`ଆମ ଓଡ଼ିଶା ନବୀନ ଓଡ଼ିଶା’ର ଶୁଭାରମ୍ଭ

() ଗାଁ ହେବ ସଶକ୍ତ ଓଡିଶାର ପ୍ରତିଛବି  । ସଂସ୍କୃତିର ସୁରକ୍ଷା ସହ ଅତ୍ୟାଧୁନିକ ଭିତ୍ତିଭୂମିର ହେବ ବିକାଶ  । କେନ୍ଦୁଝର ଓ ଭଦ୍ରକରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ସାରା ରାଜ୍ୟରେ ଖର୍ଚ୍ଚ ହେବ ୩୩୯୭ କୋଟି ଟଙ୍କା  । ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା । ସାମିଲ ହେବେ ରାଜ୍ୟର ୬୭୯୪ଟି ପଞ୍ଚାୟତ  । ଏହି କାର୍ଯ୍ୟକ୍ରମର ଫୋକସ୍ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ । ସାରା ରାଜ୍ୟରେ କାର୍ଯ୍ୟକାରୀ ହେବ ୯୦୭୨୩ଟି ପ୍ରକଳ୍ପ। ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତି, ଓଡିଶାର ସଂସ୍କୃତିର ମୂଳ ଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ବିକାଶ କରାଯିବ। ଏକ ଆକାଂକ୍ଷୀ ଓଡିଶା ଗଠନ ପାଇଁ ଏହା ହେବ ମୂଳ ଭିତ୍ତି ।

ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗ୍ବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା ତାର ଡେଣାକୁ ପ୍ରସାରିତ କରିବ ଏବଂ ଗଢିବ ଆମ ଓଡିଶା ନବୀନ ଓଡିଶା । ଓଡିଶା ହେଉଛି ଜଗନ୍ନାଥଙ୍କ ଭୂମି । ବିଶ୍ବ ପ୍ରେମ, ଶାନ୍ତି, ସଦ୍ଭାବ, ସମାନତା ଓ ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା । ଜାତି, ଧର୍ମ, ସଂପ୍ରଦାୟ ନିର୍ବିଶେଷରେ ଏହା ସମସ୍ତଙ୍କୁ ନିଜର କରିପାରିଛି । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ ବୋଲି ଏହି ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ। ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ କରାଯିବ। ଭବିଷ୍ୟତ ବଂଶଧର ମାନଙ୍କ ନିମନ୍ତେ ଏସବୁ ସଂସ୍କୃତି ଓ ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ ଓ ସୁରକ୍ଷା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଗାଁରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ । ଗାଁରେ ଇଣ୍ଟରନେଟ୍ ସଂଯୋଗ ମିଳିବ । ବିଜ୍ଞାନ ପାର୍କ ହେବ । ଦକ୍ଷତା ବିକାଶ କେନ୍ଦ୍ର ହେବ । ୱାର୍କ ହବ ସହିତ ବ୍ୟାଙ୍କିଂ ସୁବିଧା ମିଳିବ। ଏହି କାର୍ଯ୍ୟକ୍ରମରେ ଗାଁର ପ୍ରାଇମେରୀ ସ୍କୁଲ ଗୁଡିକ ମଧ୍ୟ ସାମିଲ ହେବ।

ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ କେନ୍ଦୁଝରର ୬ଟି ନିର୍ବାଚନ ମଣ୍ଡଳୀର ୨୯୭ଟି ଗ୍ରାମ ପଞ୍ଚାୟତର ୩୫୬୮ଟି ପ୍ରକଳ୍ପ ପାଇଁ ୧୪୮ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିବା ବେଳେ, ଭଦ୍ରକ ଜିଲ୍ଲାର ୫ଟି ନିର୍ବାଚନ ମଣ୍ଡଳୀର ୨୧୮ଟି ଗ୍ରାମ ପଞ୍ଚାୟତର  ୩୩୩୭ଟି ପ୍ରକଳ୍ପ ପାଇଁ ୧୦୯ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସଫଳ ରୂପାୟନ ଲାଗି ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ଲୋକଙ୍କ ଆବଶ୍ୟକତାକୁ ନେଇ ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ଅନୁମୋଦନ କରିଛନ୍ତି  । ସମସ୍ତେ ସ୍ବଚ୍ଛତାର ସହ ଠିକ୍ ସମୟରେ କାମ ସାରନ୍ତୁ ବୋଲି ଆହ୍ବାନ ଦେଇଛନ୍ତି 5T ସଚିବ ଭି କେ ପାଣ୍ଡିଆନ  । ସେହିପରି 5T ସଚିବଙ୍କ ଗସ୍ତ ପରେ ଜିଲ୍ଲାସ୍ତରରେ ବିକାଶ ତ୍ବରାନ୍ବିତ ହୋଇଛି  । ଅନେକ ଦିନର ସମସ୍ୟା ଦୂର ହୋଇଛି ବୋଲି ସ୍ଥାନୀୟ ନେତୃବୃନ୍ଦ ଯୋଜନାକୁ ପ୍ରଶଂସା କରି କହିଛନ୍ତି  ।

 

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!