜାତୀୟ ରାଜପଥ ହାତୀଙ୍କ ମୃତ୍ୟୁର କାରଣ ସାଜୁଛି । ହାତୀ ଜନବସିତା ଆଡ଼କୁ ମାଡିଆସି ମଣିଷଙ୍କୁ ମାରିବା ସହିତ ଲୋକଙ୍କ ଜୀବନ ଛାରଖାର କରୁନ୍ତି । ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ଆରମ୍ଭରୁ ଆକ୍ସନ ମୁଡକୁ ଆସିଯାଇଥିଲେ ଧନରାଜ । କେନ୍ଦୁଝରରେ ରାଜ୍ୟର ପ୍ରଥମ ଥର୍ମାଲ ଡ୍ରୋନର ବ୍ୟବହାର କରି ହାତୀ ସୁରକ୍ଷାକୁ ସୁନିଶ୍ଚିତ କରାଯିବାରେ ଧନରାଜଙ୍କ ଅବଦାନ ଅତୁଳନୀୟ । ଏହି ଆଧୁନିକ ଟେକ୍ନୋଲୋଜି ମାଧ୍ୟମରେ ହାତୀଙ୍କ ଗତିପଥକୁ ଜାଣିପାରୁଛି ବନ ବିଭାଗ । ସେହିପରି ସୌରବାଡ଼ ପ୍ରସ୍ତୁତି, ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟକାରୀ ଏବଂ ସବୁ ବିଭାଗ ମଧ୍ୟରେ ସମନ୍ବୟ ରଖି ହାତୀ-ମଣିଷ ଲଢେଇକୁ ରୋକିବାରେ ତାଙ୍କର ବିଶେଷ ଅବଦାନ ରହିଛି । ଜଙ୍ଗଲ ସୀମାନ୍ତ ଗ୍ରାମରେ ଜୀବିକା ପାଇଁ ଭର୍ମିକମ୍ପୋଷ୍ଟ, ଫ୍ରଣ୍ଟଲାଇନ କର୍ମଚାରୀଙ୍କ କଲ୍ୟାଣ ପାଇଁ ପ୍ରୟାସ, ବନ୍ୟଜନ୍ତୁ ଆକ୍ରମଣ ପରବର୍ତ୍ତୀ କ୍ଷତିପୂରଣର ଠିକ୍ ସମୟରେ ପ୍ରଦାନ ଆଦି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏଭଳି ପ୍ରଶାସନିକ ଅଧିକାରୀ ଓଡ଼ିଶା ପାଇଁ ଗୌରବ । ଧନରାଜଙ୍କ ଭଳି ପ୍ରେରଣାଦାୟୀ ବ୍ୟକ୍ତିତ୍ବଙ୍କୁ ଅଗ୍ରଣୀ ମାସିକ ପତ୍ରିକା “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ୧୨ ତମ ବାର୍ଷିକ ଉତ୍ସବରେ ସମ୍ମାନିତ କରାଯାଇଛି।




